Odia News Portal

ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କ ପରଲୋକ

କଟକ: ପଦ୍ମଶ୍ରୀ ତଥା ବିଶିଷ୍ଟ ସମାଜସେବୀ ଡି. ପ୍ରକାଶ ରାଓଙ୍କ ପରଲୋକ । କଟକ ଏସସିବି କୋଭିଡ୍ ମେଡିକାଲରେ ପରଲୋକ । ଆଜି ଅପରାହ୍ନ ୪ଟା ୧୫ ମିନିଟରେ ତାଙ୍କର ଦେହାନ୍ତ ହୋଇଛି | କରୋନାରେ ଆକ୍ରାନ୍ତ ହୋଇ ୨୦ ଦିନ ତଳେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଶ୍ରୀ ରାଓ | ତେବେ ସେ ବ୍ରେନ ଷ୍ଟ୍ରୋକରେ ପୀଡିତ ଥିବା ଶ୍ରୀ ରାଓଙ୍କ ଝିଅ ସୂଚନା ଦେଇଛନ୍ତି | ଦେହାନ୍ତ ନେଇ ଶ୍ରୀ ରାଓଙ୍କ ପରିବାର ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

ତେବେ କିଛି ଦିନ ତଳେ କରୋନା ପଜିଟିଭ ଥିଲେ ପ୍ରକାଶ ରାଓ । ଅସୁସ୍ଥ ଥିବାରୁ ତାଙ୍କୁ ମେଡିକାଲରେ ଚିକିତ୍ସା କରାଯାଉଥିଲା । ଜିଲ୍ଲା ପ୍ରଶାସନ ପକ୍ଷରୁ ଚିକିତ୍ସା ନିମନ୍ତେ ସମସ୍ତ ସହାୟତା ଯୋଗାଇ ଦିଆଯାଇଥିଲା । ତେବେ ମଣିଷପଣିଆରେ ଭରପୁର ଥିଲେ ପ୍ରକାଶ ରାଓ ।

ଚା ଦୋକାନ କରି ବସ୍ତି ପିଲାଙ୍କୁ ପାଠ ପଢାଉଥିଲେ, ସାହାଯ୍ୟ କରୁଥିଲେ । ଚା ଦୋକାନରୁ ପ୍ରାପ୍ତ ଅର୍ଥରେ ଗରିବ ବସ୍ତି ପିଲାଙ୍କ ପାଇଁ ସ୍କୁଲ ପ୍ରତିଷ୍ଠା କରିଛନ୍ତି ଶ୍ରୀ ରାଓ | ଏଥିସହ ସେ ୨୦୦ରୁ ଅଧିକ ଥର ରକ୍ତଦାନ ମଧ୍ୟ କରିଛନ୍ତି । ଯେଉଁଥିପାଇଁ ସେ ପଦ୍ମଶ୍ରୀ ସମ୍ମାନ ପାଇଥିଲେ । ପ୍ରକାଶ ରାଓଙ୍କ ପରଲୋକରେ ସବୁଠି ଶୋକର ଛାୟା ଖେଳିଯାଇଛି ।