Odia News Portal

ଆଜି ସର୍ବାଧିକ ୩୭ ଆକ୍ରାନ୍ତ ପ୍ରାଣ ନେଲା ମହାମାରୀ

ଭୁବନେଶ୍ୱର: ରାଜ୍ୟରେ କିଛିଦିନ ହେବ ସଂକ୍ରମଣ କମିଥିବା ସମୟରେ କରୋନା ମୃତ୍ୟୁ ସଂଖ୍ୟାରେ କିନ୍ତୁ ଲଗାମ ଲାଗୁ ନାହିଁ । ମହାମାରୀର ଏହି ସମୟରେ ଲୋକ ନିଜ ପ୍ରୀୟଜନଙ୍କ ଅନ୍ତିମ ସତ୍କାର ପରେ ଅସ୍ଥି କଳସ ମଧ୍ୟ ସାଙ୍ଗରେ ନେଇ ଯିବା ପାଇଁ ଡରୁଛନ୍ତି ।ତେବେ ଗତ ୨୪ ଘଣ୍ଟା ମଧ୍ୟରେ ୮୭୩୫ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୭ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୭୯୧କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

ମୃତକଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୫ଜଣ ରହିଥିବା ବେଳେ କଟକ, କଳାହାଣ୍ଡି ଜିଲ୍ଲାରୁ ୪ଜଣ ଲେଖାଏଁ ରହିଛନ୍ତି । ସେହିଭଳି ଝାରସୁଗୁଡ଼ା, ଖୋର୍ଦ୍ଧା, ନବରଙ୍ଗପୁର, ସୁନ୍ଦରଗଡ଼ ଜିଲ୍ଲାରୁ ୩ଜଣ ଲେଖାଏଁ ରହିଥିବା ବେଳେ କେନ୍ଦ୍ରାପଡ଼ା, ନୂଆପଡ଼ା , ରାୟଗଡ଼ା, ସୋନପୁର ଜିଲ୍ଲାରୁ ୨ଜଣ ଲେଖାଏଁ ରହିଛନ୍ତି । ସେହିପରି ବଲାଙ୍ଗୀର, ଗଜପତି, ଗଞ୍ଜାମ, କୋରାପୁଟ ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି ।