Odia News Portal

ଇରାନକୁ ଧମକ ଦେଲେ ଟ୍ରମ୍ପ ବଡ଼ ଧରଣର ଆକ୍ରମଣ ପାଇଁ ପ୍ରସ୍ତୁତ ରୁହ

ଇରାନ ଉପରେ ପୁଣି ହୋଇପାରେ ଆମେରିକାର ବଡ଼ ଧରଣର ସାମରିକ ଆକ୍ରମଣ! ଚୁକ୍ତି ପାଇଁ ଇରାନକୁ ଚେତାବନୀ ଦେଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଯଦି ତେହେରାନ ଆଲୋଚନା ମାଧ୍ୟମରେ କୌଣସି ଚୁକ୍ତିରେ ପହଞ୍ଚିବାକୁ ରାଜି ନହୁଏ, ତେବେ ୱାଶିଂଟନ ପୁଣିଥରେ ସାମରିକ କାର୍ଯ୍ୟାନୁଷ୍ଠାନ କରିପାରେ ବୋଲି ସଙ୍କେତ ଦେଇଛନ୍ତି ଟ୍ରମ୍ପ। ଫ୍ଲୋରିଡାରେ ଏକ ରାଲିକୁ ସମ୍ବୋଧିତ କରି ଟ୍ରମ୍ପ କହିଛନ୍ତି, ଇରାନ ବିରୋଧରେ ଆମେରିକା ପୁଣି ଥରେ ‘ଏପିକ୍ ଫ୍ୟୁରି’ ନାମରେ ସାମରିକ ଅଭିଯାନ ଆରମ୍ଭ କରିପାରେ। ଅନ୍ୟପଟେ, ଚଳିତ ସପ୍ତାହାନ୍ତରେ ଇରାନ ଉପରେ ଆଉ ଏକ ବଡ଼ ଆକ୍ରମଣ ହୋଇପାରେ ବୋଲି ଜଣେ ଆମେରିକୀୟ ରାଷ୍ଟ୍ରଦୂତଙ୍କ ମନ୍ତବ୍ୟ ପରେ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଆହୁରି ବଢ଼ିବାର ଆଶଙ୍କା ଦେଖାଦେଇଛି। ତେବେ ଆମେରିକାର ଏହି ଧମକ ପରେ ଚୁପ୍ ବସିନାହିଁ ଇରାନ। ବରଂ ଆମେରିକା ଓ ଇସ୍ରାଏଲର ସମ୍ଭାବ୍ୟ ଆକ୍ରମଣର ଜବାବ ଦେବାକୁ ନୂଆ ରଣନୀତି ପ୍ରସ୍ତୁତ କରିଥିବା ଚେତାବନୀ ଦେଇଛି ତେହେରାନ।

ଇରାନୀ ଅଧିକାରୀଙ୍କ ଦାବି ଅନୁସାରେ, ଯଦି ଇରାନର ଭିତ୍ତିଭୂମି ଉପରେ ପୁଣି ଆକ୍ରମଣ କରାଯାଏ, ତେବେ ହର୍ମୁଜ୍ ପ୍ରଣାଳୀ ଅଞ୍ଚଳରେ ଥିବା ସମୁଦ୍ର ତଳ ଇଣ୍ଟରନେଟ୍ କେବୁଲକୁ ଟାର୍ଗେଟ କରାଯାଇପାରେ। ଇରାନୀ ରିଭୋଲ୍ୟୁସନାରୀ ଗାର୍ଡର ରାଜନୈତିକ ବ୍ୟାପାର ଉପମୁଖ୍ୟ ୟାଦୋଲ୍ଲାହ ଜାଭାନି ଚେତାବନୀ ଦେଇଥିବା କୁହାଯାଉଛି ଯେ, ଇରାନର ଭିତ୍ତିଭୂମି ଉପରେ ଆକ୍ରମଣ ହେଲେ ହର୍ମୁଜ୍ ପ୍ରଣାଳୀ ତଳେ ଥିବା ସାତଟି ପ୍ରମୁଖ ଇଣ୍ଟରନେଟ୍ କେବୁଲକୁ କାଟି ଦିଆଯାଇପାରେ। ଏହି କେବୁଲଗୁଡ଼ିକ କେବଳ ଇଣ୍ଟରନେଟ୍ ସଂଯୋଗ ପାଇଁ ନୁହେଁ, ବରଂ ଅନ୍ତର୍ଜାତୀୟ ଡାଟା ଆଦାନପ୍ରଦାନ ଓ ଡିଜିଟାଲ୍ ଯୋଗାଯୋଗ ପାଇଁ ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତେଣୁ ଏହି କେବୁଲଗୁଡ଼ିକ କ୍ଷତିଗ୍ରସ୍ତ ହେଲେ କେବଳ ମଧ୍ୟପ୍ରାଚ୍ୟ ନୁହେଁ, ବରଂ ଅନ୍ୟ ଅଞ୍ଚଳର ଇଣ୍ଟରନେଟ୍ ଓ ଡିଜିଟାଲ୍ ସେବା ଉପରେ ମଧ୍ୟ ପ୍ରଭାବ ପଡ଼ିବାର ଆଶଙ୍କା ରହିଛି।

ଏପରି ସ୍ଥିତିରେ ଆମେରିକାର ସାମରିକ ଧମକ ଏବଂ ଇରାନର ପାଲଟା ଚେତାବନୀ ମଧ୍ୟପ୍ରାଚ୍ୟରେ ଏକ ନୂଆ ସଙ୍କଟ ସୃଷ୍ଟି କରିପାରେ। ଏବେ ସବୁଠାରୁ ବଡ଼ ପ୍ରଶ୍ନ—ଆମେରିକା ଓ ଇରାନ ମଧ୍ୟରେ କୂଟନୈତିକ ଆଲୋଚନା ମାଧ୍ୟମରେ ସମାଧାନର ବାଟ ଫିଟିବ, ନା ପୁଣିଥରେ ଆରମ୍ଭ ହେବ ସାମରିକ ସଂଘର୍ଷ? ଏହା ଉପରେ ଏବେ ସାରା ବିଶ୍ୱର ନଜର।