Odia News Portal

ତିନି ଦୁର୍ନୀତିଗ୍ରସ୍ତ ଅଫିସରଙ୍କୁ ବାଧ୍ୟତାମୂଳକ ଅବସର

ଭୁବନେଶ୍ବର () ପ୍ରଥମ ଥର ପାଇଁ ରାଜ୍ୟ ସରକାର ଦୁର୍ନୀତି ଅଭିଯୋଗରେ ତିନି ଜଣ ବରିଷ୍ଠ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି । ଏହି ତିନି ଅଫିସର ହେଲେ ଅବକାରୀ ବିଭାଗର ଉପ-କମିଶନର ଦିଲ୍ଲୀପ କୁମାର ନାଗ ଏବଂ ଆଞ୍ଚଳିକ ପରିବହନ ଅଧିକାରୀ ବସନ୍ତ କୁମାର ବେହେରା ଏବଂ ଡିଏଫଓ ଶରତ ଚନ୍ଦ୍ର ପଣ୍ଡା ।

ଦିଲ୍ଲୀପ କୁମାର ନାଗ ଅବକାରୀ ବିଭାଗର ସବୁଠାରୁ ଦୁର୍ନୀତିଗ୍ରସ୍ତ ଅଫସର । ସେ 2012ରେ କଟକରେ ଉପଅବକାରୀ କମିଶନର ଭାବେ ନିଯୁକ୍ତି ପାଇଥିଲେ । ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ରାଜ୍ୟ ଭିଜିଲାନ୍ସ ତାଙ୍କୁ ଗିରଫ କରିଥିଲା । ଗିରଫ ସମୟରେ ତାଙ୍କ ବାସଭବନରୁ 47 ଲକ୍ଷ 50 ହଜାର କ୍ୟାସ ଜବତ ହୋଇଥିଲା । ତାଙ୍କର ଓ ତାଙ୍କ ପରିବାର ନାଁରେ ମୋଟ 1 କୋଟି 50 ଲକ୍ଷ ଟଙ୍କାର ସମ୍ପତ୍ତି ଜବତ ହୋଇଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ ଭିଜିଲାନ୍ସ ବିଭାଗ ପକ୍ଷରୁ ହୋଇଥିବା ଚଢାଉରେ ଏହା ଦ୍ବିତୀୟ ସର୍ବାଧିକ ଅର୍ଥ ଜବତ ହୋଇଥିଲା । ସେ 2012 ନଭେମ୍ବର 20 ତାରିଖରୁ 2015 ମାର୍ଚ୍ଚ 3 ତାରିଖ ପର୍ଯ୍ୟନ୍ତ ନିଲମ୍ବିତ ହୋଇଥିଲେ । ସରକାରୀ କର୍ମଚାରୀ ଆଚରଣ ଆଇନ 1959ର ବିରୁଦ୍ଧାଚରଣ କରି ସେ ନିଜ ଚାକିରି କାଳ ମଧ୍ୟରେ ଯେତେ ସମ୍ପତ୍ତି ଆହରଣ କରିଥିଲେ ତାହା ସରକାରଙ୍କୁ ଜଣାଇନଥିଲେ ।

ସେହିଭଳି ବସନ୍ତ କୁମାର ବେହେରା ଢେଙ୍କାନାଳ ଆରଟିଏ ଥିବା ସମୟରେ ତାଙ୍କ ବିରୋଧରେ ଭିଜିଲାନ୍ସ ମାମଲା ରୁଜୁ ହୋଇଥିଲା । 2018ରେ ରାଜ୍ୟ ଭିଜିଲାନ୍ସ ତାଙ୍କୁ ଗିରଫ କରିଥିଲା । ଆୟବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିଲା । ତାଙ୍କର ଓ ତାଙ୍କ ପରିବାର ନାଁରେ ଆୟ ବର୍ହିଭୁତ ଭାବେ 2 କୋଟି 50 ଲକ୍ଷ ଟଙ୍କାର ସମ୍ପତ୍ତି ରହିଥିଲା । ତାଙ୍କ ବାସଘରେ ଚଢାଉ ସମୟରେ 3 ଲକ୍ଷ ଟଙ୍କା ନଗଦ ଟଙ୍କା ଜବତ କରାଯାଇଥଲା । ଦୁର୍ନୀତି ଅଭିଯୋଗରେ ସେ ଗିରଫ ହୋଇ ଜେଲ ଯାଇଥିବା ବେଳେ ସରକାର ତାଙ୍କୁ 2018 ଜୁଲାଇ 6 ତାରିଖରୁ ନିଲମ୍ବିତ ହୋଇଛନ୍ତି । ଏଥସହିତ 2014ରେ ବିଭିନ୍ନ ଯାନବାହନରୁ ଟିକସ ଓ ଫାଇନ ବାବଦରେ ଆଦାୟ ହୋଇଥିବା 4 ଲକ୍ଷ 62 ହଜାର 382 ଆତ୍ମସାତ ଅଭିଯୋଗରେ ତାଙ୍କ ବିରୋଧରେ ଭିଜିଲାନ୍ସ ମାମଲା ହୋଇଥିଲା । ସେ ସମୟରେ ସେ ବରଗଡ ଆରଟିଓ ଥିଲେ । ଆୟ ବର୍ହିଭୁତ ଭାବେ ବସନ୍ତ ଭୁବନେଶ୍ବରରେ ଦୁଇ ଓ କଟକରେ ଦୁଇଟି ଲେଖାଏଁ ପ୍ଲଟ ରହିଥିଲା, ଯାହାର ଆନୁମାନିକ ମୂଲ୍ୟ 1 କୋଟି 77 ଲକ୍ଷ 32ହଜାର 500 ଟଙ୍କା । ଭୁବନେଶ୍ବର କସ୍ମୋପଲ୍ଲି ଫ୍ଲାଟର ମୂଲ୍ୟ 49 ଲକ୍ଷ 27 ହଜାର 202 ଟଙ୍କା । ବିଭିନ୍ନ ବ୍ୟାଙ୍କରେ 33 ଲକ୍ଷ 80 ହଜାର 704 ଟଙ୍କା ଥିଲା । ଜଣେ ଆରଟିଓ ଓ ତାଙ୍କ ପରିବାର ନାଁରେ ଗୋଟିଏ ମର୍ସଡିସ ବେଂଜ, ହଣ୍ଡା ବ୍ରିୟୋ, ହୁଣ୍ଡାଇ ଆଇ-10, ମହିନ୍ଦ୍ରା ଏକ୍ସୟୁଭି ଓ ଟାଟା ଇନୋଭା ଗାଡି ରହିଥିଲା । ଚଢାଉ ସମୟରେ ଘରୁ 3 ଲକ୍ଷ 44 ହଜାର 890 ଟଙ୍କା କ୍ୟାସ ଜବତ ହୋଇଥିଲା । ଘରେ ଥିବା ଆସବାବପତ୍ରର ମୂଲ୍ୟ 21 ଲକ୍ଷ ଟଙ୍କା ହେବ ।

ବାଧ୍ୟତାମୂଳକ ଅବସର ପାଇଥିବା ଆଉ ଜଣେ ଅଧିକାରୀ ହେଲେ ଖରିଆର ଡିଏଫଓ ଶରତ ଚନ୍ଦ୍ର ପଣ୍ଡା । ସେ ନିଜ ନାଁ ଓ ପରିବାର ନାଁରେ ପ୍ରାୟ ସାଢେ ଚାରି କୋଟି ଟଙ୍କାର ସମ୍ପତ୍ତି ଆହରଣ କରିଥିଲେ । ପରିବାର ଓ ନିଜ ବ୍ୟାଙ୍କ ଆକାଉଣ୍ଟରୁ 4 କୋଟି ଟଙ୍କା ଜମା ଉଦ୍ଧାର କରାଯାଇଥିଲା । 2016 ବିମୁଦ୍ରିକରଣ ସମୟରେ ସେ ଏହି ଟଙ୍କା ନିଜ ଆକାଉଣ୍ଟରେ ଜମା କରିଥିଲେ । 4 କୋଟି 26 ଲକ୍ଷ ଟଙ୍କାର ବ୍ୟାଙ୍କ ଜମା ସହ ଭୁବନେଶ୍ବରରେ 23 ଲକ୍ଷ 97 ଲକ୍ଷ ଟଙ୍କା ମୂଲ୍ୟର ଏକ ତିନି ମହଲା କୋଠା ଓ ଗୋଟିଏ ଦୁଇ ମହଲା କୋଠା ରହିଛି । ଭୁବନେଶ୍ବରରେ 53 ଲକ୍ଷ 80 ହଜାର ଟଙ୍କାର ବାସପଯୋଗୀ ଜମି, 3 ଲକ୍ଷ 80 ହଜାର ଟଙ୍କାର ଗୋଟିଏ କାର  ଓ ଏକାଧିକ ଦୁଇ ଚକିଆ ଯାନ ଜବତ ହୋଇଥିଲା । ସେ 2017 ଫେବୃଆରୀ 26 ତାରିଖରେ ଗିରଫ ହୋଇଥିଲେ ।