Odia News Portal

ସେଶେଲ୍ସର ସର୍ବୋଚ୍ଚ ପୁରସ୍କାରରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ ମୋଦୀ

ପରିବେଶ ସଂରକ୍ଷଣ ଓ ସ୍ଥାୟୀ ବିକାଶ କ୍ଷେତ୍ରରେ ଭାରତର ଉଲ୍ଲେଖନୀୟ ଅବଦାନକୁ ସ୍ୱୀକୃତି ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସେଶେଲ୍ସର ସର୍ବୋଚ୍ଚ ରାଷ୍ଟ୍ରପତି ସମ୍ମାନ ‘ଗାର୍ଡିଆନ୍ ଅଫ୍ ଦି ବ୍ଲୁ ହରାଇଜନ୍’ ପ୍ରଦାନ କରାଯାଇଛି।ତିନି ଦିନିଆ ସେଶେଲ୍ସ ଗସ୍ତର ପ୍ରଥମ ଦିନରେ ଏହି ସମ୍ମାନ ଗ୍ରହଣ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଏହା କେବଳ ତାଙ୍କର ନୁହେଁ, ବରଂ ଜଳବାୟୁ ପରିବର୍ତ୍ତନର ଚ୍ୟାଲେଞ୍ଜ ସହ ମୁକାବିଲା କରୁଥିବା ଏବଂ ପରିବେଶ ସୁରକ୍ଷାକୁ ନିଜର କର୍ତ୍ତବ୍ୟ ମନେ କରୁଥିବା ସମସ୍ତ ଦେଶଙ୍କ ପାଇଁ ଉତ୍ସର୍ଗୀକୃତ।ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ପୋଷ୍ଟ କରି ପ୍ରଧାନମନ୍ତ୍ରୀ ସେଶେଲ୍ସର ଜନସାଧାରଣ, ସରକାର ଏବଂ ରାଷ୍ଟ୍ରପତି ପାଟ୍ରିକ୍ ହର୍ମିନିଙ୍କୁ ଏହି ସମ୍ମାନ ପାଇଁ କୃତଜ୍ଞତା ଜଣାଇଛନ୍ତି।

 

ସେ କହିଛନ୍ତି, ବିଶ୍ୱକୁ ଅଧିକ ସବୁଜ ଓ ସ୍ୱଚ୍ଛ କରିବା ଦିଗରେ ଭାରତର ‘ଲାଇଫ୍ ମିଶନ’ ଏବଂ ‘ଆନ୍ତର୍ଜାତୀୟ ସୌର ମେଣ୍ଟ’ ପରି ପଦକ୍ଷେପ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଉଛି।ଏହି ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ସେଶେଲ୍ସର ରାଷ୍ଟ୍ରପତି ପାଟ୍ରିକ୍ ହର୍ମିନିଙ୍କ ସହ ଷ୍ଟେଟ୍ ହାଉସରେ ବ୍ୟାପକ ଦ୍ୱିପାକ୍ଷିକ ଆଲୋଚନା କରିଥିଲେ। ଉଭୟ ନେତା ଭାରତ–ସେଶେଲ୍ସ ରଣନୀତିକ ସମ୍ପର୍କ, ସାମୁଦ୍ରିକ ସୁରକ୍ଷା, ଆଞ୍ଚଳିକ ସହଯୋଗ ଓ ଆନ୍ତର୍ଜାତୀୟ ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା କରିଥିଲେ।ଭାରତର ‘ମହାସାଗର’ ଭିଜନ ଅଧୀନରେ ସେଶେଲ୍ସ ଏକ ପ୍ରମୁଖ ସାମୁଦ୍ରିକ ସହଯୋଗୀ ଦେଶ ଭାବେ ପରିଗଣିତ। ଆସନ୍ତା ସୋମବାର ପ୍ରଧାନମନ୍ତ୍ରୀ ସେଶେଲ୍ସର ସୁବର୍ଣ୍ଣ ଜୟନ୍ତୀ ଜାତୀୟ ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେବା ସହ ସେଠାକାର ଜାତୀୟ ସଭାକୁ ସମ୍ବୋଧନ କରିବେ ଏବଂ ପ୍ରବାସୀ ଭାରତୀୟଙ୍କ ସହ ମଧ୍ୟ ମତବିନିମୟ କରିବେ।