Odia News Portal

‘ଏକାମ୍ର ଯୋଜନା’ ପାଇଁ ଗଠନ ହେଲା ପ୍ରକଳ୍ପ ଉପଦେଷ୍ଠା କମିଟି

ଭୁବନେଶ୍ୱର: ଲିଙ୍ଗରାଜ ମନ୍ଦିରର ଚତୁଃପାଶ୍ୱର୍ର ଉନ୍ନତି କରଣ ଲାଗି ଗଠନ ହୋଇଛି ପ୍ରକଳ୍ପ ଉପଦେଷ୍ଟା କମିଟି । ପ୍ରାୟ ଦେଢ଼ ବର୍ଷ ହେଲା ଏହି ପ୍ରକଳ୍ପ କାର୍ଯ୍ୟକାରୀ ହୋଇଥିଲେ ହେଁ ଏର୍ଯ୍ୟନ୍ତ ଏହାର ଚୂଡ଼ାନ୍ତ ରୂପରେଖ ପ୍ରସ୍ତୁତ ହୋଇପାରିନି। ଏବେ ଏହି ଯୋଜନାରେ ଯେପରି ଏକାମ୍ର କ୍ଷେତ୍ରର ୮୦ଏକର ଅଞ୍ଚଳର ଉନ୍ନତୀକରଣ ହେବ, ବିଭିନ୍ନ ଐତିହ୍ୟ ଓ କୀର୍ତ୍ତିରାଜିର ସଂରକ୍ଷଣ ହୋଇପାରିବ ସେନେଇ ବିଭିନ୍ନ ପ୍ରସ୍ତାବ ଦେବା ଓ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ସରକାର ଏକ ପ୍ରକଳ୍ପ ଉପଦେଷ୍ଟା କମିଟି (ପିଏସି) ଗଠନ କରିଛନ୍ତି। ଓଡ଼ିଆ ଶିଳ୍ପୋଦ୍ୟୋଗୀ ସନ୍ତୃପ୍ତ ମିଶ୍ରଙ୍କୁ ଏହି କମିଟିର ଅଧ୍ୟକ୍ଷ କରାଯାଇଛି। ଆଜି ଏନେଇ ପୂର୍ତ୍ତ ସଚିବ କ୍ରିଷନ କୁମାର ବିଜ୍ଞପ୍ତି ଜାରି କରିଛନ୍ତି। ପୂର୍ତ୍ତ ବିଭାଗ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଓଡ଼ିଆ ଉଦ୍ୟୋଗୀ ତଥା ଆଦିତ୍ୟ ବିର୍ଲା ଗ୍ରୁପ୍ର ବିର୍ଲା କାର୍ବନର ସିଇଓ ସନ୍ତୃପ୍ତ ମିଶ୍ରଙ୍କୁ ଏହି କମିଟିର ଅଧ୍ୟକ୍ଷ କରାଯାଇଛି।

କମିଟିରେ ବିଶିଷ୍ଟ ସ୍ଥପତି ପଦ୍ମ ବିଭୂଷଣ ଡ. ସୁଦର୍ଶନ ସାହୁ ବି ରହିଛନ୍ତି । ଏହି କମିଟିରେ ପୂର୍ତ୍ତ ବିଭାଗ ସଚିବ ଡା. କ୍ରିଷନ କୁମାରଙ୍କ ସହ ଦେବୋତ୍ତର କମିଶନର, ଆରଡିସି, ବିଏମ୍ସି କମିଶନର, ଏଏସଏଆଇ ଅଧୀକ୍ଷକ, ଆଇନ ବିଭାଗର ଅତିରିକ୍ତ ସଚିବ(ଶ୍ରୀଲିଙ୍ଗରାଜ ମନ୍ଦିର ପ୍ରଶାସନ ଦାୟିତ୍ୱ), ଭୁବନେଶ୍ୱର ଡିସିପି, ସଂସ୍କୃତି ବିଭାଗ କିମ୍ବା ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗ ନିର୍ଦ୍ଦେଶକ, ଖୋର୍ଦ୍ଧା ଜିଲ୍ଲାପାଳ ଅଛନ୍ତି । ଓଡ଼ିଶା ସେତୁ ଓ ନିର୍ମାଣ ନିଗମ ପରିଚାଳନା ନିର୍ଦ୍ଦେଶକ କମିଟିର ଆବାହକ ରହିଛନ୍ତି । କମିଟିରେ ମନ୍ଦିର ସେବାୟତଙ୍କ ମଧ୍ୟରୁ ୩ଜଣ ରହିବେ । ସଂସ୍କୃତି ଏବଂ ଐତିହ୍ୟ କ୍ଷେତ୍ରରେ ସୁନାମଧନ୍ୟ ଦୁଇ ଜଣଙ୍କୁ ରାଜ୍ୟ ସରକାର ମନୋନୀତ କରିବେ । ସେହିପରି ଐତିହ୍ୟ, କୀର୍ତ୍ତିରାଜି ସଂରକ୍ଷଣରେ ଅଭିଜ୍ଞ ଓ ଦକ୍ଷତା ଥିବା ୨ଜଣଙ୍କୁ କମିଟିରେ ରଖାଯିବ । ଏକାମ୍ର ଯୋଜନା ପ୍ରକଳ୍ପକୁ କାର୍ଯ୍ୟକାରୀ କରିବାରେ ଏହି କମିଟି ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇବ । ପ୍ରକଳ୍ପର ବିଭିନ୍ନ ଦିଗକୁ କମିଟି ଅନୁଧ୍ୟାନ କରିବ । ପ୍ରକଳ୍ପ ବାବଦରେ ଆବଶ୍ୟକୀୟ ପରାମର୍ଶ ଦେବ । ପ୍ରକଳ୍ପ କାର‌୍ୟ୍ୟକାରୀ ହେବା ପାଇଁ ନିର୍ମାଣକାରୀ ସଂସ୍ଥା ଓ ବିଭାଗକୁ ବାଟ ଦେଖାଇବ ଏହି କମିଟି । ନିୟମିତ ବ୍ୟବଧାନରେ କମିଟି ବୈଠକ ବସିବ । ଏଥିରେ ପ୍ରକଳ୍ପ ବାବଦରେ ଆଲୋଚନା ହେବ ।