Odia News Portal

ରୁଷ୍‌ ପ୍ରତିରକ୍ଷା ମନ୍ତ୍ରାଳୟର ଆର୍ଥିକ ସହାୟକ ବିଭାଗର ମୁଖ୍ୟା ମାରିନା ୟାଙ୍କିନାଙ୍କର ମୃତ୍ୟୁ

ସେଣ୍ଟ୍‌ ପିଟର୍ସବର୍ଗରେ ଗୋଟାଏ ୧୬ ତାଲା କୋଠାରୁ ପଡ଼ି ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ଙ୍କ ସହଯୋଗିନୀ ତଥା ରୁଷ୍‌ ପ୍ରତିରକ୍ଷା ମନ୍ତ୍ରାଳୟର ଆର୍ଥିକ ସହାୟକ ବିଭାଗର ମୁଖ୍ୟା ମାରିନା ୟାଙ୍କିନାଙ୍କର ମୃତ୍ୟୁ ଘଟିଥିବା କଥା ‘ଦି ଇଣ୍ଡିପେଣ୍ଡେଣ୍ଟ୍‌’ ରିପୋର୍ଟ କରିଛି।

ଆଞ୍ଚଳିକ ଗଣମାଧ୍ୟମରୁ ତଥ୍ୟ ସଂଗ୍ରହ କରି ‘ଦି ଇଣ୍ଡିପେଣ୍ଡେଣ୍ଟ୍‌’ ରିପୋର୍ଟ କରିଛି ଯେ, ବୁଧବାର ସକାଳ ୮ ଆଗରୁ ସେଣ୍ଟ୍‌ ପିଟର୍ସବର୍ଗ ଅନ୍ତର୍ଗତ କାଲିନିନ୍‌ସ୍କି ଅଞ୍ଚଳରେ ଥିବା ଗୋଟାଏ ଆବାସିକ ପରିସରର ଫୁଟ୍‌ପାଥ୍‌ରେ ମାରିନା ୟାଙ୍କିନାଙ୍କ ଶବ ପଡ଼ିଥିବା ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି।

ପୁଟିନ୍‌ ଚଳାଇଥିବା ୟୁକ୍ରେନ୍‌ ଯୁଦ୍ଧ ନିମନ୍ତେ ପାଣ୍ଠି ଯୋଗାଡ଼ କରାଇବାରେ ପଦସ୍ଥ ପ୍ରତିରକ୍ଷା ଅଧିକାରିଣୀ ୫୮ ବର୍ଷୀୟ ୟାଙ୍କିନା ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରୁଥିଲେ।

ସେ ଥିଲେ ‘ୱେଷ୍ଟର୍ଣ୍ଣ ମିଲିଟାରି ଡିଷ୍ଟ୍ରିକ୍ଟ୍‌’ର ଅର୍ଥନୈତିକ ନିର୍ଦେଶିକା। ରୁଷ୍‌ରେ ଏହି ପ୍ରକାର ୫ଟି ‘ଜିଓଗ୍ରାଫିକାଲ୍‌ ବାଟାଲିୟନ୍‌’ ରହିଛି। ଗତବର୍ଷ ଫେବ୍ରୁଆରି ମାସରେ ୟୁକ୍ରେନ୍‌ ଆକ୍ରମଣ କରିବା ପରଠାରୁ ପୁଟିନ୍‌ ଏହି ସବୁ ବାଟାଲିୟନ୍‌ର କମାଣ୍ଡର୍‌ମାନଙ୍କୁ ଅନେକ ଥର ଅଦଳବଦଳ କରିସାରିଲେଣି।

‘ମେଟ୍ରୋ ନିଉଜ୍‌’ ରିପୋର୍ଟ ଅନୁସାରେ, ମାରିନା ରହିଥିବା ୧୬ ତାଲା କୋଠାରୁ ମିଳିଥିବା କେତେକ ସାମଗ୍ରୀରୁ ଜଣାପଡୁଛି ଯେ, ସେ ସେଠାରେ ବସବାସ କରୁ ନ ଥିଲେ। ପ୍ରକୃତରେ ‌ତାହା ହେଉଛି ମାରିନାଙ୍କ ସ୍ବାମୀଙ୍କ ଆପାର୍ଟମେଣ୍ଟ୍‌।

ତାଙ୍କର ଜେଣ କର୍ମଚାରୀଙ୍କର ମୃତ୍ୟୁ ଘଟିଛି ବୋଲି ‘ୱେଷ୍ଟର୍ଣ୍ଣ ମିଲିଟାରି ଡିଷ୍ଟ୍ରିକ୍ଟ୍‌’ ସୁନିଶ୍ଚିତ କରିଥିଲେ ବି ଘଟଣା ବିଷୟରେ ଅଧିକ କିଛି ବିବରଣୀ ଦେଇନାହିଁ।

ତାଙ୍କର ଜେଣ କର୍ମଚାରୀଙ୍କର ମୃତ୍ୟୁ ଘଟିଛି ବୋଲି ‘ୱେଷ୍ଟର୍ଣ୍ଣ ମିଲିଟାରି ଡିଷ୍ଟ୍ରିକ୍ଟ୍‌’ ସୁନିଶ୍ଚିତ କରିଥିଲେ ବି ଘଟଣା ବିଷୟରେ ଅଧିକ କିଛି ବିବରଣୀ ଦେଇନାହିଁ।

ସୂଚନାଯୋଗ୍ୟ, ରୁଷ୍‌ ଓ ୟୁକ୍ରେନ୍‌ ମଧ୍ୟରେ ଯୁଦ୍ଧ ଚାଲିଥିବା ବ‌େଳେ କେତେ ଜଣ ରୁଷୀୟ କୋଠାରୁ ପଡ଼ି ମୃତ୍ୟୁବରଣ କଲେଣି। ନିକଟ ଅତୀତରେ ରୁଷୀୟ ରା‌ଷ୍ଟ୍ରପତି  ଭ୍ଲାଦିମିର୍‌ ପୁଟିନ୍‌ଙ୍କଦ୍ବାରା ବହିଷ୍କୃତ ହେବା ପରେ ଜେନେରାଲ୍‌ ଭ୍ଲାଦିମିର୍‌ ମାକାରୋଭ୍‌ଙ୍କୁ ମୃତାବସ୍ଥାରେ ଉଦ୍ଧାର କରାଯାଇଥିଲା। ସେ ଆତ୍ମହତ୍ୟା କରିଛନ୍ତି ବୋଲି ସନ୍ଦେହ କରାଯାଉଥିବା ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଥିଲା।