Odia News Portal

ଭାଷଣ ଭୁଲିଗଲେ ବ୍ରିଟେନ ପ୍ରଧାନମନ୍ତ୍ରୀ

ବୟସ ବଢିଗଲେ ଓ ଅତି ଚାପଗ୍ରସ୍ତ ହେଲେ ମଣିଷ ବେଳେ ବେଳେ ବାଉଳା ହୁଏ । ସେଥିପାଇଁ ତ କୁହାଯାଏ ବାଳ ବୃଦ୍ଧ ସମାନ । ବିଭିନ୍ନ ସମୟରେ ତୁଙ୍ଗ ରାଜନେତାମାନେ ମଧ୍ୟ ଜନତା ଓ କ୍ୟାମେରା ସାମ୍ନାରେ ଏମିତି କିଛି ହରକତ କରି ବସନ୍ତି ଯାହାତାଙ୍କୁ ଲୋକ ହସା କରେ । ବ୍ରିଟେନ୍ର ପ୍ରଧାନମନ୍ତ୍ରୀ ବୋରିସ୍ ଜନସନଙ୍କର ଏମିତି ଏକ ଭାଷଣ ଏବେ ବେଶ୍ ଭାଇରାଲ ହେଉଛି । କନଫଡେରେସନ୍ ଅଫ୍ ବିଜନେସ୍ ଇଣ୍ଡଷ୍ଟ୍ରିକୁ ସମ୍ବୋଧିତ କଲା ବେଳେ କହିବା ପାଇଁ ଚାହିଁଥିବା ଶବ୍ଦ ପାଇନାହାନ୍ତି ବୋରିସ୍ ।

ତାଙ୍କ ପାଟି ଲାଗି ଯାଉଛି ଆଉ ଛୋଟ ପିଲାଙ୍କ ପରି କଥା କହୁଛନ୍ତି । କେବଳ ଏତିକି ନୁହଁ, ପ୍ରସ୍ତୁତ କରି ଆଣିଥିବା ଭାଷଣର କପି ମଧ୍ୟ ସେ ଖୋଜି ପାଉନାହାନ୍ତି, ଆଉ ଅପ୍ରିତିକର ପରିସ୍ଥିତିରେ ପଡୁଛନ୍ତି । ଏହା ସହ ଅନାବଶ୍ୟକ ଭାବେ ଛୋଟ ପିଲାଙ୍କ ଖେଳ ପେପା ପିଗ୍ ବିଷୟରେ ଏଣୁତେଣୁ ଗପିଛନ୍ତି । ବାଣିଜ୍ୟ ସମିଟ୍ ଅବସରରେ ଦେଶର ବଡ଼ ବଡ଼ ଶିଳ୍ପପତିମାନଙ୍କୁ ସମ୍ବୋଧିତ କରିବା ବେଳେ ଦେଶର ପ୍ରଧାନମନ୍ତ୍ରୀ ଏପରି ବାଚଳାମି ଅନେକ ପ୍ରଶ୍ନଚିହ୍ନ ଛିଡା କରିଛି । ସୋସିଆଲ ମିଡିଆରେ ବୋରିସ୍ ଜନସନଙ୍କ ଏହି ଭିଡିଓ ଛାଇଯାଇଛି । ତାଙ୍କ ସପକ୍ଷରେ ଓ ବିପକ୍ଷରେ ଅନେକ ଟ୍ୱିଟ୍ ଓ କମେଂଟସ୍ ଆସୁଥିବା ବେଳେ ଇଂଲଣ୍ଡରେ ବିରୋଧୀ ତାଙ୍କୁ ସମାଲୋଚନା କରିବା ପାଇଁ ଖୋରକ ପାଇ ଯାଇଛନ୍ତି ।