Odia News Portal

ଜାଣନ୍ତୁ କଣ କଲେ ସେମିରେ ପହଞ୍ଚିବ ଭାରତ

ଦୁବାଇ: ଭାରତର ଲଗାତାର ପରାଜୟ ପରେ ଏବେ ଦଳ ଚିନ୍ତାରେ ରହିଛି । ସେମିଫାଇନାଲ ଆଶା ଏବେ ମଉଳିବାରେ ଲାଗିଛି । ତେବେ ଶେଷ ସମୟରେ ଭାରତ ସେମିକୁ ଯାଇପାରେ ବୋଲି ଆକଳନ କରାଯାଉଛି । କେବଳ ମ୍ୟାଚ୍ ଫଳାଫଳ ନୁହେଁ କିଛି ଚମକ୍ରାରୀ ହେଲେ ହିଁ ଟିମ୍ ଇଣ୍ଡିଆ ପାଇଁ ସେମିଫାଇନାଲ ଦ୍ୱାର ଖୋଲିବ । ଆଉ ଏଥିପାଇଁ ଆଫଗାନିସ୍ତାନ, ନାମ୍ବିଆ, ସ୍କଟଲାଣ୍ଡ ଭଳି ଠାରୁ ନ୍ୟୁଜିଲାଣ୍ଡ ପରାଜିତ ହେଉ ବୋଲି ପ୍ରାର୍ଥନା କରିବ ଟିମ୍ ଇଣ୍ଡିଆ । ତେବେ ଭାରତ ପାଇଁ ସେମିଫାଇନାଲର ରାସ୍ତା କେମିତି ଖୋଲିବ ସେ ବାବଦରେ ଥରେ ନଜର ପକାନ୍ତୁ ।

ଭାରତର ଆଗାମୀ ୩ଟି ମ୍ୟାଚ୍ ଆଫଗାନିସ୍ତାନ, ନାମ୍ବିଆ ଓ ସ୍କଟଲାଣ୍ଡ ସହ ରହିଛି । ତେଣୁ ଏହି ଟିମ ବିପକ୍ଷରେ ବିରାଟ ବାହିନୀକୁ ବଡ ବ୍ୟବଧାନରେ ଜିତିବାକୁ ପଡିବ । ଯାହାଦ୍ୱାରା ଭାରତର ରନ୍ ରେଟରେ ସୁଧାର ଆସିବ । କାରଣ ଲଗାତାର ଦୁଇଟି ପରାଜୟ ପରେ ଭାରତର ରନ୍ ରେଟ୍ ମାଇନସରେ ରହିଛି ଏବଂ ହାତରେ କୌଣସି ପଏଣ୍ଟ ମଧ୍ୟ ନାହିଁ । ଅନ୍ୟପଟେ ଟିମ୍ ଇଣ୍ଡିଆ ପଏଣ୍ଟ ଟେବୁଲର ୫ମ ସ୍ଥାନରେ ରହିଛି । ତେଣୁ ଲଗାତାର ୩ଟି ବଡ ବିଜୟ ସହ ଅନ୍ୟ ଟିମର ଫଳାଫଳ ଉପରେ ଭାରତର ସେମିଫାଇନାଲ ଟିକେଟ ନିର୍ଭର କରୁଛି ।

ଖାସକରି ଆଫଗାନିସ୍ତାନ ବିପକ୍ଷରେ ଭାରତକୁ ବଡ ବ୍ୟବଧାନରେ ବିଜୟୀ ହେବାକୁ ପଡିବ । ସେହିଭଳି ଆଫଗାନିସ୍ତାନ ମଧ୍ୟ ନ୍ୟୁଜିଲାଣ୍ଡ ବିପକ୍ଷରେ ବିଜୟୀ ହେଉ ଏହା ପ୍ରାର୍ଥନା କରିବ ଟିମ୍ ଇଣ୍ଡିଆ । କିନ୍ତୁ ବିଜୟ ବ୍ୟବଧାନ ବଡ ନହେବା ଆବଶ୍ୟକ । ଯାହାଦ୍ୱାରା ପଏଣ୍ଟ ଟେବୁଲରେ କିଛି ମାତ୍ରାରେ ହଲଚଲ ଦେଖିବାକୁ ମିଳିପାରେ । କାରଣ ଆଫଗାନିସ୍ତାନ ହାତରେ ଆଉ ୨ଟି ମ୍ୟାଚ୍ ଥିବା ବେଳେ ପ୍ରତିପକ୍ଷରେ ରହିଛନ୍ତି ଭାରତ ଓ ନ୍ୟୁଜିଲାଣ୍ଡ । ଅନ୍ୟପଟେ ଉଭୟ ନ୍ୟୁଜିଲାଣ୍ଡ ଓ ଭାରତ ଆଫଗାନିସ୍ତାନକୁ ଯଦିି ହରାଉଛନ୍ତି ଏବଂ ନାମ୍ବିଆ ଓ ସ୍କଟଲାଣ୍ଡ ମଧ୍ୟରୁ କୌଣସି ଟିମ୍ ନ୍ୟୁଜିଲାଣ୍ଡକୁ ହରାଉଛି ତେବେ ମଧ୍ୟ ଭାରତ ପାଇଁ ସେମିଫାଇନାଲ ଖେଳିବା ସୁଯୋଗ ସୃଷ୍ଟି ହେବ । କିନ୍ତୁ ଏସବୁ ସମୀକରଣ ବାଦ୍ ଭାରତକୁ ଆଗାମୀ ୩ଟି ମ୍ୟାଚରେ ବଡ ବ୍ୟବଧାନରେ ବିଜୟୀ ହେବାକୁ ପଡିବ । ଯାହାଦ୍ୱାରା ଆଫଗାନିସ୍ତାନ ଓ ନ୍ୟୁଜିଲାଣ୍ଡ ଠାରୁ ରନ୍ ରେଟ ଟିମ୍ ଇଣ୍ଡିଆର ଅଧିକ ରହିବ । ତେବେ ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ଭାରତ ପରାଜିତ ହେଲେ ଟି-୨୦ ବିଶ୍ୱକପରେ ଭାରତର ଅଭିଯାନ ଶେଷ ହେବ ।