ଅକ୍ଟୋବର ୧୦ ତାରିଖରେ ଦିଲ୍ଲୀରେ ଆନ୍ଦୋଳନ କରିବ କକ୍ରୋଚ୍ ଜନତା ପାର୍ଟି (ସିଜେପି)। ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଦଳ ପକ୍ଷରୁ ଏହି ଆନ୍ଦୋଳନ ଡାକରା ଦିଆଯାଇଛି। ଏହାକୁ ଦୃଷ୍ଟିରେ ରଖି ରାଜଧାନୀ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ସମ୍ଭାବ୍ୟ ଆଇନଶୃଙ୍ଖଳା ପରିସ୍ଥିତିର ମୁକାବିଲା ପାଇଁ କେନ୍ଦ୍ର ସରକାର ଦିଲ୍ଲୀ ପୁଲିସକୁ ୨୨୧ କମ୍ପାନି କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବଳ (ସିଏପିଏଫ୍) ଯୋଗାଇ ଦେଇଛନ୍ତି। ଏହା ସହ ପ୍ରାୟ ୨୩ ହଜାର ସୁରକ୍ଷାକର୍ମୀଙ୍କୁ ମୁତୟନ ପାଇଁ ବ୍ୟବସ୍ଥା କରାଯାଇଛି। ଗୃହ ମନ୍ତ୍ରାଳୟ ପକ୍ଷରୁ ଅକ୍ଟୋବର ୮ରୁ ୧୨ ତାରିଖ ପର୍ଯ୍ୟନ୍ତ ଏହି ସୁରକ୍ଷା ବ୍ୟବସ୍ଥା ଲାଗୁ କରାଯାଇଛି।
ସୂଚନା ଅନୁସାରେ, ସିଜେପିର ପୂର୍ବ ଆନ୍ଦୋଳନ ସମୟରେ ପୁଲିସ ପ୍ରାୟ ୨୮୦୦ ଜଣ ସନ୍ଦିଗ୍ଧଙ୍କୁ ଚିହ୍ନଟ କରି ଟ୍ରାକ୍ କରିଛି। ଦିଲ୍ଲୀକୁ ଆସୁଥିବା ବସ୍ଗୁଡ଼ିକରେ ମଧ୍ୟ ଯାଞ୍ଚ ପ୍ରକ୍ରିୟାକୁ ଜୋରଦାର କରାଯାଇଛି। ଏଥିସହ ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ପେଇଂ ଗେଷ୍ଟ (ପିଜି) ହଷ୍ଟେଲ ମାଲିକଙ୍କ ସହ ଯୋଗାଯୋଗ କରି ଛାତ୍ରଛାତ୍ରୀଙ୍କୁ ଆନ୍ଦୋଳନରେ ଯୋଗ ନଦେବାକୁ ପୁଲିସ ପକ୍ଷରୁ ବୁଝାଯାଉଛି।
ଅନ୍ୟପଟେ, ଆନ୍ଦୋଳନ ସମୟରେ ସୁରକ୍ଷା ଓ ନିରୀକ୍ଷଣ ବ୍ୟବସ୍ଥାକୁ ଅଧିକ ମଜବୁତ କରିବା ପାଇଁ ଦିଲ୍ଲୀ ପୁଲିସକୁ ୧୫୦ଟି ବଡି କ୍ୟାମେରା ଯୋଗାଇ ଦିଆଯାଇଛି। ନୂଆଦିଲ୍ଲୀ ଅଞ୍ଚଳରେ ମୁତୟନ ଅଧିକାରୀମାନେ ଏହି କ୍ୟାମେରା ବ୍ୟବହାର କରିବେ। ନିକଟରେ ତିନିଜଣ ମହିଳା ସାମ୍ବାଦିକ ଯୌନ ନିର୍ଯାତନାର ଶିକାର ହୋଇଥିବା ଅଭିଯୋଗ ଆଣିବା ପରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି।
ତେବେ, ଯନ୍ତରମନ୍ତରରେ ଆନ୍ଦୋଳନ ପାଇଁ ଏପର୍ଯ୍ୟନ୍ତ କୌଣସି ଅନୁମତି ମିଳିନାହିଁ। ତେଣୁ ଲୋକମାନେ ଅନଧିକୃତ ଭାବେ ବିଭିନ୍ନ ସ୍ଥାନରେ ଏକାଠି ନହେବାକୁ ଜଣେ ବରିଷ୍ଠ ପୁଲିସ ଅଧିକାରୀ ଅନୁରୋଧ କରିଛନ୍ତି। ଶନିବାର ଦିନ ଯେକୌଣସି ଆଇନଶୃଙ୍ଖଳା ପରିସ୍ଥିତିର ମୁକାବିଲା ପାଇଁ ପୁଲିସ ପୂର୍ଣ୍ଣ ପ୍ରସ୍ତୁତ ଥିବା ସେ କହିଛନ୍ତି। ଏଥିସହ ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ ନକରିବାକୁ ଆନ୍ଦୋଳନକାରୀଙ୍କୁ ଅନୁରୋଧ କରାଯାଇଛି। ମହିଳା ଆନ୍ଦୋଳନକାରୀଙ୍କ ସହ ମୁକାବିଲା ସମୟରେ ସଂଯମତା ଅବଲମ୍ବନ କରିବା ଏବଂ ଅନାବଶ୍ୟକ ସଂଘର୍ଷକୁ ଏଡ଼ାଇବା ପାଇଁ ସୁରକ୍ଷାବାହିନୀକୁ ସ୍ୱତନ୍ତ୍ର ନିର୍ଦ୍ଦେଶ ଦିଆଯାଇଛି। ଦିଲ୍ଲୀରେ ଆନ୍ଦୋଳନକୁ ନେଇ ରାଜନୈତିକ ଉତ୍ତେଜନା ବଢ଼ୁଥିବାବେଳେ, ଶାନ୍ତି ଓ ଆଇନଶୃଙ୍ଖଳା ବଜାୟ ରଖିବା ଏବେ ପୁଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଛି।
