Odia News Portal

ଜେଇଇ ମେନ୍ ଫଳ ପ୍ରକାଶ: ଟପର୍ ତାଲିକାରେ ୫୬ ଜଣ, ଅନ୍ୱେଷ ଶୁଭମ ପ୍ରଧାନ ଓଡ଼ିଶା ଟପ୍ପର

ବିଟେକ୍ ଓ ବିଇ ପଢିବା ପାଇଁ ଅନୁଷ୍ଠିତ ହେଉଥିବା ଜେଇଇ ମେନ୍ ପେପର-୧ ଫଳ ପ୍ରକାଶ ପାଇଛି । ଜାନୁଆରୀ ଓ ଏପ୍ରିଲରେ ଅନୁଷ୍ଠିତ ହୋଇଥିବା ଦୁଇ ପର୍ଯ୍ୟାୟ ପରୀକ୍ଷାରେ ଚଳିତବର୍ଷ ରେକର୍ଡ ସଂଖ୍ୟକ ୫୬ଜଣ ଟପର୍ ତାଲିକାରେ ସ୍ଥାନ ପାଇଛନ୍ତି । ୫୬ ପ୍ରାର୍ଥୀ ରାଷ୍ଟ୍ରୀୟ ପରୀକ୍ଷା ଏଜେନ୍ସି(ଏନଟିଏ)ର ଶହେ ପର୍ସେଣ୍ଟାଇଲ୍ ସ୍କୋର ହାସଲ କରିଛନ୍ତି ।

ହେଲେ ଏହି ତାଲିକାରେ ଓଡ଼ିଶାର ଜଣେ ବି ଛାତ୍ର କିମ୍ବା ଛାତ୍ରୀ ନାହାନ୍ତି । ୫୬ଜଣଙ୍କ ମଧ୍ୟରୁ ମାତ୍ର ୨ଜଣ ଛାତ୍ରୀ ହୋଇଥିବା ବେଳେ ଅନ୍ୟ ସମସ୍ତେ ଛାତ୍ର । ତେବେ ଅନ୍ୱେଷ ଶୁଭମ୍ ପ୍ରଧାନ ଜେଇଇ ମେନ୍ ଓଡ଼ିଶା ଟପର୍ ହୋଇଛନ୍ତି । ଶ୍ରୀ ପ୍ରଧାନ ୯୯.୯୯ ପର୍ସେଣ୍ଟାଇଲ୍ ସ୍କୋର କରିଛନ୍ତି ।

ଜେଇଇ ମେନ୍ ଫଳ ପ୍ରକାଶ ପାଇବା ପରେ ସାରା ଦେଶରୁ ମୋଟ ୨ଲକ୍ଷ ୫୦ ହଜାର ୨୮୦ଜଣ ଜେଇଇ ଆଡଭାନ୍ସଡ୍ ଦେବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ସେଥିରୁ ୯୭ ହଜାର ୩୫୧ଜଣ ଅଣସଂରକ୍ଷିତ ପ୍ରାର୍ଥୀ । ୨୫ହଜାର ୨୯ଜଣ ଆର୍ଥିକ ଦୁର୍ବଳ ଶ୍ରେଣୀର ହୋଇଥିବାବେଳେ ୬୭ହଜାର ୫୭୦ଜଣ ଓବିସି ବର୍ଗର, ୩୭୫୮୧ଜଣ ଅନୁସୂଚିତ ଜାତି ଓ ୧୮ ହଜାର ୭୮୦ଜଣ ଅନୁସୂଚିତ ଜନଜାତି ବର୍ଗର । ୩୯୭୩ଜଣ ଦିବ୍ୟାଙ୍ଗ ବର୍ଗରୁ କୃତକାର୍ଯ୍ୟ ହୋଇଛନ୍ତି ।

ଶହେ ପର୍ସେଣ୍ଟାଇଲ୍ ସ୍କୋର ହାସଲ କରିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ମହାରାଷ୍ଟ୍ରର ଗଜଲେ ନିଲକ୍ରିଷ୍ଣା ନିର୍ମଲକୁମାର, ଦକ୍ଷେଶ ସଞ୍ଜୟ ମିଶ୍ର, ହରିଆଣାର ଆରବ ଭଟ୍ଟ, ରାଜସ୍ଥାନର ଆଦିତ୍ୟ କୁମାର ପ୍ରମୁଖ ସ୍ଥାନ ପାଇଛନ୍ତି । ପରୀକ୍ଷା ସମୟରେ ଅନିୟମିତତା ପାଇଁ ୩୯ଜଣ ଛାତ୍ରଛାତ୍ରୀଙ୍କୁ ଆସନ୍ତା ୩ବର୍ଷ ପାଇଁ ପରୀକ୍ଷା ଦେବାରୁ ବାରଣ କରାଯାଇଛି । ଶୀଘ୍ର ବି ଆର୍କ ଓ ବି ପ୍ଲାନ ପଢିବାକୁ ପେପର-୨ ପାଇଁ ଏନଟିଏ ସ୍କୋର ପୃଥକ ଭାବେ ପ୍ରକାଶ ପାଇବ ବୋଲି ଏନଟିଏର ବରିଷ୍ଠ ନିର୍ଦ୍ଦେଶକ ଡ. ସାଧନା ପରାସର ଏକ ପ୍ରେସ୍ ବିଜ୍ଞପ୍ତିରେ ସୂଚନା ଦେଇଛନ୍ତି।