Odia News Portal

ଆସନ୍ତାକାଲି ଓଡ଼ିଶା ବନ୍ଦ, କେଉଁ ସେବା ରହିବ ଖୋଲା ?

ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା, MMDR ବିଲ୍‌ ପ୍ରତ୍ୟାହାର ଏବଂ ପାଠ୍ୟପୁସ୍ତକରେ ତ୍ରୁଟି ପ୍ରସଙ୍ଗରେ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ରାଜ୍ୟ କଂଗ୍ରେସ ଓ ବାମ ଦଳଗୁଡ଼ିକ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ଏହି ବନ୍ଦକୁ ଅନେକ ଅଣବିଜେପି ଦଳ ସମର୍ଥନ କରିପାରନ୍ତି। CPI, CPI(M), CPI(ML), NCP, ଫରୱାର୍ଡ ବ୍ଲକ, ସମାଜବାଦୀ ପାର୍ଟି, RJD ଏବଂ JMM ଭଳି ଦଳ ବନ୍ଦ ପାଳନରେ ସାମିଲ ହେବାର ସମ୍ଭାବନା ରହିଛି। ବନ୍ଦ ପୂର୍ବରୁ ଆଜି ରାଜଧାନୀରେ ଶକ୍ତି ପ୍ରଦର୍ଶନ କରିବେ ବିରୋଧୀ ଦଳ। AG ଛକରୁ ୯ଟି ପ୍ରମୁଖ ଦଳର ନେତା ଓ କର୍ମୀ ପଦଯାତ୍ରାରେ ବାହାରିବେ। ବାଣୀବିହାର ଓ ମାଷ୍ଟର କ୍ୟାଣ୍ଟନ ଦେଇ ଏହି ପଦଯାତ୍ରା ପୁଣି AG ଛକରେ ପହଞ୍ଚିବ। ଏହାସହ ବନ୍ଦକୁ ସଫଳ କରିବା ପାଇଁ ସବୁ ବର୍ଗର ଲୋକ ଓ ସାଧାରଣ ଜନତାଙ୍କୁ ସାମିଲ ହେବାକୁ ଆହ୍ୱାନ ଦେଇଛି କଂଗ୍ରେସ।

ତେବେ ବନ୍ଦର ପ୍ରଭାବ ସିଧାସଳଖ ସାଧାରଣ ଜୀବନଯାତ୍ରା ଉପରେ ପଡ଼ିବାର ଆଶଙ୍କା ରହିଛି। ବନ୍ଦ ସମୟରେ ଗାଡ଼ିମୋଟର ଓ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇପାରେ। ଟ୍ରକ୍‌, ବସ୍‌, ଅଟୋ ସମେତ ଅନ୍ୟାନ୍ୟ ଯାନବାହନ ଚଳାଚଳ ବନ୍ଦ ରଖିବାକୁ କଂଗ୍ରେସ ପକ୍ଷରୁ ଆହ୍ୱାନ ଦିଆଯାଇଛି। ସେହିପରି ଦୋକାନ, ବଜାର ଓ ବିଭିନ୍ନ ବାଣିଜ୍ୟିକ ପ୍ରତିଷ୍ଠାନ ମଧ୍ୟ ବନ୍ଦ ରହିପାରେ। ସରକାରୀ ଓ ବେସରକାରୀ କାର୍ଯ୍ୟାଳୟର ସ୍ୱାଭାବିକ କାର୍ଯ୍ୟ ମଧ୍ୟ ପ୍ରଭାବିତ ହେବାର ଆଶଙ୍କା ରହିଛି। ପେଟ୍ରୋଲ ପମ୍ପ ଏବଂ ଅନ୍ୟାନ୍ୟ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ମଧ୍ୟ ବନ୍ଦର ପ୍ରଭାବ ପଡ଼ିପାରେ।

ତେବେ ଜରୁରୀକାଳୀନ ସେବାକୁ ବନ୍ଦରୁ ବାଦ ଦିଆଯାଇଛି। ହସ୍ପିଟାଲ, ଆମ୍ବୁଲାନ୍ସ, ଦମକଳ ସେବା, ମେଡିସିନ୍ ଦୋକାନ ସମେତ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସେବା ପୂର୍ବଭଳି ଜାରି ରହିବ। ତେବେ ଆସନ୍ତାକାଲିର ଏହି ବନ୍ଦ କେତେ ପ୍ରଭାବଶାଳୀ ହେଉଛି ଏବଂ ସାଧାରଣ ଜୀବନଯାତ୍ରା ଉପରେ ଏହାର କେତେ ପ୍ରଭାବ ପଡ଼ୁଛି, ତାହା ଉପରେ ରହିବ ସମସ୍ତଙ୍କ ନଜର।