Odia News Portal

କାରଖାନାରେ ଲାଗୁଛି ଯନ୍ତ୍ରୀଙ୍କ ପସନ୍ଦର ୱାଟର ଓ ଏୟାର ଆନାଲାଇଜର

ପ୍ରଦୂଷଣ ବୋର୍ଡର ପ୍ରଦୂଷିତ କାରବାର

ଭୁବନେଶ୍ୱର : ଶିଳ୍ପ ସଂସ୍ଥାରେ ପ୍ରଦୂଷଣ ହ୍ରାସ ପାଇଁ ଲାଗୁଥିବା ଜଳ ଓ ବାୟୁ ଗୁଣବତ୍ତା ବିଶ୍ଲେଷଣକାରୀ ( ୱାଟର ଆଣ୍ଡ ଏୟାର ଆନାଲାଇଜର) ଯନ୍ତ ବ୍ୟବହାରକୁ ନେଇ ଏବେ ଆଲୋଚନା । ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅଧିକାରୀ ନିର୍ଦ୍ଦିଷ୍ଟ କମ୍ପାନୀର ଏହିସବୁ ସାମଗ୍ରୀ ନଲାଗିଲେ ସମ୍ପୃକ୍ତ ଶିଳ୍ପସଂସ୍ଥାକୁ ଚାଲିବାପାଇଁ ପ୍ରମାଣପତ୍ର ବା ସିଟିଓ ଦେଉ ନାହାନ୍ତି । ଏହା ଫଳରେ ରାଜ୍ୟରେ ପ୍ରଦୂଷଣ ତ ହ୍ରାସ ପାଉନାହିଁ ଯେଉଁସବୁ କମ୍ପାନୀମାନେ ଏହି ଆନାଲାଇଜର ଯୋଗାଣ କରିଥିଲେ ସେମାନେ ବି କୋଟି କୋଟି ଟଙ୍କା ନପାଇ ଦେବାଳିଆ ହେଲେଣି ।

ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡରେ ଚାଲିଥିବା ଏହି କେଳେଙ୍କାରୀ ଏବେ ଧିରେ ଧିରେ ପଦାକୁ ଆସିବାରେ ଲାଗିଛି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ପ୍ରତ୍ୟେକ ଶିଳ୍ପ ସଂସ୍ଥାରେ ୱାଟର ଓ ଏୟାର ଆନାଲାଇଜର ଲଗାଇବା ବାଧ୍ୟତାମୂଳକ । ଏହାଦ୍ୱାରା ଜଳ ଓ ବାୟୁ ପ୍ରଦୂଷଣର ମାତ୍ରା ଜଣାପଡିବା ସହିତ ତଦନୁଯାୟୀ ପଦକ୍ଷେପ ନିଆଯିବ । ଶିଳ୍ପସଂସ୍ଥାମାନେ ପ୍ରଦୂଷଣ ବୋର୍ଡ ଦ୍ୱାରା ନିର୍ଦ୍ଧାରିତ ଯନ୍ତ୍ର ନେଇ ଲଗାଇବେ । ଏଥିପାଇଁ ଟେଣ୍ଡର ମାଧ୍ୟମରେ ବିପୁଳ ପରିମାଣର ୱାଟର ଓ ଏୟାର ଆନାଲାଇଜର ଯନ୍ତ୍ର ସରକାରୀ ସ୍ତରରେ ଖରିଦ ହୋଇଥାଏ ।

ତେବେ ଟେଣ୍ଡର ଯାହା ହେଲେ ବି କେଉଁ କମ୍ପାନୀରୁ ଏହା କିଣାଯିବ ତାହା ନିର୍ଦ୍ଦିଷ୍ଟ ଅଧିକରୀ ହିଁ ସ୍ଥିର କରିଥାନ୍ତି । ଯେତେ ଭଲ ମାନର ଆନାଲାଇଜର ଯୋଗାଣକାରୀ ଟେଣ୍ଡରରେ ଭାଗ ନେଲେ ବି ସେମାନଙ୍କର ବିଡିଏକୁ ବିଭିନ୍ନ କାରଣ ଦର୍ଶାଇ କାଟି ଦିଆଯାଏ । ତେବେ ଯଦି କୌଣସି କାରଣରୁ ସମ୍ପୃକ୍ତ ଅଧିକାରୀଙ୍କ ଇଚ୍ଛା ବିରୁଦ୍ଧରେ କମ୍ପାନୀ ଟେଣ୍ଡରରେ ସଫଳ ହୋଇ ଆନାଲାଇଜର ଯୋଗାଇଲା ତେବେ ସେହି ଯନ୍ତ୍ର ଲାଗିଥିବା କାରଖାନାକୁ ସହଜରେ ସିଟିଓ ମିଳେନାହିଁ । ଏଥିଯୋଗୁଁ ଆନାଲାଇଜର ଯୋଗାଇଥିବା କମ୍ପାନୀ ପାଉଣା ପାଇବାରେ ବଡ ସମସ୍ୟା ହୋଇଥାଏ ।

ଏହି ଆନାଲାଇଜର ଯୋଗାଣ ନେଇ ପ୍ରଶ୍ନ ଉଠିବା ପରେ ଏବେ ରାଜ୍ୟର ଯେଉଁସବୁ କାରଖାନାରେ ଏହି ପ୍ରଦୂଷଣ ବିଶ୍ଲେଷଣ ଯନ୍ତ୍ର ଲାଗିଛି ତାହାର ଗୁଣମାନ ଉପରେ ପ୍ରଶ୍ନ ଉଠିଲାଣି । କାହିଁକି ଜଣେ ଅଧିକାରୀ ନିର୍ଦ୍ଦିଷ୍ଟ କମ୍ପାନୀରୁ ଏହା ଖରିଦ ପାଇଁ ଚାପ ପକାଉଛନ୍ତି ଓ ଏଥିରେ ତାଙ୍କର କି ସ୍ୱାର୍ଥ ରହିଛି ତାହାକୁ ନେଇ ଏବେ ଆଲୋଚନା ଜୋର ଧରିଛି । ମିଳିଥିବା ସୂଚନା ଅନୁଯାୟୀ ଏହି ସମସ୍ତ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଜଣେ ଯନ୍ତ୍ରୀଙ୍କ ହାତରେ ଦୀର୍ଘଦିନ ଧରି ରହିଥିବାରୁ ସେ ମନଇଚ୍ଛା କାର୍ଯ୍ୟ ଚଳାଇଛନ୍ତି । ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡରେ ଆସ୍ଥାନ ଜମାଇଥିବା ଏହି ଯନ୍ତ୍ରୀ ଜଣଙ୍କ ମର୍ଜି ବାହାରେ କୌଣସି ଭଲ କମ୍ପାନୀ ବି ଆନାଲାଇଜର ଯୋଗାଇବାକୁ ସକ୍ଷମ ହେଉନାହାନ୍ତି ।

ତେଣୁ ବର୍ତ୍ତମାନ ସୁଦ୍ଧା କେତେ କମ୍ପାନୀ କେଉଁ ଧରଣର ୱାଟର ଓ ଏୟାର ଆନାଲାଇଜର ଯୋଗାଣ କରିଛନ୍ତି ଓ କେଉଁ କେଉଁ କମ୍ପାନୀ ଟେଣ୍ଡରରେ ଭାଗ ନେଇ କ’ଣ ପାଇଁ ବିଫଳ ହୋଇଛନ୍ତି ତାହାର ନିରପେକ୍ଷ ତଦନ୍ତ ପାଇଁ ଦାବି ହେଉଛି । ତୁରନ୍ତ ଏ ଦିଗରେ ପଦକ୍ଷେପ ନିଆନଗଲେ ରାଜ୍ୟରେ ଯେଭଳି ଏକାଧିକ ନଦୀ କାରଖାନା ଜଳରେ ପ୍ରଦୂଷିତ ଓ ବ୍ୟବହାର ଅନୁପଯୋଗୀ ହୋଇପଡୁଛନ୍ତି ଆଗାମୀ ଦିନରେ ତାହା ଅଧିକ ଜଟିଳ ହେବା ସହିତ ବାୟୁ ପ୍ରଦୂଷଣର ମାତ୍ରା ବି ବୃଦ୍ଧି ପାଇବ । ତେଣୁ ମୁଖ୍ୟ ଶାସନ ସଚିବ ଅଧ୍ୟକ୍ଷ ଥିବା ଏହି ସଂସ୍ଥାର ଆନାଲାଇଜର ଯୋଗାଣର ଯାଞ୍ଚ ସହିତ ସମ୍ପୃକ୍ତ ଯନ୍ତ୍ରୀଙ୍କର ହସ୍ତକ୍ଷେପନେଇ ମଧ୍ୟ ତଦନ୍ତ ପାଇଁ ମତପ୍ରକାଶ ପାଉଛି ।