Odia News Portal

ସ୍ମାର୍ଟ ସିଟିର ୯ ପ୍ରମୁଖ ରାସ୍ତାର ହେବ ନବକଳେବର

ଭୁବନେଶ୍ବର() ଆରାମରେ ଚାଲିବେ ପଥଚାରୀ। ନା ଟ୍ରାଫିକ୍‌ ଟେନସନ୍‌ ନା ଦୁର୍ଘଟଣାର ଭୟ। ସୁସ୍ଥ ପରିବେଶ ଭିତରେ ବାଟ ଚାଲିବେ ପଥଚାରୀ। ବିଶ୍ରାମ ପାଇଁ ସବୁଜିମା ଭରା ପ୍ରଶସ୍ତ ସ୍ଥାନ ବି ରହିବ। ସାଇକେଲ୍‌ ଚାଳକ ମଧ୍ୟ ବେଶ୍‌ ଆରାମରେ ସ୍ୱତନ୍ତ୍ର ଟ୍ରାକ୍‌ରେ ଯାତାୟାତ କରିପାରିବେ। ରାଜଧାନୀର ୯ଟି ପ୍ରମୁଖ ରାସ୍ତାକୁ ଏଭଳି ସ୍ମାର୍ଟ ରୂପ ଦେବା ପାଇଁ ଅଭିନବ ଯୋଜନା ହୋଇଛି।

ଭୁବନେଶ୍ୱର ସ୍ମାର୍ଟ ସିଟି ଲିଃ (ବିଏସସିଏଲ୍‌) ଓ ପୂର୍ତ୍ତ ବିଭାଗ ମିଳିତ ଭାବେ ଏହି ଯୋଜନାକୁ ସାକାର ରୂପ ଦେବେ। ସିଟିଜ୍‌ ଯୋଜନାରେ ଭୁବନେଶ୍ୱର ସ୍ମାର୍ଟ ସିଟିରେ ବିଭିନ୍ନ ରାସ୍ତାର ନବକଳେବର କରାଯିବ। ଗାଡ଼ିମୋଟର ଚଳାଚଳ କରୁଥିବା ଲେନ୍‌ ବାଦ୍‌ ଏହାର ପାଶ୍ୱର୍ରେ ଥିବା ଖାଲି ସ୍ଥାନକୁ ଏଭଳି ବିକଶିତ କରାଯିବ, ଯେପରି ପଥଚାରୀ ଓ ସାଇକେଲ୍‌ ଚାଳକ ଆରାମରେ ଯାତାୟାତ କରିପାରିବେ। ଏହି ଯୋଜନାରେ ରାଜଧାନୀର ୯ଟି ପ୍ରମୁଖ ରାସ୍ତାର ମୋଟ ୧୬.୬ କିଲୋମିଟର ଅଂଶକୁ ଉନ୍ନତିକରଣ କରାଯିବ।

ସଚିବାଳୟ ମାର୍ଗର ୪.୭୦ କିମି, ବିଦ୍ୟୁତ୍‌ ମାର୍ଗ ୨.୯୫ କିମି, ରାଜପଥର ୯୪ ମିଟର, ମହାତ୍ମା ଗାନ୍ଧି ମାର୍ଗର ୯୦ ମିଟର, ଗୋପବନ୍ଧୁ ମାର୍ଗର ୮୯ ମିଟର, ମଧୁସୂଦନ ମାର୍ଗର ୮୯ ମିଟର, ଉଦ୍ୟାନ ମାର୍ଗର ୯୧ ମିଟର, ବାୟାବାବା ମଠ ମାର୍ଗର ୧.୭୪ କିମି ଓ ଏକାମ୍ର ମାର୍ଗର ୨.୭୧ କିମି ଅଂଶର ଡିଜାଇନ୍‌ ବଦଳିବ। ଏହାକୁ ପଥଚାରୀ, ସାଇକେଲ ଚାଳକଙ୍କୁ ସୁହାଇଲା ଭଳି ନିର୍ମାଣ କରାଯିବ।

ସବୁଠୁ କଥା ହେଲା, ଏସବୁ ରାସ୍ତାର ନବକବେଳର କାର୍ଯ୍ୟରେ କୌଣସି ସବୁଜିମାକୁ ବଳି ଦିଆଯିବ ନାହିଁ। ବରଂ ନୂଆ ସବୁଜିମା ସୃଷ୍ଟି କରାଯିବ। ଖାଲି ସ୍ଥାନ ସୃଷ୍ଟି କରାଯିବ, ଯାହାକୁ ସବୁଜିମାରେ ସଜାଯିବ। ଯେଉଁଠି ଖାଲି ସ୍ଥାନ ଅଛି, ତାହାକୁ ବିକଶିତ କରାଯିବ। ପଥଚାରୀଙ୍କ ପାଇଁ ଉଦ୍ଦିଷ୍ଟ ଟ୍ରାକ୍‌କୁ ଏଭଳି ରୂପ ଦିଆଯିବ, ଯେପରି ଚାଲିବାକୁ ଲୋକେ ପସନ୍ଦ କରିବେ । ଏଥିପାଇଁ ଅତ୍ୟାଧୁନିକ ଟେକ୍ନୋଲୋଜି ବ୍ୟବହାର ହେବ। ଏହି ପ୍ରକଳ୍ପକୁ କାର୍ଯ୍ୟକାରୀ କରିବା ପାଇଁ ଖୁବଶୀଘ୍ର ବିଏସସିଏଲ୍‌ ଏବଂ ପୂର୍ତ୍ତ ବିଭାଗ ମଧ୍ୟରେ ଚୁକ୍ତିନାମା ସ୍ୱାକ୍ଷରିତ ହେବ । ଏହି ପ୍ରକଳ୍ପ ପାଇଁ ୫୧ କୋଟି ୭୦ କୋଟି ଆକଳନ କରାଯାଇଛି।