Odia News Portal

ରୋହିତ ଶର୍ମା ହୋଇପାରନ୍ତି ଟି-୨୦ ଓ ଦିନିକିଆ ଦଳର ଅଧିନାୟକ

ନୂଆଦିଲ୍ଲୀ: ହିଟମ୍ୟାନ ରୋହିତ ଶର୍ମା ହୋଇପାନ୍ତି ଟିମ ଇଣ୍ଡିଆର ଅଧିନାୟକ । ରୋହିତ ଟି-୨୦ ଓ ଦିନିକିଆ ଦଳର ଅଧିନାୟକ ହୋଇପାରନ୍ତି ବୋଲି ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ଆରମ୍ଭ ହୋଇଛି । ଜାତୀୟ ଗଣମାଧ୍ୟମ ଟାଇମ୍ସ ଅଫ୍ ଇଣ୍ଡିଆରେ ଏହି ଖବର ପ୍ରସାରଣ ହେବା ପରେ ଏବେ ଏହା ବିଜୁଳି ଭଳି ଭାଇରାଲ ହେବାରେ ଲାଗିଛି । ତେବେ ଏନେ ଏଯାବତ ରୋହିତଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।

ଖବରକାଗଜରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ବିରାଟ କୋହଲି କିଛି ସମୟ ହେବ ରୋହିତ ଶର୍ମା ଓ ଟିମ୍ ମ୍ୟାନେଜମେଣ୍ଟ ସହ ଅଧିନାୟକତ୍ବକୁ ନେଇ ଆଲୋଚନା କରିଛନ୍ତି। ଏପରିକି ୩୪ ବର୍ଷିୟ ରୋହିତ ଶର୍ମାଙ୍କ ସହିତ ଅଧିନାୟକତ୍ବ ସେୟାର କରିବା ନେଇ ନିଷ୍ପତ୍ତି ନେଇଛନ୍ତି ବିରାଟ। ୩୨ ବର୍ଷିୟ କୋହଲି ବର୍ତ୍ତମାନ ଭାରତୀୟ କ୍ରିକେଟ ଦଳର ସମସ୍ତ ଫର୍ମାଟର ଅଧିନାୟକ ଅଛନ୍ତି। ଆଉ ଭାରତର ଜଣେ ସଫଳ ଅଧିନାୟକ ଭାବେ ସେ ନିଜକୁ ପ୍ରତିଷ୍ଠିତ କରିପାରିଛନ୍ତି।

ରିପୋର୍ଟ ମୁତାବକ, କ୍ରିକେଟର ତିନି ଫର୍ମାଟରେ ଅଧିନାୟକତ୍ବ କରୁଥିବାରୁ ତାର ଚାପ ବିରାଟଙ୍କ ଉପରେ ପଡ଼ୁଛି। ଯାହାର ପ୍ରଭାବ ତାଙ୍କ ବ୍ୟାଟିଂରେ ପ୍ରତିଫଳତି ହେଉଛି। ଦୁନିଆର ଶ୍ରେଷ୍ଠ ବ୍ୟାଟସମ୍ୟାନ୍ଙ୍କ ମଧ୍ୟରୁ ବିରାଟ ଅନ୍ୟତମ। ୨୦୨୨ ଓ ୨୦୨୩ ମଧ୍ୟରେ ଭାରତ ୨ଟି ବିଶ୍ବକପ୍ ଖେଳିବ। ଏହାକୁ ଦୃଷ୍ଟିରେ ରଖିଲେ ବିରାଟଙ୍କ ବ୍ୟାଟିଂ ବହୁତ ଗୁରୁତ୍ବପୂର୍ଣ୍ଣ ଟିମ୍ ଇଣ୍ଡିଆ ପାଇଁ। ଏହାକୁ ନଜରରେ ରଖି ବିରାଟ ସୀମିତ ଓଭର କ୍ରିକେଟ ଅଧିନାୟକ ପଦରୁ ଇସ୍ତଫା ଦେଇ ପାରନ୍ତି। କୋହଲି ନିଜେ ଏନେଇ ଘୋଷଣା କରିବେ। କାରଣ ସେ ଜାଣିଛନ୍ତି ଅଧିକ ବ୍ୟାଟିଂ ଉପରେ ଫୋକସ୍ ଦେବାକୁ ପଡ଼ିବ।