Odia News Portal

ଶ୍ରୀଲଙ୍କାରେ ଜରୁରୀ ପରିସ୍ଥିତି ଘୋଷଣା

ଉତ୍କଟ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କାରେ ଜରୁରୀକାଳୀନ ପରିସ୍ଥିତି ଲାଗୁ ହୋଇଛି । ରାଷ୍ଟ୍ରପତି ଗୋତାବାୟା ରାଜପକ୍ଷେ ଦେଶବ୍ୟାପୀ ଜରୁରୀ ପରିସ୍ଥିତି ଘୋଷଣା କରିଛନ୍ତି । ଜାରି କରାଯାଇଥିବା ଆଦେଶରେ କୁହାଯାଇଛି ଯେ ଦେଶର ନିରାପତ୍ତା ତଥା ଅତ୍ୟାବଶ୍ୟକ ସେବା ଯୋଗାଣରେ ଶୃଙ୍ଖଳା ବଜାୟ ରଖିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ଏପ୍ରିଲ ୧ରୁ ଜରୁରୀ ପରିସ୍ଥିତି ଲାଗୁ ହୋଇଛି।

ଏହି ନିଷ୍ପତ୍ତି ରାଷ୍ଟ୍ରପତି ରାଜପକ୍ଷେଙ୍କ ଦ୍ବାରା ନିଆଯାଇଛି ଯେଉଁ ସମୟରେ ତାଙ୍କ ତଥା ତାଙ୍କ ସରକାର ବିରୋଧରେ ପ୍ରଦର୍ଶନ ଜୋରଦାର ହୋଇଛି। ଶ୍ରୀଲଙ୍କାରେ ଆର୍ଥିକ ସଙ୍କଟ ଆରମ୍ଭ ହେବା ଦିନଠୁ ରାଷ୍ଟ୍ରପତିଙ୍କ ପ୍ରତି ଲୋକଙ୍କ ଅସନ୍ତୋଷ ଓ କ୍ରୋଧ ବଢ଼ିବାରେ ଲାଗିଛି। ଗୁରୁବାର ତାଙ୍କ ବାସଭବନ ବାହାରେ ମଧ୍ୟ ହିଂସାତ୍ମକ ପ୍ରଦର୍ଶନ ହୋଇଥିଲା। ପରିସ୍ଥିତି ଏପରି ହୋଇଥିଲା ଯେ ପୋଲିସ୍ ପ୍ରଦର୍ଶନକାରୀଙ୍କୁ ଘଉଡିବା ପାଇଁ ଓ୍ବାଟର କ୍ୟାନନ ସହ ଲାଠିମାଡ଼ କରିଥିଲା ।

ବର୍ତ୍ତମାନ ଏହି ପ୍ରଦର୍ଶନ କେବଳ ରାଷ୍ଟ୍ରପତିଙ୍କ ବାସଭବନ ଓ ରାଜଧାନୀ କଲମ୍ବୋରେ ସୀମିତ ହୋଇ‌ରହି ନାହିଁ, ଶ୍ରୀଲଙ୍କାର ବିଭିନ୍ନ ଅଞ୍ଚଳରୁ ଏହିପରି ବିକ୍ଷୋଭ ଖବର ମିଳିଛି | ଶ୍ରୀଲଙ୍କା ଏକାସାଙ୍ଗରେ ଅନେକ ଆହ୍ବାନର ସମ୍ମୁଖୀନ ହେଉଛି | ଅତ୍ୟାବଶ୍ୟକ ସାମଗ୍ରୀ ସହ ଦେଶରେ ଏକ ବଡ଼ ଶକ୍ତି ସଙ୍କଟ ମଧ୍ୟ ଦେଖାଦେଇଛି । ଦେଶ ଘଣ୍ଟା ଘଣ୍ଟା ଧରି ଅନ୍ଧକାରରେ ରହିବାକୁ ବାଧ୍ୟ ହେଉଛି | ବସ୍ ଏବଂ ବାଣିଜ୍ୟିକ ଯାନ ପାଇଁ ଫିଲିଂ ଷ୍ଟେସନରେ ଆଉ ଡିଜେଲ ବାକି ନାହିଁ | ଅଧିକାରୀ ତଥା ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଶ୍ରୀଲଙ୍କାରେ ସାଧାରଣ ପରିବହନ ସେବା ଗୁରୁତର ଭାବେ ପ୍ରଭାବିତ ହୋଇଛି।

ଏସବୁ ବ୍ୟତୀତ ଶ୍ରୀଲଙ୍କାରେ ଛାତ୍ରଛାତ୍ରୀଙ୍କ ଶିକ୍ଷା ଉପରେ ମଧ୍ୟ ଏହି ଅର୍ଥନୈତିକ ସଙ୍କଟର ଏକ ବଡ଼ ପ୍ରଭାବ ଦେଖିବାକୁ ମିଳିଛି। ପ୍ରଥମ ଥର ପାଇଁ ଦେଶରେ କାଗଜପତ୍ରର ଅଭାବ ଦେଖାଦେଇଛି ଯେଉଁଥିପାଇଁ ପରୀକ୍ଷା ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି। କେତେକ ସ୍ଥାନରେ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ହେଉଥିବା ବେଳେ ଆଉ କିଛି ସ୍ଥାନରେ ଏହା ମଧ୍ୟ ହିଂସାତ୍ମକ ରୂପ ନେଇଛି | ଏହି କାରଣରୁ କଲମ୍ବୋ ଉତ୍ତର, କଲମ୍ବୋ ଦକ୍ଷିଣ, କଲମ୍ବୋ ସେଣ୍ଟ୍ରାଲ ଏବଂ ନାଗେଗୋଡା ପୋଲିସ ଡିଭିଜନରେ କର୍ଫ୍ୟୁ ଲାଗୁ କରାଯାଇଛି।