Odia News Portal

୨୦୦ କୋଟିରେ ହେବ କଳିଙ୍ଗ ଷ୍ଟୁଡିଓର ‘କାୟା ପଲଟ୍’

ଭୁବନେଶ୍ବର: ଚଳଚ୍ଚିତ୍ର ଜଗତରେ ବେଶ ସୁନାମ ଅର୍ଜନ କରିଥିବା ଭୁବନେଶ୍ବର ସ୍ଥିତ ଐତିହାସିକ କଳିଙ୍ଗ ଷ୍ଟୁଡ଼ିଓକୁ ଏକ ଆଧୁନିକ ‘ ଷ୍ଟେଟ୍ ଅଫ୍ ଦି ଆର୍ଟ ସିନେମା ଷ୍ଟୁଡ଼ିଓ ଭାବେ ବିକଶିତ କରିବାକୁ ସରକାର ନିଷ୍ପତି ନେଇଛନ୍ତି । ଏଥି ପାଇଁ ଆଜି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ପ୍ରାୟ ୨୦୦ କୋଟି ଟଙ୍କାର ପୁନର୍ବିନ୍ୟାସ ଯୋଜନାକୁ ଅନୁମୋଦନ ଦିଆଯାଇଛି । ସିନେମା ଶିଳ୍ପ କ୍ଷେତ୍ରରେ କଳିଙ୍ଗ ଷ୍ଟୁଡ଼ିଓର ଅବଦାନ ଏବଂ ଭବିଷ୍ୟତ ଅବିବୃଦ୍ଧିକୁ ବିଚାର କରି ମୁଖ୍ୟ ଶାସନ ସଚିବ ମହାପାତ୍ର ପୁନର୍ବିନ୍ୟାଶ ଯୋଜନା ଅନୁମୋଦନ କଲାବେଳେ ଏହାକୁ ଏକ ନିଯୁକ୍ତି ସୃଷ୍ଟିକାରୀ ପ୍ରତିଯୋଗିତାମୂଳକ ବ୍ୟବସାୟିକ ଷ୍ଟୁଡିଓ ଭାବେ ବିକଶିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ଏହାଛଡା ଷ୍ଟୁଡ଼ିଓକୁ ମଧ୍ୟ ଏକ ପର୍ଯ୍ୟଟନ ଓ ସାମାଜିକ ଆକର୍ଷଣ କେନ୍ଦ୍ରଭାବେ ପ୍ରସ୍ତୁତ କରିବାକୁ ମହାପାତ୍ର ଶିକ୍ତ ବିଭାଗଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପର୍ଯ୍ୟଟନ ଓ ସାମାଜିକ ଅନୁଷ୍ଠାନ ଷ୍ଟୁଡ଼ିଓକୁ ସାଂସ୍କୃତିକ ଛାପ ସେବା ସହ କର୍ମଚଞ୍ଚଳ କରିବ । ଏବଂ ଏହା ଦ୍ୱାରା ଷ୍ଟୁଡ଼ିଓର ଆୟ ମଧ୍ୟ ବଢ଼ିବ ବୋଲି ମହାପାତ୍ର କହିଥିଲେ । ସୂଚନାଯୋଗ୍ୟ , ଗତ ରବିବାର ଦିନ ମୁଖ୍ୟ ଶାସନ ସଚିବ ନିଜେ କଳିଙ୍ଗ ଷ୍ଟୁଡ଼ିଓ ଯାଇ କ୍ଷେତ୍ରସ୍ତରୀୟ ସ୍ଥିତିର ଅନୁଷ୍ଠାନ କରିବା ସହ ପୁନର୍ବିନ୍ୟାଶ ଯୋଜନା ପ୍ରସ୍ତୁତ କରିବା ନିମନ୍ତେ ବିଭାଗଙ୍କୁ ନିର୍ଦ୍ଦେଶ ଦେଇଥିଲେ । ରାଜ୍ୟ ଲୋକସେବା ଭବନରେ ଅନୁଷ୍ଠିତ ଏହି ଭଳସ୍ତରୀୟ ବୈଠକରେ ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ହେମନ୍ତ କୁମାର ଶର୍ମା ପୁନର୍ବିନ୍ୟାଶ ଯୋଜନା ଆଲୋଚନା ନିମନ୍ତେ ଉପସ୍ତାପନ କରିଥିଲେ । ଶର୍ମା କହିଲେ ଯେ କଳିଙ୍ଗ ଷ୍ଟୁଡ଼ିଓର ଉତ୍ସାହଜନକ ବ୍ୟବସାୟିକ । ଐତିହ ରହିଛି । ଏହାକୁ ବର୍ଭମାନ ଏବଂ ଭବିଷ୍ୟତ ପାଇଁ ଏକ ଅତ୍ୟାଧୁନିକ କେନ୍ଦ୍ରଭାବେ ବିକଶିତ କରିବାର ସମସ୍ତ ସମ୍ଭାବନା ମଧ୍ୟ ଅଛି । ଏହି ସବୁ ସମ୍ବଳ ଓ ସମ୍ଭାବନାକୁ ଭିତ୍ତିକରି ନୂତନ ପୁନର୍ବନାଶ ଯୋଜନା ପ୍ରସ୍ତୁତ କରାଯାଇଛି ।

ପ୍ରସ୍ତାବିତ ପୁନର୍ବନାଶ ନିମନ୍ତେ ପାଣ୍ଠି ବିନିଯୋଗ , ଏହା ମାଧମରେ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି , ଷ୍ଟୁଡ଼ିଓକୁ ଆତ୍ମନିର୍ଭରଶୀଳ ଏବଂ ନିରନ୍ତର କରିବା ନିମନ୍ତେ ରାଜସ୍ୱ ସଂଗ୍ରହ ପନ୍ଥା ଆଦି ଉପରେ ବିଶେଷଭାବେ ଧ୍ୟାନ ଦେବା ପାଇଁ ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା ନିର୍ଦ୍ଦେଶ ଦେଇଥିଲେ । ଆଲୋଚନାରେ ଭାଗ ନେଇ ବୈଷୟିକ ଶିକ୍ଷା ଓ କୌଶଳ ବିକାଶ ଶାସନ ସଚିବ ସଂଜୟ କୁମାର ସିଂ କହିଥିଲେ ଯେ କଟକ ସ୍ଥିତ ବିଜୁପଟ୍ଟନାୟକ ସିନେମା ଓ ଦୂରଦର୍ଶନ ପ୍ରତିଷ୍ଠାନରୁ ଶିକ୍ଷା ଲାଭ କରୁଥିବା ଓଡ଼ିଆ ଯୁବକ ଯୁବତୀମାନେ ‘ ସୃଜନକାରୀ ଆମୋଦ – ଶିଳ୍ପ’ରେ ବେଶ ସଫଳତା ହାସଲ କରିଛନ୍ତି । ଦେଶର ବିଭିନ୍ନ ରାଜ୍ୟରେ ସେମାନଙ୍କର ସୁନାମ ରହିଛି । ରାଜ୍ୟର ଏହି କୁଶଳୀ ମାନବ ସମ୍ବଳ ଆଧୁନିକ ସିନେମା ଷ୍ଟୁଡ଼ିଓ ବିକାଶରେ ବିଶେଷ ସହାୟକ ହେବ । ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ଶର୍ମା ଜଣାଇଥିଲେ ଯେ ବର୍ଭମାନ କଳିଙ୍ଗ ଷ୍ଟୁଡ଼ିଓରେ ରେକଡିଂ ପରୀକ୍ଷାଗାର , ଇନ୍‌ଡୋର ସୁଟିଂ ସ୍ଥାନ , ଖୋଲା ଉଦ୍ୟାନ , ମନ୍ଦିର ଏବଂ କୁଡିଆ ଆଦି ରହିଛି । ବର୍ଭମାନ ଏହା ମାସିକ ପ୍ରାୟ ଚାରି ଲକ୍ଷ ଟଙ୍କାର ରାଜସ୍ୱ ସଂଗ୍ରହ କରୁଛି ।

ନୂତନ ଆଧୁନିକ ଷ୍ଟୁଡ଼ିଓରେ ମୁଖ୍ୟତଃ ତିନିଟି ଜୋନ୍ ପ୍ରସ୍ତୁତ କରିବା ନିମନ୍ତେ ବୈଠକରେ ସ୍ଥିର ହୋଇଥିଲା । ଜୋନ୍ – ୧ ରେ ଇନଡୋର ସୁଟିଂ ଫ୍ଲାର୍ , ସୁଟିଂ ମୁଖଶାଳା , ଫିଲ୍ମ -ଟେକ ଜୋନ , ବ୍ୟବସାୟିକ ସ୍ଥାନ , ଖୋଲା ଅଗଣା ଆଦି ରହିବ । ଜୋନ୍ ୨ ରେ ଆଉଟ୍ – ଡୋର ସୁଟିଂ ସୁବିଧା , ବିଷୟ ଭିତ୍ତିକ ସୁଟିଂ ଉଦ୍ୟାନ , ପିଲାଙ୍କ ଜୋନ୍ , ଦୁର୍ଗ ଦୃଶ୍ୟ , ବରଫ ଜୋନ୍ ଏବଂ ସାହସିକତା ପ୍ରଦର୍ଶନ କାର୍ଯ୍ୟକ୍ରମ ସ୍ଥାନ ଆଦି ରହିବ । ଜୋନ୍ – ୩ ରେ ଖାଦ୍ୟ ପ୍ରାଙ୍ଗଣ , ଫିଲ୍ମ କଳାକାରମାନଙ୍କ ନିମନ୍ତେ ରହିବା ଖାଇବା ସୁବିଧା , ସାମାଜିକ କାର୍ଯ୍ୟକ୍ରମ କେନ୍ଦ୍ର ଆଦି ରହିବ । ବର୍ଭମାନ ରହିଥିବା କେତେକ ମୁଖ୍ୟ ଗୃହ ଏବଂ ସୁବିଧା ଆଦିକୁ ଷ୍ଟୁଡ଼ିଓର ଐତିହ ନିମନ୍ତେ ସୁରକ୍ଷିତ ରଖାଯିବ ବୋଲି ମଧ୍ୟ ଶର୍ମା ଜଣାଇଥିଲେ । ପୁନର୍ବିନ୍ୟାଶ ଯୋଜନାକୁ ଇଡକୋ ମାଧ୍ୟମରେ କାର୍ଯ୍ୟକାରୀ କରାଯିବ । ତୁରନ୍ତ ଏହାର ଟେଣ୍ଡର ପ୍ରକ୍ରିୟା ଆରମ୍ଭ କରି ବର୍ଷାଦିନ ପୂର୍ବରୁ କ୍ଷେତ୍ରସ୍ତରୀୟ ମାଟିକାମ ଆଦି ସାରିବା ନିମନ୍ତେ ମୁଖ୍ୟ ଶାସନ ସଚିବ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ ।

ଓଡ଼ିଶା ଚଳଚ୍ଚିତ୍ର ଭନ୍ନୟନ ନିଗମର ଅଧ୍ୟକ୍ଷ ସତ୍ୟବ୍ରତ ତ୍ରିପାଠୀ , ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା , ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା , ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଅଶୋକ କୁମାର ମୀନା , ଇଡକୋର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ନିତୀନ୍ ଭାନୁଦାସ ଜାଓ୍ବାଲେ , ଶିଳ୍ପ ବିଭାଗ ଯୁଗ୍ମ ଶାସନ ସଚିବ ଶୁଭେନ୍ଦ୍ର କୁମାର ନାୟକଙ୍କ ସମେତ ସଂପୃକ୍ତ ବିଭାଗର ବରିଷ୍ଠ ଅଧୁକାରୀମାନେ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।