Odia News Portal

ରାଜଧାନୀରେ ଚିତ୍‍ପଟାଙ୍ଗ ମାରିଲାଣି ପୁଲିସ୍‍ ଗୁଇନ୍ଦା ବ୍ୟବସ୍ଥା

ଭୁବନେଶ୍ୱର()  ରାଜଧାନୀରେ ନିଇତି ଘଟୁଥିବା ଅପରାଧ ଯୋଗୁଁ ସହରବାସୀ ଥରହର ହେଉଥିବାବେଳେ ଏବେ ପୁଲିସ୍‍ ପ୍ରଶାସନର ଗୁଇନ୍ଦା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ଉଠିଲାଣି । ହୁଗୁଳା ଗୁଇନ୍ଦା ବ୍ୟବସ୍ଥା ଯୋଗୁଁ ଅପରାଧିମାନେ ସକ୍ରିୟ ହେଉଥିଲେ ମଧ୍ୟ ସେମାନଙ୍କୁ ଧରାଯାଇ ପାରୁନାହିଁ ବୋଲି କୁହାଯାଉଛି ।

ସହରରୁ ବିଭିନ୍ନ ଗୁଇନ୍ଦା ଖବର ସଂଗ୍ରହପାଇଁ ପୁଲିସ୍‍ ବିଭାଗରେ ଗୁଇନ୍ଦା କର୍ମଚାରୀମାନେ ଅଛନ୍ତି । ହେଲେ ଏମାନେ ଏବେ ଗୁଇନ୍ଦା ଖବର ସଂଗ୍ରହ ଅପେକ୍ଷା ବାବୁମାନଙ୍କ ସୁରକ୍ଷା ଓ ସେବାରେ ଅଧିକ ସମୟ ବିତାଉଥିବାରୁ ଅପରାଧିଙ୍କ ସଂକ୍ରାନ୍ତରେ ଖବର ସଂଗ୍ରହ ପାଇଁ ବେଳ ପାଉନାହାନ୍ତି । ଗୋଟିଏ ପଟେ କମ୍‍ ସଂଖ୍ୟାରେ ଗୁଇନ୍ଦା ପୁଲିସ୍‍ ଥିବାବେଳେ ସେମାନଙ୍କୁ ବି ପର୍ଯ୍ୟାପ୍ତ ପରିମାଣର ଅର୍ଥ କିମ୍ବା ସାଜ ସରଞ୍ଜାମ ଯୋଗାଇ ଦିଆଯାଉନାହିଁ । ମାସକୁ ୭ଲିଟର ତେଲ ସରକାର ଦେଉଥିବାବେଳେ ସେଥିରେ ଖବର ସଂଗ୍ରହ କରିବା ଅତ୍ୟନ୍ତ ହାସ୍ୟାସ୍ପଦ ବ୍ୟାପାର ହୋଇଛି । ମୋବାଇଲ ଭାଉଚର ନାହିଁ କି ଅନ୍ୟାନ୍ୟ ଖର୍ଚ୍ଚ ନାହିଁ । ଏପରିକି ରାତି ଅଧରେ ଜୀବନକୁ ପାଣି ଛଡାଇ ଖବର ସଂଗ୍ରହ କରୁଥିବା ଏହି କର୍ମଚାରୀଙ୍କ ପାଇଁ ବୀମା ବ୍ୟବସ୍ଥା ବି ନାହିଁ । ଯଦି କୌଣସି ଗୁଇନ୍ଦା ପୁଲିସ୍‍ ଦୁର୍ଘଟଣାର ସମ୍ମୁଖୀନ ହେବେ ହାତରୁ ଖର୍ଚ୍ଚକରି ଡାକ୍ତରଖାନା ଯାଉଛନ୍ତି ।

ଯେତିକି ବି ଗୁଇନ୍ଦା ପୁଲିସ୍‍ ଅଛନ୍ତି ସେମାନଙ୍କୁ ବଡ ବାବୁମାନେ ଡାକ କର୍ମଚାରୀ ଭଳି ବ୍ୟବହାର କରୁଛନ୍ତି । ଅଧିକାରୀ ଗୁଇନ୍ଦା ପୁଲିସ୍‍ଙ୍କର ଚିଠି ବାଣ୍ଟିବାର ବେଳ ଯାଉଛି । ଅବଶ୍ୟ କରୋନା ଯୋଗୁଁ ଏଭଳି କାମରୁ କିଛିଟା ମୁକ୍ତି ମିଳିଛି । ତେବେ ରାଜଧାନୀରୁ ଯେଭଳି ଗୁଇନ୍ଦା ସୂଚନା ସଂଗ୍ରହ ହେବାକଥା ତାହା ହୋଇପାରୁ ନାହିଁ । ଗୋଟିଏ ଦୁଇଟି ଗୁଇନ୍ଦା ଖବର ଫୋପାଡି ଦେଇ କର୍ମଚାରୀମାନେ କାମ ସାରିଦେଉଥିବାବେଳେ ସେମାନଙ୍କ ପାଇଁ ସୁବିଧା ସୁଯୋଗ ନଥିବାରୁ ବଡ ବାବୁମାନେ ବି ତାଗିଦା କରିପାରୁ ନାହାନ୍ତି ।

ରାଜଧାନୀରେ ଘଟୁଥିବା ଅଧିକାଂଶ ଅପରାଧର ମାଷ୍ଟରମାଇଣ୍ଡି ବସ୍ତି ଅଞ୍ଚଳରେ ରହୁଥିବା କୁହାଯାଉଛି । ସେଠାରୁ ଯେବେ ଠିକଣା ଗୁଇନ୍ଦା ସୂଚନା ସଂଗ୍ରହ ହୋଇପାରିବ ତେବେ ଖାଲି ଅପରାଧ କମିବ ନାହିଁ, ରାଜଧାନୀରୁ ବି ଅପରାଧର ଜନକ କୁହାଯାଉଥିବା ନିଶା କାରବାର ହ୍ରାସ ପାଇବ । ତେବେ ସବୁଠାରୁ ବଡ କଥାହେଲା ଗୁଇନ୍ଦା ବାବୁମାନେ ନିଶା ବେପାରୀ ଓ ଅପରାଧିଙ୍କ ସୂଚନା ପାଉଥିଲେ ବି ଉପର ହାକିମଙ୍କୁ ଜଣାଇବାକୁ ଡରିଲେଣି । କାରଣ ଯଦି ସେମାନଙ୍କ ବିରୁଦ୍ଧରେ ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ନିଆନଯାଏ ତେବେ ଭବିଷ୍ୟତରେ ଅପରାଧିମାନେ ଗୁଇନ୍ଦା ପୁଲିସ୍‍ଙ୍କୁ ଟାର୍ଗେଟ କରିବାର ସମ୍ଭାବନା ରହିଛି ।

ରାଜଧାନୀର ଗଳିକନ୍ଦି ଏବେ ନିଶା ବେପାରୀ ଓ ସେବନକାରୀଙ୍କ ଆଡ୍ଡା ପାଲଟିଥିବାବେଳେ ଦିନ ଦ୍ୱିପ୍ରହରରେ ଛିନ୍‍ତାଇଟା ସାଧାରଣ କଥା ହେଲାଣି । ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ପୁଲିସ୍‍ ବିଭାଗର ବଡ ବାବୁମାନେ ବି ଏଥରୁ ନିସ୍ତାର ପାଉନାହାନ୍ତି । ଅବସ୍ଥା ଏଭଳି ହେଲାଣି ଯେ ଲୋକେ ସଂଧ୍ୟା ତ ଦୂରରକଥା ଦିନବେଳା ବି ଘରୁ ବାହାରିବାକୁ ସୁରକ୍ଷିତ ମଣୁ ନାହାନ୍ତି । ପୁଲିସ୍‍ ବିଭାଗର ସବୁଠାରୁ ଟାଣୁଆ ଓ ବାଣୁଆ ବାବୁମାନେ ରାଜଧାନୀରେ ଥିବାବେଳେ ଏଭଳି ଅପରାଧି ବୃଦ୍ଧିର ମୂଳ କାରଣ ଗୁଇନ୍ଦା ବ୍ୟବସ୍ଥାର ଚିତ୍‍ପଟାଙ୍ଗ ବୋଲି କିଛି ପୂର୍ବତନ ପୁଲିସ୍‍ ଅଧିକାରୀ ମତ ଦେଉଛନ୍ତି । ତେଣୁ ପୁଲିସ୍‍ ଆଧୁନିକୀକରଣ ସହିତ ଗୁଇନ୍ଦା ସୂଚନା ସଂଗ୍ରହ ବ୍ୟବସ୍ଥାର ଆଧୁନିକୀକରଣ ପାଇଁ ମତପ୍ରକାଶ ପାଉଛି ।