Odia News Portal

ସ୍ତ୍ରୀକୁ ମାରି ପାଇଖାନା ଟାଙ୍କିରେ ଫିଙ୍ଗି ଦେଇଥିଲା ସ୍ବାମୀ, ୫ ମାସ ପରେ ଉଦ୍ଧାର ହେଲା ମୃତଦେହ

ପାରିବାରିକ କଳହକୁ ନେଇ ସ୍ତ୍ରୀକୁ ମାରି ପାଇଖାନା ଟାଙ୍କିରେ ଫିଙ୍ଗି ଦେଇଥିଲା ସ୍ବାମୀ । ଆଉ ରଚିଥିଲା ନିଖୋଜର ନାଟକ। ଘଟଣାରେ ୫ ମାସ ପରେ ମୃତଦେହ ଉଦ୍ଧାର କରିବା ସହ ଘଟଣା ଉପରୁ ପରଦା ହଟାଇଛି ପୋଲିସ। କୋରାପୁଟ ଜିଲ୍ଲା କାକିରିଗୁମ୍ମାରେ ଏଭଳି ଘଟଣା ଦେଖିବାକୁ ମିଳିଛି। ପାରିବାରିକ କଳହ ପରେ କାକିରିଗୁମ୍ମାର ଦଶରଥ ସାହୁ ନିଜ ସ୍ତ୍ରୀ ଗୌରୀ ସାହୁକୁ ମାରି ପାଇଖାନା ଟାଙ୍କିରେ ପକାଇ ଦେଇଥିଲେ। ଆଉ ପୋଲିସ ହାତରେ ଧରା ପଡିବା ଭୟରେ ରଚିଥିଲା ନିଖୋଜ ନାଟକ।

ପୋଲିସ ନିକଟରେ ନିଖୋଜ ମାମଲା ବି ଦାୟର ହୋଇଥିଲା। ହେଲେ ଝିଅ ଏତେ ଦିନ ଧରି ନିଖୋଜ ହେବା ନେଇ ବାପ ଘର ଲୋକ ସନ୍ଦେହ କରିଥିଲେ। ଆଉ ଶେଷରେ ମାନସିକ ଭାରସାମ୍ୟ ହରାଇ ସବୁ ସତ ମାନି ନେଇଥିଲା ଅଭିଯୁକ୍ତ ସ୍ବାମୀ ଦଶରଥ ସାହୁ। ଘଟଣା ସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ ଟିମ୍ ପହଞ୍ଚି ମୃତଦେହ ଉଦ୍ଧାର କରିଛି। ପାରିବାରିକ କଳହ ପରେ ସ୍ବାମୀ ଦଶରଥ ସ୍ତ୍ରୀ ଗୌରୀକୁ ହତ୍ୟା କରି ପାଇଖାନା ଟାଙ୍କିରେ ପୋତିଥିବା ଗୌରୀଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି ।

ତେବେ ପୋଲିସ କହିବା ଅନୁସାରେ ଏହି ହତ୍ୟାକାଣ୍ଡ ପଛରେ ପାରିବାରିକ କଳହ ନୁହଁ ବରଂ ଏହି ହତ୍ୟାକାଣ୍ଡ ହଠାତ ଉତ୍ତେଜନାରୁ ହୋଇଛି।୨ ବର୍ଷ ତଳେ ଗୌରୀ ମାନସିକ ରୋଗରେ ଆକ୍ରାନ୍ତ ହୋଇଥିଲେ। ଆଉ ୫ ମାସ ତଳେ ସ୍ବାମୀ ଦଶରଥ ଏଥିପାଇଁ ଔଷଧ ଆଣି ଗୌରୀଙ୍କୁ ଦେଇଥିଲେ। କିନ୍ତୁ ଗୌରୀ ଔଷଧ ଖାଇବାକୁ ମନା କରିବାରୁ ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଆଉ ଏଥିରେ ରାଗିଯାଇ ଦଶରଥ ସ୍ତ୍ରୀ ଗୌରୀଙ୍କୁ ଠେଲି ଦେଇଥିଲେ। କାନ୍ଥରେ ଗୌରୀଙ୍କ ମୁଣ୍ଡ ପିଟି ହେବାରୁ ରକ୍ତତ୍ସାବ ହୋଇ ତାଙ୍କର ମୃତ୍ୟୁ ହୋଇଥିଲା। ଆଉ ଭୟରେ ପାଇଖାନା ଟାଙ୍କିରେ ମୃତଦେହ ଦଶରଥ ପୋତି ଦେଇଥିଲା।ତେବେ ଏହି ଦମ୍ପତିଙ୍କ ପୁଅ ଓ ଝିଅ ବି ଅଛନ୍ତି। ପୋଲିସ ଘଟଣାର ତଦନ୍ତ କରୁଛି।