ଭୁବନେଶ୍ୱର() ଟାଟା ଷ୍ଟିଲ ପକ୍ଷରୁ ୨୦୨୦ ମସିହା ଜାନୁଆରୀ ୧୨ ତାରିଖରେ ଟାଟା ଷ୍ଟିଲ ଭୁବନେଶ୍ୱର ହାଫ୍ ମାରାଥନ୍ (ଟିଏସ୍ବିଏଚ୍ଏମ୍) ର ୫ମ ସଂସ୍କରଣ ଆୟୋଜନ କରାଯିବ । ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବ ସେବା ବିଭାଗ ସହଯୋଗରେ ଆୟୋଜିତ ହେବାକୁଥିବା ଟିଏସ୍ବିଏଚ୍ଏମ୍ ୨୦୨୦ ଏକ ସୁସ୍ଥ ଓ କ୍ରିୟାଶୀଳ ଜୀବନଶୈଳୀର ପ୍ରସାର ପାଇଁ ଦେଶର ବିଭିନ୍ନ ସ୍ଥାନର ଦୌଡ଼ ପ୍ରେମୀଙ୍କୁ ଏକ ମଂଚ ପ୍ରଦାନ କରିବ ।
ଦୌଡ଼ ଓ କ୍ରୀଡ଼ା ପ୍ରତି ଭୁବନେଶ୍ୱର ଏବଂ ଏହାର ବାହାରୁ ଆସୁଥିବା ଲୋକମାନଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ସେମାନଙ୍କୁ ଗୋଟିଏ ମଂଚରେ ଏକତ୍ରିତ କରିବା ଲକ୍ଷ୍ୟରେ ପ୍ରତ୍ୟେକ ବର୍ଷ ଜାନୁଆରୀ ମାସରେ ଜାତୀୟ ଯୁବ ଦିବସ ଅବସରରେ ଟାଟା ଷ୍ଟିଲ ଭୁବନେଶ୍ୱର ହାଫ୍ ମାରାଥନ୍ର ଆୟୋଜନ କରାଯାଇଥାଏ । ୨୦୧୬ ମସିହାରୁ ଆରମ୍ଭ ହୋଇଥିବା ଟାଟା ଷ୍ଟିଲ ଭୁବନେଶ୍ୱର ହାଫ୍ ମାରାଥନ୍କୁ ଦେଶର ଏକ ପ୍ରମୁଖ ଦୌଡ଼ ପ୍ରତିଯୋଗିତା ଭାବେ ସ୍ଥାପିତ କରିବାକୁ ଉଦ୍ୟମ କରାଯାଉଛି । ଏକ କ୍ରିୟାଶୀଳ କ୍ରୀଡ଼ା ଶୈଳୀକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ଆୟୋଜିତ ହେଉଥିବା ଟାଟା ଷ୍ଟିଲ ଭୁବନେଶ୍ୱର ହାଫ୍ ମାରାଥନ୍ରେ ପ୍ରତ୍ୟେକ ବର୍ଷ ପ୍ରତିଯୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଏହି ଅବସରରେ ଟାଟା ଷ୍ଟିଲ କର୍ପୋରେଟ୍ ସର୍ଭିସେସ୍ ଭାଇସ ପ୍ରେସିଡେଣ୍ଟ ଶ୍ରୀ ଚାଣକ୍ୟ ଚୌଧୁରୀ କହିଛନ୍ତି, “ଓଡ଼ିଶା ସରକାରଙ୍କ ସହ ମିଶି ଆଉ ଥରେ ଟାଟା ଷ୍ଟିଲ ଭୁବନେଶ୍ୱର ହାଫ୍ ମାରାଥନ୍ ଆୟୋଜନ କରୁଥିବାରୁ ଆମେ ଆନନ୍ଦିତ । ପ୍ରତ୍ୟେକ ବର୍ଷ ଏହି ପ୍ରତିଯୋଗିତାର ଲୋକପ୍ରିୟତା ବୃଦ୍ଧି ପାଉଥିବାବେଳେ ଏହି ପ୍ରମୁଖ କାର୍ଯ୍ୟକ୍ରମର ଦୌଡ଼ ଅଭିଜ୍ଞତାରେ ଉନ୍ନତି ଆଣିବା ପାଇଁ ଆମେ ପ୍ରତିବଦ୍ଧ ରହିଛୁ । ଉକ୍ତ ପ୍ରତିଯୋଗିତାରେ ଅଧିକରୁ ଅଧିକ ଲୋକ ଅଂଶଗ୍ରହଣ କରିବେ ବୋଲି ଆଶା କରୁଛୁ” ।
ଏହି ଅବସରରେ ଟାଟା ଷ୍ଟିଲ ଓ ଓଡ଼ିଶା ସରକାରଙ୍କର କ୍ରୀଡ଼ା ପ୍ରତି ଅଙ୍ଗୀକାରବଦ୍ଧତା ସମ୍ବନ୍ଧରେ ଶ୍ରୀ ଚୌଧୁରୀ କହିଥିଲେ । “ଭୁବନେଶ୍ୱରକୁ ଦେଶର ଏକ ପ୍ରମୁଖ କ୍ରୀଡ଼ା କେନ୍ଦ୍ର ଭାବେ ବିକଶିତ ହେବାର ଦେଖି ବହୁତ ଖୁସି ଲାଗୁଛି” ।