Odia News Portal

ସଚିନଙ୍କୁ ପଛରେ ପକାଇଲେ କୋହଲି

ତାରକା ଭାରତୀୟ ବ୍ୟାଟ୍‌ସମ୍ୟାନ ତଥା ରନ୍‌ ମେସିନ ବିରାଟ କୋହଲି ଅନ୍ତର୍ଜାତୀୟ କ୍ରିକେଟରେ ଆଉ ଏକ ମାଇଲଖୁଣ୍ଟ ଛୁଇଁଛନ୍ତି। କୋହଲି ବିଶ୍ବର ୨ୟ ବ୍ୟାଟ୍‌ସମ୍ୟାନ ଭାବେ ଦିନିକିଆ କ୍ରିକେଟରେ ୧୫,୦୦୦ ରନ୍‌ ପୂରଣ କରିଛନ୍ତି। ତାଙ୍କ ପୂର୍ବରୁ କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକର କେବଳ ଏହି ଉପଲବ୍ଧି ହାସଲ କରିଥିଲେ। ୧୫,୦୦୦ ଦିନିକିଆ ରନ୍‌ କରିବାରେ ବିରାଟ କୋହଲି ବିଶ୍ବର ଦ୍ରୁତତମ ବ୍ୟାଟ୍‌ସମ୍ୟାନ ହୋଇଛନ୍ତି। ୩୧୫ଟି ଦିନିକିଆ ମ୍ୟାଚ ଖେଳି ୩୦୩ଟି ଇନିଂସ୍‌ରେ ୧୫,୦୦୦ ଦିନିକିଆ ରନ୍‌ ଅତିକ୍ରମ କରିଛନ୍ତି। ସଚିନ ୩୭୭ ଦିନିକିଆ ଇନିଂସରେ ୧୫,୦୦୦ ଦିନିକିଆ ରନ୍‌ରେ ପହଞ୍ଚିଥିଲେ। ଫଳରେ ସଚିନଙ୍କୁ ଅତିକ୍ରମ କରି ତାଙ୍କ ସଫଳତା ଗାଥାରେ ଆଉ ଏକ ଫର୍ଦ୍ଦ ଯୋଡ଼ିଛନ୍ତି। ରବିବାର ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ପ୍ରଥମ ଦିନିକିଆରେ କୋହଲି ଏହି ବିଶ୍ବ କୀର୍ତ୍ତିମାନ ହାସଲ କରିଛନ୍ତି। କୋହଲି ଏହି ମ୍ୟାଚ୍‌ରେ ୫୯ ରନ କରିବା ପରେ ୧୫,୦୦୦ ଦିନିକିଆ ରନ୍‌ ପୂରଣ କରିଥିଲେ। ସେ ୧୩୯ ରନ୍‌ କରି ଅପରାଜିତ ରହିଥିଲେ। କୋହଲି ଏବେ ସୁଦ୍ଧା ୩୧୫ଟି ଦିନିକିଆ ମ୍ୟାଚ୍‌ର ୩୦୩ଟି ଇନିଂସରୁ ୫୫ଟି ଶତକ ଓ ୭୯ଟି ଅର୍ଦ୍ଧଶତକ ସହ ୧୫,୦୮୦ ରନ୍‌ କରିଛନ୍ତି। ସଚିନ ୪୬୩ଟି ଦିିନିକିଆ ମ୍ୟାଚରୁ ସର୍ବାଧିକ ୧୮,୪୨୬ ରନ୍‌ କରି ପ୍ରଥମ ସ୍ଥାନରେ ରହିଛନ୍ତି। ତାଙ୍କ ପଛକୁ ୧୫,୦୮୦ ରନ୍‌ ସହ ବିରାଟ କୋହଲି ୨ୟ ସ୍ଥାନରେ ରହିଛନ୍ତି। କୁମାର ସାଙ୍ଗାକାରା (୧୪,୨୩୪) ୩ୟ, ରିକି ପଣ୍ଟିଂ (୧୩,୭୦୪) ୪ର୍ଥ ଓ ସନତ ଜୟସୂରିୟା (୧୩,୪୩୦) ୫ମ ସ୍ଥାନରେ ରହିଛନ୍ତି। ସୂଚନାଯୋଗ୍ୟ, କୋହଲି ଅନ୍ତର୍ଜାତୀୟ ଟି୨୦ ଓ ଟେଷ୍ଟରୁ ଅବସର ନେଇ ସାରିଥିବା ବେଳେ କେବଳ ଦିିନିକିଆ ଖେଳିବା ଜାରି ରଖିଛନ୍ତି।