Odia News Portal

ତୌରଙ୍ଗାର ମଜା ନେଲେ ଭାରତୀୟ ଖେଳାଳି

ନାପିଏରରେ ଅନୁଷ୍ଠିତ ପ୍ରଥମ ଦିନିକିଆରେ ଏକତରଫା ବିଜୟ ହାସଲ କରିବା ପରେ ଭାରତୀୟ କ୍ରିକେଟ୍ ଦଳ ତୌରଙ୍ଗାରେ ମଉଜ କରୁଥିବା ଦେଖିବାକୁ ମିଳିଛି। ଶନିବାରର ଦ୍ବିତୀୟ ଦିନିକିଆ ପାଇଁ ନାପିଏରରୁ ତୌରଙ୍ଗାର ମାଉଣ୍ଟ ମଙ୍ଗନୁଇଁ ଯିବା ବାଟରେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ, ଅମ୍ବାତି ରାୟୁଡୁ ଓ କେଦାର ଯାଦବଙ୍କ ସହ ଅନ୍ୟ ଖେଳାଳିମାନେ ସେଠାକାର ପ୍ରାକୃତିକ ସୌନ୍ଦର୍ୟ୍ୟରେ ବିମୋହିତ ହୋଇଯାଇଥିଲେ। ସେଥିପାଇଁ ସ୍ଥାନେ ସ୍ଥାନେ ଅଟକି ଫଟୋ ଉଠାଇଥିଲେ। ମାଉଣ୍ଟ ମଙ୍ଗନୁଇଁ ନ୍ୟୁଜିଲାଣ୍ଡର ଏକ ବାଣିଜ୍ୟିକ ଏବଂ ଶିଳ୍ପ ସମୃଦ୍ଧ ସହର। ଏଠାକାର ବେ ଓଭାଲ କ୍ରିକେଟ୍ ପଡ଼ିଆ ବିଶ୍ବର ଅନ୍ୟତମ ସୁନ୍ଦର କ୍ରିକେଟ୍ ଷ୍ଟାଡିୟମ୍ ଭାବେ ପରିଗଣିତ ହୁଏ। ନାପିଏରରୁ ଏଠାକୁ ଯିବା ବାଟରେ ଅନେକ ଦର୍ଶନୀୟ ସ୍ଥାନ ରହିଛି।
ଭାରତୀୟ ଅଧିନାୟକ ବିରାଟ କୋହଲି ଏବଂ ଶିଖର ଧାୱନ୍ ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଓ ଦ୍ବିତୀୟ ଦିନିକିଆ ମଧ୍ୟରେ ଥିବା ଦୁଇ ଦିନର ଛୁଟିକୁ ନିଜ ନିଜ ପତ୍ନୀ ଓ ଝିଅଙ୍କ ସହ କଟାଇଛନ୍ତି। ଧାୱନ ନାପିଏରରେ ନିଜ ଝିଅକୁ ଭେଟିଥିଲେ। କୋହଲି ପତ୍ନୀ ତଥା ବଲିଉଡ୍ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ସହ ହୋଟେଲ କୋଠରିରେ ସମୟ ଅତିବାହିତ କରିଥିଲେ। କୋହଲି ନିଜ ଇନ୍ଷ୍ଟାଗ୍ରାମ ପୃଷ୍ଠାରେ ଅନୁଷ୍କାଙ୍କ ସହ ଉଠାଇଥିବା ଏକ ଫଟୋକୁ ପ୍ରକାଶ କରିଥିଲେ।