Odia News Portal

ପୋଲିସ କମିଶନରଙ୍କୁ ବଦନାମ ପଛରେ ଷଡଯନ୍ତ୍ରର ଗନ୍ଧ

ଭୁବନେଶ୍ୱର ()  ରାଜଧାନୀ ଲଗାତାର ଭାବେ ଛୋଟ ବଡ ଅପରାଧ ଘଟୁଥିବାବେଳେ ଏହାକୁ ବଳିଗଲାଣି ପୁଲିସ୍‍ ବାବୁମାନଙ୍କ ମଧ୍ୟରେ ଚାଲିଥିବା ଶୀତଳଯୁଦ୍ଧ । ବିଶେଷକରି ସବୁ ଘଟଣା ପାଇଁ ପୁଲିସ୍‍ କମିଶନରଙ୍କ ମୁଣ୍ଡରେ ଯେଭଳି ନଡିଆ ଭଙ୍ଗା ଯାଉଛି ତାହା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏହା ଦେଖିଲା ପରେ ପ୍ରାୟ ସବୁ ଦୁର୍ଘଟଣା ପରେ ଯେଭଳି ତାହାର ଜୋରଦାର ପ୍ରଚାର ହେଉଛି ସେଥିରୁ ଷଡଯନ୍ତ୍ରର ଗନ୍ଧ ବାରିହୋଇ ପଡୁଥିବାବେଳେ କିଛି ଘର ଢିଙ୍କି ଏବେ କୁମ୍ଭୀର ସାଜିଥିବା ଆଲୋଚନା ହେଉଛି ।

କମିଶନରଟ ପୁଲିସ୍‍ରେ ମୁଖ୍ୟତଃ ଆଇନ୍‍ଶୃଙ୍ଖଳା ରକ୍ଷା ଦାୟିତ୍ୱରେ ହେଉଛି ଥାନା ଇନ୍ସପେକ୍ଟର, ଜୋନ୍‍ ଏସିପି ଓ ଡିସିପିମାନଙ୍କର । ବିଶେଷକରି କେଉଁ ଥାନା ଅଞ୍ଚଳର କ’ଣ ସବୁ ଘଟୁଛି ସେ ସଂକ୍ରାନ୍ତରେ ଇନ୍ସପେକ୍ଟରମାନେ ହିଁ ଅବଗତ ଥାନ୍ତି । ହେଲେ ଗତ କିଛିଦିନ ହେଲା ଲକ୍ଷ୍ୟ କରାଯାଉଛି ଯେ ପ୍ରାୟତଃ ସବୁ ଘଟଣା ପାଇଁ ସିପିଙ୍କୁ ଦାୟୀ କରାଯାଉଛି । ଗଣମାଧ୍ୟମଗୁଡିକ ମଧ୍ୟ ପ୍ରତି କଥାରେ ସିପିଙ୍କୁ ପ୍ରଶ୍ନ କରୁଛନ୍ତି । ଏ କ୍ଷେତ୍ରରେ ସମ୍ପୃକ୍ତ ଥାନାଧିକାରୀ, ଜୋନ୍‍ ଏସିପିମାନେ ଏକ ପ୍ରକାର ସୁନାପିଲା ପାଲଟି ଯାଉଛନ୍ତି । ଯଦିଓ କମିଶନରେଟ ପୁଲିସ୍‍ର ମୁଖିଆ ହେଉଛନ୍ତି ପୁଲିସ୍‍ କମିଶନର ହେଲେ ଚେନ୍‍ଛିଣ୍ଡା, ପକେଟମାର ଆଦିଙ୍କୁ ଧରିବା ବା ଜଗିବା ତାଙ୍କର ପ୍ରତ୍ୟକ୍ଷ କାର୍ଯ୍ୟ ନୁହେଁ ।

ନିକଟରେ ରାଜଧାନୀରେ ଘଟିଥିବା କେତୋଟି ଘଟଣାକୁ ଉଦାହରଣ ଭାବେ ନିଆଯାଇପାରେ । ମଞ୍ଚେଶ୍ୱର ଥାନା ଅଧିନରେ ଅଳ୍ପଦିନ ତଳେ ନକଲି ମୋବିଲ ତିଆରି କାରଖାନା ଠାବ ହେଲା । ଦୁଇ ତିନିଦିନ ତଳେ ରସୁଲଗଡ ଛକ ନିକଟରୁ ଦୁଇଜଣ ଦୁର୍ବୁତ୍ତ ଗୋଟିଏ ଝିଅର ପର୍ସ ଓ ମୋବାଇଲ ଛଡାଇନେଲେ । ଏହିସବୁ ଘଟଣାରେ ଅଧିକାଂଶ ଗଣମାଧ୍ୟମ ସେହିଅଞ୍ଚଳ ଦାୟିତ୍ୱରେ ଥିବା ଏସିପି କିମ୍ବା ଇନ୍ସପେକ୍ଟରଙ୍କୁ ଯେଭଳି ପ୍ରଶ୍ନ କରିବାକଥା ତାହା କଲେ ନାହିଁ । ରାଜଧାନୀ ହେଉ ବା ଅନ୍ୟ କୌଣସି ଅଞ୍ଚଳ ହେଉ ନିଜ ନିଜ ଥାନା ଇଲାକାକୁ ଜଗିବା ଦାୟିତ୍ୱ ହେଉଛି ଇନ୍ସପେକ୍ଟରମାନଙ୍କର । ହେଲେ ଏବେ ଅଧିକାଂଶ ଇନ୍ସପେକ୍ଟର ନିଜ ଦାୟି୍‍ତ୍ୱକୁ ଅନ୍ୟ ମୁଣ୍ଡରେ ଥୋଇ ଦେଉଥିବା ଲକ୍ଷ୍ୟ କରାଯାଉଛି ।

ବିଧାନସଭା ଅଧିବେଶନ ଚାଲିଥିବାବେଳେ ରାସ୍ତା ଉପରେ ହଠାତ୍‍ ମାନସିକ ରୋଗଗ୍ରସ୍ତ ପୁଅ ନିଜ ମା’ ବେକରେ ଛୁରୀ ଲଗାଇ ହତ୍ୟା ଧମକ ଦେବା ସହିତ ହାଇଡ୍ରାମା କଲା । ସେଠାରେ ଛୋଟ ବଡ ଅନେକ ପୁଲିସ୍‍ ଅଧିକାରୀ ଥିଲେ । ହେଲେ ଏହି ଘଟଣା ପାଇଁ ଡିସିପିଙ୍କୁ ସେଠାକୁ ଆସି ଗଣମାଧ୍ୟମକୁ ସାମ୍ନା କରିବାକୁ ପଡିଲା । ଅବଶ୍ୟ ରାଜଧାନୀର ପୁଲିସ୍‍ ମୁଖ୍ୟ ଭାବେ ଡିସିପି ଉତ୍ତରଦାୟୀ, ହେଲେ ଯେଉଁଭଳି ଢଙ୍ଗରେ ପ୍ରତି କଥାରେ ଏବେ ସିପିଙ୍କୁ ଦାୟୀ କରାଯାଉଛି ତାହା ପଛରେ ଧିରେ ଧିରେ ବଡ ଷଡଯନ୍ତ୍ର ଥିବା ସନ୍ଦେହ ହେବାରେ ଲାଗିଛି ।

ହେଉଥିବା ଆଲୋଚନା ଅନୁଯାୟୀ କମିଶନରେଟ ପୁଲିସ୍‍ ବିଶେଷକରି ପୁଲିସ୍‍ କମିଶନରଙ୍କୁ ବଦନାମ କରିବାପାଇଁ ରୀତିମତ ଗୋଟିଏ ଗୋଷ୍ଠି ଲାଗି ପଡିଛନ୍ତି । ସିପିଙ୍କ ନାଁରେ ଯେହେତୁ କୌଣସି ଦୁର୍ନୀତି ଅଭିଯୋଗ ନାହିଁ ତେଣୁ ତାଙ୍କୁ ଏହି ଉପାୟରେ ବଦନାମ ପାଇଁ କ୍ଷେତ୍ର ପ୍ରସ୍ତୁତ ହୋଇଛି । ଆଉ ଏହି ବଦନାମ ଷଡଯନ୍ତ୍ରରେ କିଛି ଥାନାର ବଡବାବୁ ଯେଉଁମାନଙ୍କର କି ଗଣମାଧ୍ୟମ ସହିତ ଦିନ ରାତି ବସାଉଠା ରହିଛି ସେମାନେ ନେତୃତ୍ୱ ନେଉଛନ୍ତି । ରାଜଧାନୀର ଆଇନ୍‍ଶୃଙ୍ଖଳା ବିଗିଡିବାର ଏହା ଅନ୍ୟତମ କାରଣ ବୋଲି କୁହାଗଲାଣି । ତେଣୁ ବେଳ ଥାଉ ଥାଉ ସିପି ଏଥିପ୍ରତି ଦୃଷ୍ଟି ଦେବା ଆବଶ୍ୟକ । ନହେଲେ ଖାଲି ଆଇନ୍‍ ଶୃଙ୍ଖଳା ବ୍ୟବସ୍ଥା ବିଗିଡିବ ନାହିଁ, ସିଏ ମଧ୍ୟ ନିଜେ ଶୁଖିଲାରେ ଗୁଡିଏ ଅପବାଦ ମୁଣ୍ଡାଇ ବିଦାହେବେ ।