Odia News Portal

ରୋହିତଙ୍କ ସହ ବିବାଦକୁ ନେଇ ଏମିତି କହିଲେ ବିରାଟ…

ମୁମ୍ବାଇ() ୱେଷ୍ଟଇଣ୍ଡିଜ୍ ଗସ୍ତ ପୂର୍ବରୁ ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ପ୍ରେସ୍ କନଫରେନ୍ସରେ ସାମିଲ୍ ହୋଇଛନ୍ତି। ଏହି କନଫରେନ୍ସରେ ରୋହିତଙ୍କ ସହ ବିବାଦ ଖବରକୁ ବିରାଟ୍ ସମ୍ପୂର୍ଣ୍ଣ ଖାରଜ କରିଛନ୍ତି। ବିରାଟ୍ କହିଛନ୍ତି, ଏଭଳି ଖବର ମୁଁ ବାହାରୁ ଶୁଣିବାକୁ ପାଇଲି। ଏହି ଖବରରେ ଟିକେ ବି ସତ୍ୟତା ନାହିଁ। ଆମେ ଦୁହେଁ ପ୍ରାୟ ୧୦ ବର୍ଷ ହେବ ଏକାଠି ଖେଳିଆସୁଛୁ ଏବଂ ଯେଉଁଭଳି ଖବର ବର୍ତ୍ତମାନ ଶୁଣିବାକୁ ମିଳୁଛି, ସେଭଳି କିଛି ବି ହୋଇନାହିଁ। ବିରାଟଙ୍କ ବ୍ୟତୀତ କୋଚ୍ ରବି ଶାସ୍ତ୍ରୀ ମଧ୍ୟ ଏଭଳି ଖବରକୁ ବକବାସ୍ ବୋଲି କହିଛନ୍ତି।

ବିଶ୍ୱକପ୍ ସେମିଫାଇନାଲରେ ନ୍ୟୁଜିଲ୍ୟାଣ୍ଡଠାରୁ ହାରିବା ପରେ ଭାରତୀୟ ଟିମରେ ବିବାଦ ଥିବା ଚର୍ଚ୍ଚା ହୋଇଥିଲା। ବିଶେଷକରି କ୍ୟାପଟେନ୍ ବିରାଟ୍ ଓ ରୋହିତଙ୍କ ଉପରେ ମତଭେଦ ଥିବା ଖବର ଶୁଣିବାକୁ ମିଳିଥିଲା। ଏହି ମାମଲାରେ ମୁହଁ ଖୋଲି ବିରାଟ୍ କହିଛନ୍ତି, “ମୁଁ ଗଣମାଧ୍ୟମରେ ବହୁତ ଖବର ଶୁଣିବାକୁ ପାଇଥିଲି। କିନ୍ତୁ ମୁଁ ଏତିକି କହିବି ଯେ ଟିମର ପରିବେଶ ଠିକ୍ ଅଛି ଏବଂ ଏହି କାରଣରୁ ଟିମ୍ ଭଲ ପ୍ରଦର୍ଶନ କରୁଛି। ଯଦି ଟିମ୍ ଭିତରେ କିଛି ବି ଠିକଠାକ୍ ନଥାନ୍ତା, ତାହେଲେ ଆମେ କୌଣସି ସଫଳତା ହାସଲ କରିପାରିନଥାନ୍ତୁ। ବିଶ୍ୱ କ୍ରିକେଟର ଶୀର୍ଷରେ ପହଞ୍ଚିବାକୁ ହେଲେ, ଉତ୍ତମ ବୁଝାମଣା ରହିବା ନିହାତି ଆବଶ୍ୟକ। ଏହା ବିନା କିଛି ବି ହୋଇପାରିବ ନାହିଁ। ତେଣୁ ରୋହିତଙ୍କୁ ନେଇ ଯେଉଁ ଖବର ଶୁଣିବାକୁ ମିଳୁଛି, ତାହା ସମ୍ପୂର୍ଣ୍ଣ ହାସ୍ୟାସ୍ପଦ।”