Odia News Portal

ଆଜି ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତ

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କଳାହାଣ୍ଡି ଗସ୍ତ । କରୋନା ପରେ ଏହା ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ଗସ୍ତ ହୋଇଥିବାରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ନିମନ୍ତେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସକାଳ ୯ଟା ୪୫ରେ ନବୀନ ନିବାସରୁ ବାହାରିବେ ମୁଖ୍ୟମନ୍ତ୍ରୀ । ୯ଟା ୫୫ରେ ବିଜୁପଟ୍ଟନାୟକ ବିମାନ ବନ୍ଦରରୁ କଳାହାଣ୍ଡି ଅଭିମୁଖେ ବାହାରିବେ। ଦିନ ୧୧ଟା ୨୫ରେ କନକପୁର ହେଲିପ୍ୟାଡରେ ପହଞ୍ଚି ମଙ୍ଗଳପୁର ଅପର ଇନ୍ଦ୍ରାବତୀ ପମ୍ପ ହାଉସ ସଭାମଞ୍ଚକୁ ଯିବେ। ମଞ୍ଚରୁ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି।ହେଲିପ୍ୟାଡରୁ ଓହ୍ଲାଇ ମୁଖ୍ୟମନ୍ତ୍ରୀ ମଞ୍ଚକୁ ଯିବା ପର୍ଯ୍ୟନ୍ତ କଡ଼ା ସୁରକ୍ଷା ବ୍ୟବସ୍ଥା ରହିବ ।

ସେହିଭଳି ସମାରୋହରେ ଯୋଗ ଦେବା ପାଇଁ ଆସୁଥିବା ଲୋକଙ୍କ ପାଇଁ କଳା ପୋଷାକ ଓ ବ୍ୟାଗ ମନା କରାଯାଇଛି । ସାଧାରଣ ଲୋକଙ୍କ ସହ ଭଲ ବ୍ୟବହାର ପ୍ରଦର୍ଶନ କରିବାକୁ ପୋଲିସକୁ ନିର୍ଦ୍ଦେଶ ଦିଆଯାଇଛି ।ସଭାସ୍ଥଳରେ ପାଖରେ ଦଳୀୟ ପତାକା ନ ରଖିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି । ତନ୍ନ ତନ୍ନ କରି ଆଜି ସଭାସ୍ଥଳ ଯାଞ୍ଚ କରୁଛନ୍ତି ସୁରକ୍ଷାକର୍ମୀ । ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ପାଇଁ କଳାହାଣ୍ଡି ସମେତ ପାଖ ଜିଲ୍ଲା ଗୁଡ଼ିକରୁ ଅଧିକରୁ ଅଧିକ ପୋଲିସ ଫୋର୍ସ ଅଣାଯାଇଛି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ନିର୍ମାଣ ହୋଇଥିବା ୩ଟି ସଭା ମଞ୍ଚକୁ ସାନିଟାଇଜ କରା ଯାଇଛି। ୧୨ ଜଣିଆ ସ୍ୱାସ୍ଥ୍ୟ କର୍ମଚାରୀ ଟିମ ସ୍କ୍ରିନିଂ ଦାୟିତ୍ୱରେ ରହିବେ । ୫ଟି ଆମ୍ବୁଲାନ୍ସ ସଭାସ୍ଥଳରେ ନିୟୋଜିତ ହେବ । ଏହାଛଡା ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଜୟପାଟଣାରେ ୨୬ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି ।

ମୁଖ୍ୟ ଏଣ୍ଟ୍ରି ଗେଟରେ ଭିଆଇପି, ପୋଲିସ ଓ ମିଡିଆ ଆସିବେ । ଦ୍ୱିତୀୟରେ ଗାଡ଼ି ପାର୍କିଂ ଓ ତୃତୀୟରେ ସଭାରେ ଯୋଗ ଦେବାକୁ ଲୋକ ଆସିବେ । ଷ୍ଟେଜ ପଛରେ ମୁତୟନ ହେବେ ଅଧିକ ଫୋର୍ସ ।ପାଖାପାଖି ୨୫୦୦ ଲୋକ ଏହି ସମାରୋହରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏଣ୍ଟ୍ରି ଗେଟରେ ସେମାନଙ୍କ ସବିଶେଷ ତଥ୍ୟ ଯାଞ୍ଚ କରିବେ ପୋଲିସ । ପୋଲିସ ପାଇଁ ମାସ୍କ ଓ ଫେସ୍ ହେଲମେଟ୍ ବାଧ୍ୟତାମୂଳକ କରାଯାଇଛି । ସେହିପରି ଲୋକଙ୍କ ପାଇଁ କୋଭିଡ୍ ନେଗେଟିଭ୍ ରିପୋର୍ଟ ଆଣିବାର ନିୟମ ରଖାଯାଇଛି । ସ୍ୱାସ୍ଥ୍ୟ କର୍ମଚାରୀ ଓ ପୋଲସି ମିଳିତ ଭାବେ ଲୋକଙ୍କ ତାପମାତ୍ରା ଯାଞ୍ଚ କରିବେ । ବିନା ପାସରେ କାହାକୁ ଭିତରକୁ ଯିବାକୁ ଅନୁମତି ନାହିଁ ।