Odia News Portal

ସୁଶାନ୍ତଙ୍କୁ ଜନ୍ମଦିନରେ ମନେ ପକାଇଲେ ଫ୍ୟାନ୍ସ

ମୁମ୍ବାଇ: ଜାନୁଆରୀ ୨୧ ମାନେ ଆଜି ଏମିତି ଏକ ଫିଲ୍ମ ଷ୍ଟାରର ଜନ୍ମଦିନ , ଯିଏକି ଏବେ ଏହି ଦୁନିଆରେ ଆଉ ନାହାନ୍ତି । ଗତ ବର୍ଷ ଜୁନ୍‌ ୧୪ରେ ନିଜ ଘରେ ଥିବା ଫ୍ୟାନ୍‌ରେ ଝୁଲି ଆତ୍ମହତ୍ୟା କରିଥିଲେ ଏହି ଅଭିନେତା । ଯାହାପରେ ସାରା ବଲିଉଡ଼ରେ ସୃଷ୍ଟି ହୋଇଯାଇଥିଲା ଦୁଃଖର ମାହୋଲ । ସେ ଅଭିନେତା ଜଣଙ୍କ ଆଉ କେହି ନୁହେଁ, ସେ ସମସ୍ତଙ୍କର ପ୍ରିୟ ଅଭିନେତା ସୁଶାନ୍ତ ସିଂହ ରାଜପୁତ । ଆଜି ଏହି ଉଦୀୟମାନ ଅଭିନେତାଙ୍କ ଜନ୍ମଦିନ । ଯାହାଙ୍କୁ ଅଗଣିତ ଫ୍ୟାନ୍ସମାନେ ଖୁବ୍‌ ମନେ ପକାଉଛନ୍ତି । ଏପରିକି ସୋସିଆଲ୍‌ ମିଡିଆରେ ଓ୍ୱାନ୍‌ ଡେ ଅଫ୍‌ ସୁଶାନ୍ତ ନାଁର ଟ୍ରେଣ୍ଡ ମଧ୍ୟ କରୁଛି ।

୧୯୮୬ ମସିହାର ଜାନୁଆରୀ ୧୨ତାରିଖରେ ବିହାରର ପାଟନାରେ ସୁଶାନ୍ତଙ୍କ ଜନ୍ମ । ମହାକାଶଚାରୀ ହେବାକୁ ସ୍ୱପ୍ନ ଦେଖିଥିବା ସୁଶାନ୍ତ, କିନ୍ତୁ ପରେ ପାଲଟିଗଲେ ବଲିଉଡର ହିରୋ । ସୁଶାନ୍ତ ପ୍ରଥମେ ଟିଭିରୁ ନିଜ କ୍ୟାରିୟର ଆରମ୍ଭ କରିଥିଲେ। ସେ ପ୍ରଥମେ ‘କିସ ଦେଶ ମେଁ ହେ ମେରା ଦିଲ’ ଧାରାବାହିକରୁ ତାଙ୍କର ଅଭିନୟ ଆରମ୍ଭ କରିଥିଲେ। କିନ୍ତୁ ପ୍ରଯୋଜକ ଏକତା କପୁରଙ୍କ ସିରିଏଲ୍‌ ପବିତ୍ର ରିସ୍ତା ତାଙ୍କୁ ଖୁବ୍‌ ପରିଚୟ ଦେଇଥିଲା । ଘରେ ଘରେ ମାନବ ନାଁରେ ପରିଚିତ ହୋଇଥିଲେ ସୁଶାନ୍ତ । ଏହା ପରେ ସେ ଫିଲ୍ମ ଜଗତରେ ପାଦ ଥାପିଥିଲେ। ସୁଶାନ୍ତ ବଲିଉଡରେ ଜଣେ ଲୋକପ୍ରିୟ ଅଭିନେତା ଭାବେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ।

ପ୍ରଥମ ଫିଲ୍ମ କାଇ ପୋ ଚେରୁ ଆରମ୍ଭ କରି ଶୁଦ୍ଧ ଦେଶୀ ରୋମାନ୍ସ ପର୍ଯ୍ୟନ୍ତ ସବୁ ଥିରେ ସୁଶାନ୍ତ ଦେଖାଇଥିଲେ ନିଜ ଅଭିନୟର ଜଲୱା । କିନ୍ତୁ ସୁଶାନ୍ତଙ୍କ ଫିଲ୍ମ କ୍ୟାରିୟରର ଧୋନି-ଦି ଅନଟୋଲ୍ଡ ଷ୍ଟୋରି ଏପରି ଏକ ଫିଲ୍ମ ଥିଲା, ଯାହା ଶହେ କୋଟିରୁ ଅଧିକ ଟଙ୍କାର ବ୍ୟବସାୟ କରିଥିଲା । ଏହାବ୍ୟତୀତ ସୁଶାନ୍ତ ସୋନଚିଡ଼ିଆ, ରବ୍‌ତା, କେଦାରନାଥ ଏବଂ ଛିଛୋରେ ଭଳି ଅନେକ ଫିଲ୍ମରେ ନଜର ଆସିଥିଲେ।

ସୁଶାନ୍ତ ବଲିଉଡ଼ରେ ଜଣେ ଉଦୀୟମାନ କଳାକାର ଥିଲେ । କିନ୍ତୁ ତାଙ୍କର ଏପରି ଅକାଳ ବିୟୋଗ ସମସ୍ତଙ୍କୁ ଚକିତ କରିଦେଇଥିଲା । ସୁଶାନ୍ତଙ୍କ ମୃତ୍ୟୁ ପରେ ତାଙ୍କ ଫିଲ୍ମ ‘ଦିଲ୍‌ ବିଚେରା’, ଶେଷ ଫିଲ୍ମ ଭାବେ OTT ପ୍ଲାଟଫର୍ମୀରେ ରିଲିଜ ହୋଇଥିଲା । ତେବେ ସୁଶାନ୍ତ କଣ ପାଇଁ ଆତ୍ମହତ୍ୟା କଲେ , ତାହା ବର୍ତ୍ତମାନ ପର୍ଯ୍ୟନ୍ତ କିଛି ସ୍ପଷ୍ଟ ହୋଇନାହିଁ । କିନ୍ତୁ ଆଜି ସୁଶାନ୍ତଙ୍କ ଜନ୍ମ ଦିନରେ ତାଙ୍କ ଫ୍ୟାନ୍ସ ତାଙ୍କୁ ଖୁବ ମନେ ପକାଉଛନ୍ତି |