Odia News Portal

ରସିକିଆ ଲୁଟେରା: ୨୬ ମାମଲା ୨୫ ପ୍ରେମିକା !

ଭୁବନେଶ୍ୱର: ରସିକିଆ ଲୁଟେରା, ୨୬ ମାମଲାକୁ ୨୫ଜଣ ପ୍ରେମିକା । ନୟାପଲ୍ଲୀ ତୁଳସୀ ଦେଇ ହତ୍ୟା ଓ ଲୁଟ ମାମଲାରେ ଗିରଫ ଅଭିଯୁକ୍ତ ନାରାୟଣ ମହାନ୍ତିର ରିମାଣ୍ଡ ଅବଧି ଶେଷ ହୋଇଛି । ରିମାଣ୍ଡ ବେଳେ ଅଭିଯୁକ୍ତ ଠାରୁ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଓଗାଳିଛି ପୋଲିସ । ତେବେ ରିମାଣ୍ଡ ସମୟରେ କିଛି ରୋଚକ କିନ୍ତୁ ସାଘାଂତିକ ତଥ୍ୟ ସାମ୍ନାକୁ ଆସିଛି । ଅଭିଯୁକ୍ତର ୨୫ ଜଣ ପ୍ରେମିକା ଥିବା ବେଳେ ପ୍ରେମିକାଙ୍କୁ ଖୁସି କରିବା ପାଇଁ ଏଭଳି ଲୁଟ ପାଟ କରୁଥିଲା ଅଭିଯୁକ୍ତ ନାରାୟଣ । ପ୍ରେମିକାକୁ ଖୁସି କରିବାକୁ ଚୋରି ଧନରେ ଭେଟି ଦେଉଥିଲା ମନ ପସନ୍ଦର ଉପହାର | ପ୍ରେମିକାକୁ ଉପହାର ଦେବା ପାଇଁ ନାରାୟଣ ପାଲଟିଥିଲା ଅପରାଧୀରୁ ପେଶାଦାର ଅପରାଧୀ |

ଅଭିଯୁକ୍ତ ନାରାୟଣ ଜେଲ୍‌ରେ ରହି କଳା କାରନାମାର କାହାଣୀ କହୁ କହୁ କହିଦେଇଥିଲା ନିଜ ଅପରାଧର କ୍ରାଇମ ଷ୍ଟୋରୀ | ଆଉ ସାମ୍ନାକୁ ଆସିଥିଲା ପୁରା କାହାଣୀ। ତା ସହ ନୟାପଲ୍ଲୀ ଆଇଆରସି ଭିଲେଜ୍‌ର ୬ ମାସ ତଳର ଲୁଟ୍ ଆଉ ହତ୍ୟାର ବି ଫିଟିଥିଲା ଗୁମର। ରାଜଧାନୀର ବିଭିନ୍ନ ଥାନାରେ ତା ନାଁରେ ରହିଛି ପ୍ରାୟ ୨୫ରୁ ଅଧିକ ମାମଲା। ଚୋରୀ,ଛିନତାଇ, ଲୁଟ୍, ରାହାଯାନୀ, ହତ୍ୟା ଭଳି ଏକାଧିକ ଅପରାଧରେ ନିଜକୁ ସାମିଲ କରି ସେ ପାଲଟି ଥିଲା ପେଶାଦାର ଅପରାଧୀ। ଲୁଟପାଟ କରି ଯାହା ଆଣୁଥିଲା ସେଥିରେ ଉପହାର ଦେଉଥିଲା ନିଜର ୨୫ ପ୍ରେମିକାଙ୍କୁ ।ତେବେ ଅଭିଯୁକ୍ତ ଠାରୁ ଜବତ ହୋଇଛି ସୁନା ଚେନ, ଆକ୍ରମଣ କରିଥିବା କଟୁରୀ । ଏହା ସହ ସେକ୍ସ ରାକେଟରେ ମଧ୍ୟ ଜଡ଼ିତ ଥିଲା ଅଭିଯୁକ୍ତ ନାରାୟଣ । ହକରୁ ସେକ୍ସ ରାକେଟ ଆଣି ଚଳାଇଥିଲା ନାରାୟଣ । ଲକ୍ ଡ଼ାଉନରେ ସେକ୍ସ ରାକେଟ ବନ୍ଦ ହେବା ପରେ ଲୁଟ ପାଟ ଆରମ୍ଭ କରିଥିଲା ଅଭିଯୁକ୍ତ ।

ସୂଚନାନୁଯାୟୀ, ଜୁଲାଇ ୨୬ରେ ନୟାପଲ୍ଲୀ ଆଇଆରସି ଭିଲେଜ୍‌ରେ ତୁଳସୀ ଦେଇ ନାମକ ଜଣେ ବୟସ୍କା ମହିଳା ଘରେ ଏକୁଟିଆ ଥିବା ସମୟରେ,ଘର ଭଡ଼ା ବାହାନାରେ ନାରାୟଣ ଓ ତାର ସହଯୋଗୀ ଘରକୁ ପଶି ବୃଦ୍ଧାଙ୍କୁ ଲୁଟ କରିବା ସହ ଆକ୍ରମଣ କରି ତାଙ୍କ କାନ କାଟି ଦେଇଥିଲେ | ତେବେ ଚିକିତ୍ସା ଅବସ୍ଥାରେ ଏକ ଘରୋଇ ଡାକ୍ତରଖାନାରେ ମୃତ୍ୟୁବରଣ କରିଥିଲେ ତୁଳସୀ ଦେଇ | ଏସବୁ କଥା ପୋଲିସ କାନକୁ ଯିବାପରେ ଆରମ୍ଭ ହୋଇଥିଲା ଖୋଳତାଡ଼। ଆଉ ପୋଲିସ ଧରିଥିଲା ନାରାୟଣର ସହଯୋଗୀ ସାଗର ପ୍ରଧାନକୁ। ଯିଏ ପୋଲିସ ଆଗରେ ବଖାଣିଥିଲା ଆଇଆରସି ଭିଲେଜ୍‌ର ଲୁଟ୍ ସହ ତଥ୍ୟ ଦେଇଥିଲା ନାରାୟଣର ଲଭ୍ ଆଉ ଲୁଟ୍‌ର ଥିଓରୀ ସମ୍ପର୍କରେ।