Odia News Portal

ପିପିଲି ଫାଇଟ୍: ବିଜେଡ଼ି ଫୋକସରେ ମହିଳା ଭୋଟର

*ବିକାଶର ନାରା, ଶଙ୍ଖର ଧୂନ ,ଲଢ଼େଇ ହେବ, ବରାବର ହେବ ।

ଭୁବନେଶ୍ୱର: ପିପିଲି ଉପନିର୍ବାଚନକୁ ଆଉ ଅଳ୍ପ ଦିନ ବାକି । ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭର୍ଚୁଆଲ ରାଲି ଓ ମଙ୍ଗଳବାର ଦିନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ରୋଡ ସୋ ପରେ ପିପିଲିରେ ଜୋରଦାର ହୋଇଛି ପ୍ରଚାର ।ତେବେ ବିଜୟର ବ୍ୟବଧାନ ବଢ଼ାଇବାକୁ ମହିଳା ଭୋଟକୁ ହାତକୁ ନେଉଛି ବିଜେଡି । ଦଳୀୟ ପ୍ରାର୍ଥୀଙ୍କ ପ୍ରଚାର ସାଙ୍ଗକୁ ନେତା, ଅଭିନେତାଙ୍କ ଭିଡରେ କମ୍ପୁଛି ପିପିଲି ମଇଦାନ । ମଙ୍ଗଳପୁର ପଂଚାୟତରେ ହଜାର ହଜାର ମହିଳାଙ୍କୁ ନେଇ ବିଜେଡି କରିଛି ମହିଳା ସମାବେଶ ।

ଆଉ ଏହା ସହ ବିଜେପିକୁ ଚେକ ଦେବାକୁ ପ୍ରସ୍ତୁତ ହେଉଛି ସ୍ୱତନ୍ତ୍ର ରଣନୀତି । ମହିଳା ସମାବେଶରେ ମନ୍ତ୍ରୀ ଟୁକୁନି ସାହୁ, ମହିଳା ବିଜେଡି ବିଜେଡି ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ପୂର୍ବତନ ମନ୍ତ୍ରୀ ଉଷାଦେବୀଙ୍କ ସହ ବିଜେଡି ବିଧାୟକ ପ୍ରତାପ ଦେବ, ମନ୍ତ୍ରୀ ସମୀର ଦାସ, ସିନେ ତାରକା ଆକାଶ ଦାସ ନାୟକ, ସୋଫିଆ ଆଲାମ ପ୍ରମୁଖ ଯୋଗଦେଇ ରୁଦ୍ରଙ୍କ ପାଇଁ ଭୋଟ ଅପିଲ କରିଥିଲେ । ଯୁବ ବିଜେଡି ତରଫରୁ ଏକ ବିଶାଳ ଶୋଭାଯାତ୍ରା ସଭାସ୍ଥଳକୁ ଯାଇ ଦଳର ଶକ୍ତି ପ୍ରଦର୍ଶନ କରିଥିଲା ।

ସେପଟେ ଭାଇ ରୁଦ୍ରଙ୍କ ପାଇଁ ପ୍ରଚାର ମଇଦାନରେ ଭଉଣୀ ପଲ୍ଲବୀ । ମହିଳା ସମାବେଶରେ ରୁଦ୍ରଙ୍କ ପାଇଁ ଭୋଟ ଭିକ୍ଷା କରିଥିଲେ ପଲବୀ ଓ ଭିଣୋଇ ତଥା ସିନେ ଅଭିନେତା ଅର୍ଦ୍ଧେନ୍ଦୁ । ପ୍ରଦୀପ ମହାରଥୀଙ୍କ ପରେ ରୁଦ୍ରଙ୍କ ମୁଣ୍ଡରେ ଆଶୀର୍ବାଦର ଭୋଟ ଅଜାଡି ଦେବାକୁ ପିପିଲି-ଡେଲାଙ୍ଗ ବାସୀଙ୍କ ନିବେଦନ କରିଛନ୍ତି ଉଭୟେ । ବିକାଶର ନାରା । ଶଙ୍ଖର ଧୂନ । ଲଢ଼େଇ ହେବ, ବରାବର ହେବ । ଏଇ ସ୍ଲୋଗାନ ସହ ପ୍ରଚାର ଜମାଇଛି ବିଜେଡି । ତେବେ ଫଳାଫଳ ହିଁ କହିବ କାହାର କେତେ ଦମ୍ ।