Odia News Portal

ଜ୍ୱାଳାମୁଖୀର ରୂପ ନେଉଛି ଛାତ୍ର ଅସନ୍ତୋଷ

ଭୁବନେଶ୍ୱର () ଛାତ୍ର ନେତା ପ୍ରକାଶ ତ୍ରିପାଠୀ ଗିରଫ ହେବା ପରେ ରାଜ୍ୟରେ ତେଜୁଛି ଛାତ୍ର ଅସନ୍ତୋଷ । ବିଭିନ୍ନ ଜିଲ୍ଲାର ଛାତ୍ର ନେତା ଓ ସଂଗଠନମାନେ ପ୍ରକାଶଙ୍କ ପ୍ରତି ପୋଲିସର ଅସମ୍ମାନଜନକ ପଦକ୍ଷେପକୁ ନେଇ କ୍ଷୁବ୍ଧ ହୋଇଛନ୍ତି । ସେମାନେ ଏଭିତରେ ରାଜ୍ୟବ୍ୟାପୀ ଆନ୍ଦୋଳନର ଯୋଜନା କରୁଥିବା ବେଳେ ଏହି ପ୍ରସଙ୍ଗରେ ଦଳମତ ନିର୍ବିଶେଷରେ ସବୁ ଛାତ୍ର ସଂଗଠନ ଏକାଠି ହେଉଛନ୍ତି ।
ପ୍ରକାଶ ଆତ୍ମସମର୍ପଣ କରିଥିବା ବେଳେ ପୋଲିସ ତାଙ୍କୁ ଗିରଫ କରି ବାହାଦୁରୀ ଦେଖାଇବା ଏବଂ ଆତ୍ମସମର୍ପଣ ପାଇଁ ତାଙ୍କ ଘର ଉପରେ ବାରମ୍ବାର ଚଢାଉ କରି ଘର ମାଲିକଙ୍କୁ ଧମକ ଦେବା ପୋଲିସର ମାତ୍ରାଧିକ ହାମବଡା ନୀତି ବୋଲି ଅଭିଯୋଗ କରୁଛନ୍ତି କିଛି ଛାତ୍ର ନେତା । ସାମାନ୍ୟ ଛାତ୍ର ଅଶାନ୍ତିକୁ ପୋଲିସ ନିଜର ଅପାରଗତା ଯୋଗୁଁ ସଠିକ ଭାବେ ସମାଧାନ କରିନପାରିବାର ପରିଣାମ ଥାନା ଆକ୍ରମଣରେ ରୂପାନ୍ତରିତ ହୋଇଛି । ଏଥିରେ ପୋଲିସ କିନ୍ତୁ ନିଜ ବିଫଳତାକୁ ଭୁଲିଯାଇ ଆକ୍ରୋଷମୂଳକ ଭାବେ ଜଣେ ଛାତ୍ରନେତାଙ୍କୁ ସିଲଟ ଧରି ଫଟୋ ଉଠାଇ ବାହାବା ନେଉଛି ।
ପୋଲିସର ଏହି ଅପରିଣାମଦର୍ଶିତା ଯୋଗୁଁ ଏବେ ରାଜ୍ୟରେ ଛାତ୍ର ଅସନ୍ତୋଷ ଦାନା ବାନ୍ଧୁଛି । ସବୁ ଛାତ୍ରନେତା ଓ ସଂଗଠନଗୁଡିକ ଖୁବଶୀଘ୍ର ଭୁବନେଶ୍ୱରରେ ମିଳିତ ବୈଠକ କରିବାକୁ ଯାଉଛନ୍ତି । ଏଥିପାଇଁ ଲୋହିଆ ଏକାଡେମୀ ଏବେଠାରୁ ବୁକ ହୋଇଛି । କହ୍ନେୟା କୁମାରଙ୍କ ପରି ଜାତୀୟ ସ୍ତରର ଛାତ୍ରନେତାଙ୍କୁ ବି ଏହି ସମ୍ମିଳନୀକୁ ଆମନ୍ତ୍ରଣ କରାଯାଇଛି । ଏଥିସହିତ ଛାତ୍ରନେତାମାନେ ମେଳି ହୋଇ ରାଜ୍ୟ ମାନବାଧିକାର କମିଶନଙ୍କୁ ଭେଟିବେ । ଏଥିସହିତ ଆସନ୍ତାକାଲି ୨୦୦ରୁ ଅଧିକ ଛାତ୍ରନେତା ରାଜଧାନୀରେ ବିଭିନ୍ନ ବରିଷ୍ଠ ନେତାଙ୍କ ଘର ଘର ବୁଲି ପ୍ରକାଶଙ୍କ ଉପରେ ହୋଇଥିବା ଅସମ୍ମାନଜନକ ପଦକ୍ଷେପର ପ୍ରତିବାଦ ଜଣାଇବେ ।
ସେପଟେ ପୋଲିସ ନିକଟରେ ଆତ୍ମସର୍ପଣ କରିଥିବା ପ୍ରକାଶଙ୍କୁ ପୋଲିସ ଗିରଫ ଦର୍ଶାଇବା ପୂର୍ବରୁ ନିସ୍ତୁକ ମାଡ ମାରିଥିବାର ଦେଖିବାକୁ ମିଳିଛି । ପ୍ରକାଶଙ୍କ ଉପରେ ହୋଇଥିବା ପୋଲିସ ମାଡର ସ୍ପଷ୍ଟ ପ୍ରମାଣ ଆମ ହାତରେ ଲାଗିଛି । ପୋଲିସ ମାଡରେ ପ୍ରକାଶଙ୍କ ଗୋଡରେ ନୋଳା ଫାଟିଯାଇଛି । ପ୍ରକାଶଙ୍କ ଉପରେ ପୋଲିସର ଅମାନବୀୟ କାର୍ଯ୍ୟ ପ୍ରତିବାଦରେ ରାଜ୍ୟରେ ଛାତ୍ର ଅଶାନ୍ତି ଆଗାକୁ ଭୟଙ୍କର ରୂପ ନେବାକୁ ଯାଉଥିବା ବେଳେ ନିଆଁରେ ଘିଅ ଢାଳିବା କାମ କରୁଛନ୍ତି ବରିଷ୍ଠ ଆଇପିଏସ ଅଫିସର ଅରୁଣ ବୋଥ୍ରା । ସେ ଟ୍ୱିଟ କରି ଓଡିଶା ପୋଲିସ ଏବଂ ଛାତ୍ର ନେତାଙ୍କୁ ଯେଉଁଭଳି ଚିତ୍ରତ କରିଛନ୍ତି, ସେଥିରୁ ଅନୁମାନ କରାଯାଉଛି ଯେ, ଅରୁଣ ବୋଥ୍ରା ଜାଣିଶୁଣି ନିଜର ପୁରୁଣା ରାଗ ରାଜ୍ୟ ପୋଲିସ ଉପରେ ସୁଝାଉଛନ୍ତି । ତାଙ୍କୁ ଯେପରି କେନ୍ଦ୍ରାପଡାରୁ କୋରାପୁଟକୁ ଅମାନସୂଚକ ଭାବେ ବଦଳି କରାଯାଇଥିଲା, ଏଭଳି ଛାତ୍ର ଅଶାନ୍ତିକୁ ତେଜି ନିଜ ଅପମାନର ପ୍ରତିଶୋଧ ନେଉଥିବା ବରିଷ୍ଠ ପୋଲିସ ଅଧିକାରୀଙ୍କ ମହଲରେ ଚର୍ଚ୍ଚା ହେଉଛି ।
ପ୍ରକାଶଙ୍କ ଉପରେ ହୋଇଥିବା ପୋଲିସ ଆକ୍ସନକୁ ନେଇ କମିଶନରେଟ ପୋଲିସର ଦୋମୁହାଁ ନୀତି ବି ପଦାରେ ପଡିଛି । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କ ଘର ଉପରେ ହୋଇଥିବା ମରଣାନ୍ତକ ଆକ୍ରମଣ ଘଟଣାରେ ସଂପୃକ୍ତ ଯୁବକଙ୍କ ଘରୁ ବୋମା ଜବତ ହୋଇଥିଲେ ବି ସେମାନଙ୍କୁ ଏଭଳି ଭାବେ ସିଲଟ ଧରାଇ କାହିଁକି ଫଟୋ ଉତ୍ତୋଳନ କରାଯାଇନଥିଲା । ଥାନାରେ ଦୁଇ ଛାତ୍ର ଗୋଷ୍ଠିର ଆପୋଷ ଲଢେଇର ପ୍ରତିଫଳନ କଣ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କ ଘର ଉପରେ ଆକ୍ରମଣ ଘଟଣା ଠାରୁ ଏହା ଅଧିକ ସମ୍ବେଦନଶୀଳ ଥିଲା?