Odia News Portal

ଖାଦ୍ୟ ଯୋଗାଣ ଦିଗରେ ପ୍ରାଣୀ ସମ୍ପଦ ବିଭାଗର ଗୁରୁତ୍ୱପୂର୍ଣ୍ଣ ଭୂମିକା

ଭୁବନେଶ୍ୱର () କୋଭିଡ-୧୯ ପରିସ୍ଥିତିରେ ଚାଷୀଙ୍କ ଆୟ ବୃଦ୍ଧି ସହିତ ପୁଷ୍ଟିକର ଖାଦ୍ୟ ଯୋଗାଣ ଦିଗରେ ପ୍ରାଣୀ ସମ୍ପଦ ବିଭାଗର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ବିଭାଗ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ସମସ୍ତ ଯୋଜନା ଓ ପ୍ରକଳ୍ପଗୁଡ଼ିକୁ ତ୍ୱରାନ୍ୱିତ କରିବା ପାଇଁ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡଃ ଅରୁଣ କୁମାର ସାହୁ ନିର୍ଦ୍ଦେଶ ଦେଇଛନ୍ତି । ଆଜି ଲୋକସେବା ଭବନଠାରେ ପ୍ରାଣୀ ସମ୍ପଦ ବିକାଶ କ୍ଷେତ୍ରରେ ବିଭିନ୍ନ ଯୋଜନାର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବା ଅବସରରେ ଅଧିକରୁ ଅଧିକ ଚାଷୀମାନଙ୍କୁ ପ୍ରାଣୀ ସମ୍ପଦ କ୍ଷେତ୍ରକୁ ଆକୃଷ୍ଟ କରିବା ପାଇଁ ପ୍ରଚାର ପ୍ରସାର କାର୍ଯ୍ୟ ଉପରେ ମନ୍ତ୍ରୀ ଗୁରୁତ୍ୱ ପ୍ରଦାନ କରିଥିଲେ । ରାଜ୍ୟର ଥିବା ସମସ୍ତ କୁକୁଡ଼ା ଚିଆଁ ଉତ୍ପାଦନ କେନ୍ଦ୍ରକୁ ଜୁଲାଇ ୩୧ ତାରିଖ ସୁଦ୍ଧା କାର୍ଯ୍ୟକ୍ଷମ କରିବା ପାଇଁ ମନ୍ତ୍ରୀ ଡଃ ସାହୁ ନିର୍ଦ୍ଦେଶ ଦେଇଥିଲେ ।

କୋଭିଡ-୧୯ ପରିସ୍ଥିତରେ ରାଜ୍ୟରେ କୁକୁଡ଼ା ଚାଷକୁ ପ୍ରୋତ୍ସାହିତ କରିବା, ମାଂସ ଓ ଅଣ୍ଡା ଉତ୍ପାଦନ ବୃଦ୍ଧି କରି ଖାଦ୍ୟ ସୁରକ୍ଷାକୁ ସୁନିଶ୍ଚିତ କରିବା ସହିତ ଲୋକମାନଙ୍କ ରୋଜଗାରର ସୁଯୋଗ ସୃଷ୍ଟି କରିବା ପାଇଁ ବିଭିନ୍ନ ଯୋଜନା ଚାଲୁ କରାଯାଉଛି । ରାଜ୍ୟ ଯୋଜନା ଅନ୍ତର୍ଗତ ଏକକାର୍ଯ୍ୟକ୍ରମରେ ୬୫୬ ଜଣ ଚାଷୀଙ୍କୁ ଅଣ୍ଡାଦିଆ କୁକୁଡ଼ା ଚାଷ କରିବା ନିମନ୍ତେ ପ୍ରୋତ୍ସାହନ ଯୋଗାଇ ଦିଆଯିବ। ଏହି ଯୋଜନାରେ ହିତାଧିକାରୀଙ୍କୁ ୪୦ ପ୍ରତିଶତ ରିହାତି ଦିଆଯିବାର ବ୍ୟବସ୍ଥା ରହିଛି । ଏହାମାଧ୍ୟମରେ ରାଜ୍ୟରେଦୈନିକ ପ୍ରାୟ ୫ ଲକ୍ଷ ଅଧିକ ଅଣ୍ଡା ଉତ୍ପାଦନ ହୋଇ ପାରିବ । ସେହିପରି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଡିପ୍‌ଲିଟର ପଦ୍ଧତିରେ ଅଣ୍ଡାଦିଆ କୁକୁଡ଼ା ଚାଷକୁ ପ୍ରୋତ୍ସାହିତ କରିବା ପାଇଁ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରାଯାଇଛି । ଏଥିରେ ୧୦୦୨ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଅନ୍ତର୍ଭୁକ୍ତ କରାଯିବ ଏବଂ ଏହା ମାଧ୍ୟମରେ ୧୦ ହଜାର ୨୦ଜଣ ହିତାଧିକାରୀ ଉପକୃତ ହେବେ । ଏଥିରେ ୫୦ ପ୍ରତିଶତ ସବ୍‌ସିଡିର ବ୍ୟବସ୍ଥା ରହିଥିବା ବେଳେ ଦିନକୁ ୧.୫ ଲକ୍ଷ ଅଧିକ ଅଣ୍ଡା ଉତ୍ପାଦନର ଲକ୍ଷ୍ୟ ରଖାଯାଇଛି । ଅନ୍ୟ ଏକ ଯୋଜନାରେ ପ୍ରବାସୀ ଶ୍ରମିକ ଏବଂ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କୁ ରୋଜଗାର ଯୋଗାଇ ଦେବାନିମନ୍ତେ ବ୍ରଏଲର କୁକୁଡ଼ା ପାଳନର ଲକ୍ଷ୍ୟ ରଖାଯାଇଛି । ଏଥିରେ ୧୫୩୫ ଜଣ ହିତାଧିକାରୀଙ୍କୁ ଅନ୍ତର୍ଭୁକ୍ତ କରାଯିବ ଏବଂ ୪୦ ପ୍ରତିଶତ ରିହାତି ଯୋଗାଇ ଦିଆଯିବ। ଏହାଦ୍ୱାରା ବର୍ଷକୁ ୨୭୦୭୫ ମେଟ୍ରିକ୍‌ ଟନ ଅଧିକ ମାଂସ ଉତ୍ପାଦନ ହୋଇପାରିବ।

ଏଥିସହିତ ବାରି ଅଗଣାରେ କୁକୁଡ଼ା ପାଳନ ମାଧ୍ୟମରେ ଗ୍ରାମାଞ୍ଚଳ ଲୋକମାନଙ୍କର ଆୟବୃଦ୍ଧି କରିବାର ପ୍ରଭୂତ ସୁଯୋଗ ରହି ଥିବାରୁ ଏହାକୁ ଅଧିକ ପ୍ରୋତ୍ସାହିତ କରିବାର ଆବଶ୍ୟକତା ରହିଛି ବୋଲି ମନ୍ତ୍ରୀ ଡଃ ସାହୁ କହିଥିଲେ ।
ସେହିପରି ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ପ୍ରାଣୀ ସମ୍ପଦ ବିକାଶ କ୍ଷେତ୍ରରେ ବିଭିନ୍ନ ପ୍ରକଳ୍ପ ନିର୍ମାଣ କରିବା ନିମନ୍ତେ ଆବେଦନ କରିଥିବା ଉଦ୍ୟୋଗୀମାନେଯେପରି ଆବଶ୍ୟକୀୟ ବ୍ୟାଙ୍କ ଋଣ ପାଇ ପାରିବେ, ସେଥିନିମନ୍ତେ ନିୟମିତ ତଦାରଖ କରିବା ଉପରେ ମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ଏଥିନିମନ୍ତେ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟିର ଆବାହକ ଏବଂ ଆପିକଲର ପରିଚାଳନା ନିର୍ଦ୍ଦେଶକଙ୍କ ସହିତ ସ୍ୱତନ୍ତ୍ର ବୈଠକ କରି ଋଣ ପ୍ରଦାନ ପ୍ରକି୍ରୟାକୁ ତ୍ୱରାନ୍ୱିତ କରାଯିବ ।

ରାଜ୍ୟ ଅର୍ଥନୀତିରେ ପ୍ରାଣୀସମ୍ପଦ ବିକାଶର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଏଥିନିମନ୍ତେ ପ୍ରାଣୀପାଳକଙ୍କ ନିକଟରେ ସୂଚନା ଓ ଜ୍ଞାନ ଉପଲବ୍ଧ ହେବା ଜରୁରୀ ଅଟେ । ତେଣୁ ସେମାନଙ୍କ ନିକଟରେ ସୂଚନା ପ୍ରଦାନ ନିମନ୍ତେ ସାମାଜିକ ଗଣମାଧ୍ୟମ, ହ୍ୱାଟସ୍‌ଆପ୍‌ , ଫେସ୍‌ବୁକ୍‌, ଟୁଇଟର ଆଦିର ବହୁଳ ଉପଯୋଗ କରିବା ଉପରେ ଡଃ ସାହୁ ଗୁରୁତ୍ୱାରୋପ କରିଥିଲେ । ଏହାଦ୍ୱାରା ଚାଷୀମାନଙ୍କ ନିକଟରେ ସିଧାସଳଖ ପହଞ୍ଚି ହେବ ବୋଲି ମନ୍ତ୍ରୀ ଡଃ ସାହୁ କହିଥିଲେ ।

ଏଥିସହିତ ବୈଠକରେ ଗାଇଗୋରୁଙ୍କ ଟୀକାକରଣ, ଔଷଧ ଯୋଗାଣ ଏବଂ ପଶୁ ଚିକିତ୍ସା କେନ୍ଦ୍ରଗୁଡ଼ିକର ଉନ୍ନତିକରଣ ଆଦି ବିଷୟରେ ସମୀକ୍ଷା କରାଯାଇଥିଲା ।
ବୈଠକରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ଆର୍‌. ରଘୁପ୍ରସାଦ, ପ୍ରାଣୀ ପାଳନ ଓ ପ୍ରାଣୀ ଚିକିତ୍ସା ନିର୍ଦ୍ଦେଶକ ଶ୍ରୀ ରନିାକର ରାଉତଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ ।