Odia News Portal

ଛୁରାମାଡ଼ର ଖାଇଲେ, ୧୭୪ ଯାତ୍ରୀଙ୍କ ଜୀବନ ବଞ୍ଚାଇଲେ

ଏକ ଭୟଙ୍କର ଆକ୍ରମଣ, ଜୀବନ ପ୍ରତି ବିପଦ ଏବଂ ଶହ ଶହ ଯାତ୍ରୀଙ୍କ ସୁରକ୍ଷାର ଦାୟିତ୍ୱ! ଛୁରାମାଡ଼ର ଶିକାର ହେବା ପରେ ମଧ୍ୟ ଜଣେ ଭାରତୀୟ ପାଇଲଟ୍ ୧୭୪ ଜଣଙ୍କ ଜୀବନ ବଞ୍ଚାଇଥିବା ଖବର ଏବେ ଚର୍ଚ୍ଚାରେ। ଦୁବାଇର ଫ୍ଲାଏ ଦୁବାଇ ବିମାନ ସହ ଜଡ଼ିତ ଏହି ଘଟଣାକୁ ନେଇ ଅନେକ ପ୍ରଶ୍ନ ଉଠୁଛି। ଘଟଣାଟି ଘଟିଛି ୩୦ ସେପ୍ଟେମ୍ବର ୨୦୨୬ରେ ଦୁବାଇରୁ ଇସ୍ରାଏଲର ତେଲ୍ ଆଭିଭ୍ ଅଭିମୁଖେ ଯାଉଥିବା ଫ୍ଲାଏଦୁବାଇର FZ1073 ବିମାନରେ। ବିମାନରେ ୧୭୪ ଜଣ ଯାତ୍ରୀ ଥିଲେ। ଉଡ଼ାଣ ସମୟରେ ସହ-ପାଇଲଟ୍ ଭାରତୀୟ କ୍ୟାପଟେନ୍ ସ୍ମିତ ମଚ୍ଛାରଙ୍କୁ ଛୁରିରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏହା ପରେ ବିମାନଟି ହଠାତ୍ ଦ୍ରୁତ ଗତିରେ ତଳକୁ ଖସିବାକୁ ଲାଗିଥିଲା।

ଗୁରୁତର ଆହତ ହୋଇଥିଲେ ମଧ୍ୟ କ୍ୟାପଟେନ୍ ସ୍ମିତ ହାର ମାନିନଥିଲେ। ତାଙ୍କର ଉପସ୍ଥିତ ବୁଦ୍ଧି ଓ ସାହସ ଯୋଗୁଁ କକ୍‌ପିଟ୍‌ର ଦ୍ୱାର ଖୋଲିବା ସମ୍ଭବ ହୋଇଥିଲା। ଏହାପରେ ବିମାନରେ ଥିବା କ୍ରୁ ସଦସ୍ୟ ଓ କିଛି ଯାତ୍ରୀ ଆକ୍ରମଣକାରୀଙ୍କୁ କାବୁ କରିବାରେ ସହଯୋଗ କରିଥିଲେ। ବିମାନରେ ଥିବା ଅନ୍ୟ ଅଭିଜ୍ଞ ପାଇଲଟ୍‌ମାନେ ମଧ୍ୟ ପରିସ୍ଥିତି ସମ୍ଭାଳିବାରେ ସହଯୋଗ କରିଥିଲେ। ପରିସ୍ଥିତିର ଗମ୍ଭୀରତାକୁ ଦେଖି ବିମାନଟିକୁ ସାଉଦି ଆରବର ତାବୁକ୍ ବିମାନବନ୍ଦରରେ ଜରୁରୀ ଅବତରଣ କରାଯାଇଥିଲା। ଆଶ୍ୱସ୍ତିର କଥା ହେଉଛି, ବିମାନରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ରହିଥିଲେ। ଆହତ କ୍ୟାପଟେନ୍ ସ୍ମିତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିବାବେଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ରିପୋର୍ଟରେ କୁହାଯାଇଛି।

ଏହି ଘଟଣା ପରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ କ୍ୟାପଟେନ୍ ସ୍ମିତ ମଚ୍ଛରଙ୍କ ସାହସିକତାକୁ ପ୍ରଶଂସା କରିଛନ୍ତି। ସ୍ମିତଙ୍କ ଧୈର୍ଯ୍ୟ, ଉପସ୍ଥିତି ବୁଦ୍ଧି ଓ ସାହସ ବାସ୍ତବରେ ପ୍ରଶଂସନୀୟ । ସ୍ମିତ ଆଉ ଏକ 9/11 ଭଳି ଟ୍ରାଜେଡିକୁ ରୋକିପାରିଲେ ବୋଲି ମୋଦି କହିଛନ୍ତି। ଏଥି ସହ ସ୍ମିତଙ୍କ ଆଶୁ ଆରୋଗ୍ୟ ପାଇଁ କାମନା କରିବାକୁ ଦେଶବାସୀଙ୍କୁ ମୋଦି ଅପିଲ୍ କରିଛନ୍ତି।  ଅନ୍ୟପକ୍ଷରେ, ଆକ୍ରମଣ ପଛର କାରଣ କ’ଣ ଏବଂ ଘଟଣାରେ କିଏ କିଏ ସମ୍ପୃକ୍ତ, ସେନେଇ ତଦନ୍ତ ଜାରି ରହିଛି। ଜୀବନ ଓ ମୃତ୍ୟୁ ମଧ୍ୟରେ ସଂଘର୍ଷ କରି ଶହ ଶହ ଯାତ୍ରୀଙ୍କ ସୁରକ୍ଷା ପାଇଁ ଲଢ଼ିଥିବା ଏହି ଭାରତୀୟ ପାଇଲଟ୍‌ଙ୍କ ସାହସ ଏବେ ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ।