Odia News Portal

ପୁଣି ସକ୍ରିୟ ହେବ ମୌସୁମୀ

ଭୁବନେଶ୍ୱର: ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ସାଇକ୍ଲୋନିକ ସର୍କୁଲେସନ ସୃଷ୍ଟି ହୋଇଛି । ଏହା ଆସନ୍ତା ୪୮ ଘଣ୍ଟା ଅର୍ଥାତ ଅଗଷ୍ଟ ୧୭ ସୁଦ୍ଧା ଏକ ଲଘୁଚାପରେ ପରିଣତ ହେବ ବୋଲି ଉଭୟ ଭାରତୀୟ ପାଣିପାଗ ବିଭାଗ ଓ ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ୍ ପୂର୍ବାନୁମାନ କରିଛନ୍ତି । ଏହି ଲଘୁଚାପ ପ୍ରଭାବରେ ଅଗଷ୍ଟ ପ୍ରଥମ ଭାଗରେ ଦେଖାଦେଇଥିବା ବୃଷ୍ଟି ଅଭାବ ଦୂର ହେବା ଆଶା କରାଯାଉଛି ।

ଏହି ଲଘୁଚାପ ପ୍ରଭାବରେ ଓଡ଼ିଶା, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଛତିଶଗଡ଼, ପୂର୍ବ ଗୁଜୁରାଟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହି ଲଘୁଚାପକୁ ଦୃଷ୍ଟିରେ ରଖି ଆସନ୍ତା ୨୦ ତାରିଖ ପର୍ଯ଼୍ୟନ୍ତ ଓଡ଼ିଶାର ଦକ୍ଷିଣ, ପଶ୍ଚିମ, ଆଭ୍ୟନ୍ତରୀଣ ଓ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ଆଇଏମଡି ପକ୍ଷରୁ ହଳଦିଆ ସତର୍କତା ଜାରି କରାଯାଇଛି । ଏହା ସହିତ ଲଘୁଚାପ ପ୍ରଭାବରେ ସମୁଦ୍ର ଅଶାନ୍ତ ରହିବାର ସମ୍ଭାବନା ଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ନଯିବାକୁ ପରାମର୍ଶ ଦିଆଯାଇଛି ।