Odia News Portal

ଇତିହାସ ରଚିଲେ ବିରାଟ ବାହିନୀ

ସିଡ୍‌ନୀ: ଅଧିନାୟକ ବିରାଟ କୋହଲି ଓ ତାଙ୍କ ଟିମ୍‌ର ସଦସ୍ୟମାନେ ଇତିହାସ ରଚିଛନ୍ତି। ପୂର୍ବରୁ ଭାରତର କୌଣସି ଟିମ୍‌ ଯାହା କରି ପାରି ନଥିଲେ, ଆଜି ତାହା କରି ଦେଖାଇଛନ୍ତି ବିରାଟ ଓ ତାଙ୍କ ବାହିନୀ। ଅଷ୍ଟ୍ରେଲିଆରେ ଏହି ଟେଷ୍ଟ୍ ସିରିଜ୍‌ର ଚତୁର୍ଥ ମ୍ୟାଚ୍ ସିଡ୍‌ନୀରେ ଖେଳା ଯାଇଥିଲା। ଏହି ମ୍ୟାଚ୍ ଅଷ୍ଟ୍ରେଲିଆ ପାଇଁ କର ବା ମର ସ୍ଥିତି ସୃଷ୍ଟି କରିଥିଲା। ଘରୋଇ ଟିମ୍ ଏହି ମ୍ୟାଚ୍ ଜିତି ସିରିଜ୍‌କୁ ୨-୨ରେ ବରାବର କରିବାକୁ ଲକ୍ଷ୍ୟ ରଖିଥିଲା। ତେବେ ତାହା ହୋଇ ନଥିଲା। ବର୍ଷା ବାଧାପ୍ରାପ୍ତ ଏହି ମ୍ୟାଚ୍ ଶେଷରେ ଆଜି ଡ୍ର’ରେ ଶେଷ ହୋଇଛି। ଏହା ସହିତ ୨-୧ରେ ସିରିଜ୍‌ରେ ଆଗୁଆ ରହିଥିବା ଭାରତୀୟ ଦଳ ସିରିଜ୍‌ ଜିତି ଯାଇଛି।

ସିଡ୍‌ନୀରେ ଟସ୍ ଜିତି ଭାରତ ପ୍ରଥମ ଇନିଂସ୍‌ରେ ୬୨୨ ରନ୍ କରି ପାଳି ଘୋଷଣା କରିଥିଲା। ମୟଙ୍କ ଅଗ୍ରୱାଲଙ୍କ ୭୭ ରନ୍, ଚେତେଶ୍ୱର ପୂଜାରାଙ୍କ ୧୯୩, ଋଷଭ ପନ୍ତଙ୍କ ୧୫୯ ଓ ରବୀନ୍ଦ୍ର ଜାଡେଜାଙ୍କ ୮୧ ରନ୍ ବଳରେ ଭାରତ ଏହି ରନ୍ ସଂଗ୍ରହ କରିଥିଲା। ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ୩୦୦ ରନ୍‌ରେ ଅଲ୍‌ ଆଉଟ୍ ହୋଇଯାଇଥିଲା। ଏହା ପରେ ଭାରତ ଫଲୋ-ଅନ୍ ଦେଇଥିଲା ଓ ଅଷ୍ଟ୍ରେଲିଆ ତା’ର ଦ୍ୱିତୀୟ ଇନିଂସ୍ ଆରମ୍ଭ କରିଥିଲା। ଦ୍ୱିତୀୟ ଇନିଂସ୍‌ରେ ଅଷ୍ଟ୍ରେଲିଆ ଗତକାଲି ମାତ୍ର ୬ ରନ୍ କରିବା ପରେ ବର୍ଷା ଯୋଗୁ ମ୍ୟାଚ୍ ଖେଳା ଯାଇ ପାରି ନଥିଲା। ଆଜି ବି ବର୍ଷା ବାଧା ସାଜିଥିଲା। ଶେଷରେ ମ୍ୟାଚ୍‌କୁ ଡ୍ର’ ଘୋଷଣା କରାଯାଇଥିଲା। ଭାରତ ଏହି ମ୍ୟାଚ୍‌କୁ ଜିତି ୩-୧ରେ ସିରିଜ୍ ଜିତିବାକୁ ଲକ୍ଷ୍ୟ ରଖିଥିଲା। ଏଥିପାଇଁ ଭାରତ ପାଖରେ ସୁଯୋଗ ବି ଥିଲା। ତେବେ ବର୍ଷା ଯୋଗୁ ତାହା ସମ୍ଭବ ହେଲା ନାହିଁ।