Odia News Portal

ଦ୍ୱିତୀୟ ଟେଷ୍ଟ : ଭାରତ ୨୪୨ ରନରେ ଅଲଆଉଟ

ଖ୍ରୀଷ୍ଟଚର୍ଚ: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ଖରାପ ପ୍ରଦର୍ଶନ ଖ୍ରୀଷ୍ଟଚର୍ଚର ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ମଧ୍ୟ ଜାରି ରହିଛି । ଶନିବାର ଦ୍ୱିତୀୟ ଟେଷ୍ଟ ଆରମ୍ଭ ହେବାର ପ୍ରଥମ ଦିନରେ ଭାରତୀୟ ଦଳ ୬୩ ଓଭରରେ ୨୪୨ ରନ୍ କରି ଅଲଆଉଟ ହୋଇଯାଇଛି । ଏହି ମ୍ୟାଚରେ ପୃଥ୍ୱୀ ଶୋ’, ଚେତେଶ୍ୱର ପୂଜାରା ଏବଂ ହନୁମା ବିହାରୀ ଅର୍ଦ୍ଧଶତକ ହାସଲ କରିଛି ।

ଅନ୍ୟପକ୍ଷେ ଅଧିନାୟକ ବିରାଟ କୋହଲିଙ୍କ ସମେତ ଅନ୍ୟ ବ୍ୟାଟ୍ସମ୍ୟାନଙ୍କ ନିରାଶଜନକ ପ୍ରଦର୍ଶନ ଜାରି ରହିଛି । ମ୍ୟାଚ୍‌ରେ କ୍ୟାପଟେନ କୋହଲି ମାତ୍ର ୭ ରନ କରିବାରେ ସକ୍ଷମ ହୋଇଥିବାବେଳେ ଦଳର ଉପ-ଅଧିନାୟକ ଅଜିଙ୍କ୍ୟ ରାହାଣେ ମଧ୍ୟ ୭ ରନ କରି ପାଭିଲିୟନକୁ ଫେରିଥିଲେ । ଏହି ମ୍ୟାଚରେ ଟିମ ଇଣ୍ଡିଆ ରିଦ୍ଧିମାନ ଶାହଙ୍କ ପରିବର୍ତ୍ତେ ଯୁବ ୱିକେଟକିପର ଋଷଭ ପନ୍ତଙ୍କୁ ଖେଳାଇବାକୁ ସ୍ଥିର କରିଥିଲା କିନ୍ତୁ ସେ ମାତ୍ର ୧୨ ରନ ହିଁ କରିପାରିଥିଲେ । ପୂର୍ବରୁ ୱେଲିଙ୍ଗଟନ୍‌ରେ ହୋଇଥିବା ପ୍ରଥମ ଟେଷ୍ଟରେ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ପ୍ରଦର୍ଶନ ଭଲ ନଥିଲା ଏବଂ ଦଳକୁ ୧୦ ୱିକେଟରେ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା ।

ତେବେ ଏଥିରୁ ଜଣାପଡୁଛି ଯେ, ଭାରତୀୟ ବ୍ୟାଟ୍ସମ୍ୟାନମାନେ ପ୍ରଥମ ଟେଷ୍ଟର ବିଫଳତାରୁ କୌଣସି ଶିକ୍ଷା ନେଇ ନାହାଁନ୍ତି ଏବଂ ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସରେ ଖରାପ ପ୍ରଦର୍ଶନ କରିଛନ୍ତି । ଭାରତୀୟ ଦଳର ଖରାପ ପ୍ରଦର୍ଶନକୁ ନେଇ ପ୍ରଶଂସକମାନେ କ୍ରୋଧିତ ହୋଇଥିଲେ । ଜଣେ ପ୍ରଶଂସକ ତାଙ୍କ ମନ୍ତବ୍ୟରେ ପଚାରିଥିଲେ – କାହାର ନଜର ଲାଗି ଯାଇଛି । ଅନ୍ୟ କେତେକ ପ୍ରଶଂସକ ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ଘରୋଇ ଗ୍ରାଉଣ୍ଡର ସମ୍ରାଟଙ୍କ ବୋଲି କହିଛନ୍ତି ।