Odia News Portal

ତେଲ ଦର ବୃଦ୍ଧିର ଜବାବ ରଖିଲେ ଧର୍ମେନ୍ଦ୍ର

ନୂଆଦିଲ୍ଲୀ: ଦେଶରେ ପେଟ୍ରୋଲ ଓ ଡିଜେଲ ଦରକୁ ନେଇ ସଂସଦରେ ପେଟ୍ରୋଲିୟମ ମନ୍ତ୍ରୀଙ୍କ ଆଲୋଚନା।ତେଲ ଦର ବୃଦ୍ଧି ପ୍ରସଙ୍ଗରେ ଧର୍ମେନ୍ଦ୍ର ରାଜ୍ୟସଭାରେ ଜବାବ ରଖି କହିଛନ୍ତି ଯେ, ଦେଶରେ ପେଟ୍ରୋଲ ଓ ଡିଜେଲ ଦର ଆନ୍ତର୍ଜାତୀୟ ମୂଲ୍ୟ ପ୍ରଣାଳୀରେ ସ୍ଥିରିକୃତ ହେଉଛି। ତେବେ କିଛି ତତ୍ୱ ଏହାକୁ ଇନ୍ଧନ ମୂଲ୍ୟର ସବୁଠାରୁ ଉଚ୍ଚସ୍ତର କହି ଦେଶରେ ଦୁସ୍ପ୍ରଚାର ଚଳାଇଛନ୍ତି ବୋଲି ଗୃହକୁ କହିଛନ୍ତି । ରାଜ୍ୟସଭାରେ ପ୍ରଶ୍ନୋତ୍ତର କାଳରେ ବିଭିନ୍ନ ସପ୍ଲିମିଣ୍ଟାରୀ ପ୍ରଶ୍ନର ଉତ୍ତର ଦେଇ ଧର୍ମେନ୍ଦ୍ର ଗତ ୩୦୦ ଦିନରେ କେବଳ ୬୦ ଦିନ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ବୃଦ୍ଧି ହୋଇଥିବା କହିଛନ୍ତି। ଏଥିରୁ ୭ ଦିନ ତୈଳ କମ୍ପାନୀମାନେ ମୂଲ୍ୟ ହ୍ରାସ କରିଛନ୍ତି। ତେବେ ୨୫୦ ଦିନ ଧରି ପେଟ୍ରୋଲ ଅଥବା ଡିଜେଲ ମୂଲ୍ୟରେ କୌଣସି ହ୍ରାସ ବୃଦ୍ଧି ହୋଇନଥିଲା ବୋଲି ସେ ଗୃହକୁ କହିଛନ୍ତି।

ଧର୍ମେନ୍ଦ୍ର କହିଛନ୍ତି ଯେ ୨୦୧୦ରେ ପେଟ୍ରୋଲ ଓ ୨୦୧୪ରେ ଡିଜେଲକୁ ସାର୍ବଜନିକ ବଜାର ସହ ସମ୍ପୃକ୍ତ କରାଯାଇଛି। ଏଣୁ ଦେଶର ସର୍ବସାଧାରଣ କ୍ଷେତ୍ରର ତୈଳ ବିପଣନକାରୀ କମ୍ପାନୀମାନେ ଅନ୍ତର୍ଜାତୀୟ ଉତ୍ପାଦର ମୂଲ୍ୟ ଓ ବଜାରର ଅନ୍ୟ ପରିସ୍ଥିତିକୁ ନଜରରେ ରଖି ପେଟ୍ରୋଲ ଓ ଡିଜେଲର ମୂଲ୍ୟ ନିର୍ଦ୍ଧାରଣ କରିଆସୁଛନ୍ତି। ସେହିପରି ପେଟ୍ରୋଲ ଓ ଡିଜେଲ ଉପରେ ସରକାରଙ୍କ ଶୁଳ୍କ ହ୍ରାସ କୌଣସି ପ୍ରସ୍ତାବ ନଥିବା ଧର୍ମେନ୍ଦ୍ର ଗୃହକୁ ସ୍ପଷ୍ଟ କରିଦେଇଛନ୍ତି।