Odia News Portal

ସେବାୟତଙ୍କ ଲାଗି ସ୍ବତନ୍ତ୍ର ମାସ୍କ, ୩ରଥର ରଙ୍ଗରେ ହେବ ତିଆରି

ଭୁବନେଶ୍ୱର()ମହାପ୍ରଭୁଙ୍କ ସେବାରେ ନିୟୋଜିତ ହେବ ବୟନିକା । ଶ୍ରୀମନ୍ଦିରର ସେବାୟତ ପିନ୍ଧିବେ ବୟନିକା ଦ୍ୱାରା ବାନ୍ଧ ବସ୍ତ୍ରରେ ପ୍ରସ୍ତୁତ ମାସ୍କ । ଏଥିପାଇଁ ୫ହଜାର ମାସ୍କ ପ୍ରସ୍ତୁତ ହେଉଛି । ତା’ପୁଣି ୩ ରଥର କପଡ଼ା ରଙ୍ଗରେ । ତିନି ପ୍ରକାର ଡିଜାଇନ୍‌ରେ ତିଆରି ହେବ ମାସ୍କ ବୋଲି ବୟନିକା ପକ୍ଷରୁ ସୂଚନା ମିଳିଛି । ତା’ର ଡିଜାଇନ୍‌ ଫାଇନାଲ୍‌ ହୋଇ ଏବେ ମାସ୍କ ପ୍ରସ୍ତୁତ ପାଇଁ ଯାଇଛି । ଖୁବ୍‌ଶୀଘ୍ର ଏହା ସେବାୟତଙ୍କ ପାଖରେ ପହଞ୍ଚିବ ।

ସେବାୟତଙ୍କ ସୁରକ୍ଷା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପ୍ରତ୍ୟେକ ସେବାୟତଙ୍କୁ ମାସ୍କ ଯୋଗାଇ ଦେବା ପାଇଁ ସ୍ଥିର କରିଛନ୍ତି । ଏହି ମାସ୍କ ଓଡ଼ିଶାର ପ୍ରସିଦ୍ଧ ବାନ୍ଧ ବସ୍ତ୍ରରେ ତିଆରି କରି ବୟନିକା ଦ୍ୱାରା ଯୋଗାଇ ଦେବା ପାଇଁ ସରକାରୀ ସ୍ତରରେ ସ୍ଥିରୀକୃତ ହୋଇଛି । ଶ୍ରୀଜଗନ୍ନାଥ ମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ମନ୍ଦିର ପ୍ରଶାସନ ବୟନିକାକୁ ୫ହଜାର ମାସ୍କ ଯୋଗାଇ ଦେବା ପାଇଁ ଅନୁରୋଧ କରିଛନ୍ତି । ଯାହାକୁ ବୟନିକା କର୍ତ୍ତୃପକ୍ଷ ସାଦରେ ସ୍ୱୀକୃତି ଜଣାଇ ଆଜିଠାରୁ ଉକ୍ତ ମାସ୍କ ତିଆରି ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ।

ରଥଯାତ୍ରା ପୂର୍ବରୁ ଶ୍ରୀମନ୍ଦିରକୁ ମାସ୍କ ଯୋଗାଇ ଦେବାକୁ ବୟନିକା ବଦ୍ଧ ପରିକର । ତିନି ରଥର କପଡ଼ାର ରଙ୍ଗକୁ ଆଧାରିତ କରି ମାସ୍କ ପ୍ରସ୍ତୁତ ହେଉଛି । ଏହାର ଡିଜାଇନ୍‌ ମଧ୍ୟ ତିନି ପ୍ରକାରର ହେବ । ଯଥା ନାଲି-ହଳଦିଆ, କଳା-ନାଲି ଓ ସବୁଜ-ନାଲି ।