Odia News Portal

ଚାନ୍ଦିପୁର ଡିଆଡିଓ ତଥ୍ୟ ଲିକ୍ ଘଟଣା, ୪ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

ବାଲେଶ୍ବର : ଚାନ୍ଦିପୁର ଡିଆରଡିଓ ତଥ୍ୟ ଲିକ୍ ଘଟଣାକୁ ନେଇ ଲାଗି ରହିଥିଲା ଚର୍ଚ୍ଚା । ତେବେ ଅଭିଯୁକ୍ତଙ୍କୁ ପୋଲିସ ପଚରାଉଚରା କରିଥିଲା । ଆଜି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ଜାତୀୟ ଗୁଇନ୍ଦା ସଂସ୍ଥାର ସୂଚନାକ୍ରମେ ବାଲେଶ୍ୱର ପୁଲିସର ସ୍ପେଶାଲ ସ୍କ୍ୱାଡ କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରର ଚାରି ଜଣ ଠିକା କର୍ମଚାରୀଙ୍କୁ ମଙ୍ଗଳବାର ଗିରଫ କରାଯାଇଥିଲା। ଏହି ଘଟଣାରେ ଚାନ୍ଦିପୁର ଥାନାରେ ସେମାନଙ୍କ ବିରୋଧରେ ୟୁ/ଏସ୍ ୧୨୦-ବି/୧୨୧-ଏ/୩୪ ଆଇପିସି – ଆର/ଡବ୍ଲ୍ୟୁ ଧାରା ୩, ୪, ଏବଂ ୫ ଅଫିସିଆଲ ଗୁପ୍ତ ଆଇନ ଅନୁସାରେ ମାମଲା ରୁଜୁ ହୋଇଛି । ବୁଧବାର ୪ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ପୁଲିସ୍। ସେମାନେ ପ୍ରତିରକ୍ଷା ବିଭାଗର ଅତ୍ୟନ୍ତ ଗୋପନୀୟ ତଥ୍ୟ ପାକିସ୍ତାନୀ ଏଜେଣ୍ଟଙ୍କୁ ଦେଇ ବିପୁଳ ଟଙ୍କା ଆଣୁଥିଲେ।

ଗିରଫ ଠିକା କର୍ମଚାରୀମାନେ ହେଲେ ବସନ୍ତ ବେହେରା, ପ୍ରକାଶ ବେହେରା, ସେକ୍ ମୁଶାକ। ଅନ୍ୟ ଜଣଙ୍କ ନାମ ଜଣାପଡ଼ିନାହିଁ। ଗିରଫ ସମସ୍ତ ବ୍ୟକ୍ତିଙ୍କ ଘର ଚାନ୍ଦିପୁର ନିକଟ ଝାମ୍ପୁରା ହାଟ ଅଞ୍ଚଳରେ। ସେମାନଙ୍କ ମଧ୍ୟରୁ ବସନ୍ତ ଲଞ୍ଚ ପ୍ୟାଡ୍-୩ରେ ଏସି ଅପରେଟର ଭାବେ କାର୍ୟ୍ୟ କରୁଥିବା ଜଣାପଡ଼ିଛି। ସୂଚନା ମୁତାବକ ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରରୁ ପ୍ରତିରକ୍ଷା ତଥ୍ୟ ଚୋରି ହେଉଥିବା ଖବର କେନ୍ଦ୍ରୀୟ ଗୁଇନ୍ଦା ବିଭାଗ ରାଜ୍ୟ ପୁଲିସକୁ ଦେଇଥିଲା । ପ୍ରତିରକ୍ଷା ଘାଟିର ବସନ୍ତ ବେହେରା ନିୟମିତ ଭାବେ ରାଜସ୍ଥାନ ସୀମାକୁ ଫୋନ୍ କରୁଥିବା ଏବଂ ସେମାନଙ୍କ ନିକଟକୁ ମଧ୍ୟ ଇଣ୍ଟରନ୍ୟାସନାଲ ଫୋନ୍ କଲ୍ ଆସୁଥିବା ଗୁଇନ୍ଦା ବିଭାଗ ଜାଣିବାକୁ ପାଇଥିଲା ।