ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ପାଣିପାଗ ଗତିବିଧିକୁ ନେଇ ସାମ୍ନାକୁ ଆସିଛି ବଡ଼ ଅପଡେଟ୍। ସମ୍ଭାବ୍ୟ ବାତ୍ୟାକୁ ନେଇ ସତର୍କ କରାଇଛି ଆଞ୍ଚଳିକ ପାଣିପାଗ ବିଭାଗ।ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ୨୮ ତାରିଖରେ ଦକ୍ଷିଣ ଓଡ଼ିଶାରେ ୬୦ରୁ ୭୦ କିମି ବେଗରେ ପବନ ମାଡ଼ ହେବା ସହ ନିର୍ଦ୍ଧୁମ ବର୍ଷା କାଚିବ । ପାଣିପାଗ ବିଭାଗର ଆକଳନ ଅନୁଯାୟୀ କେବଳ ଦକ୍ଷିଣ ଓଡ଼ିଶା ନୁହେଁ, ପୂରା ଓଡ଼ିଶାରେ ପ୍ରବଳ ବର୍ଷା ହେବ । ୨୭ ଓ ୨୮ ତାରିଖ ଦୁଇ ଦିନ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।ଏଥି ସହ ଅନ୍ୟ ଏକ ପାଣିପାଗ ମଡେଲ୍ ଦର୍ଶାଇଛି ଯେ ବାତ୍ୟା ଆନ୍ଧ୍ର ଛୁଇଁଲା ବେଳକୁ ଓଡ଼ିଶା ଭିତରକୁ ଆଉ ଏକ ଲଘୁଚାପ ପଶିବ । ଗୋପାଳପୁରରୁ ପାରାଦୀପ ଭିତରେ ଏହି ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ବ୍ୟାପକ ବର୍ଷା ହେବ ବୋଲି ଆକଳନ କରାଯାଇଛି । ଏହି ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ସମୁଦ୍ର ଅଶାନ୍ତ ରହିବା ସହ ଉପକୂଳବର୍ତ୍ତୀ ଅଞ୍ଚଳରେ ପବନ ଓ ବର୍ଷାର ପରିମାଣ ବୃଦ୍ଧି ପାଇପାରେ। ପାଣିପାଗ ବିଭାଗ ସ୍ଥିତି ଉପରେ କ୍ରମାଗତ ନଜର ରଖିଛି ଏବଂ ଆଗାମୀ ଗତିପଥକୁ ନେଇ ଆକଳନ ଜାରି ରହିଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି ଏହି ସୂଚନା ଦେବା ସହ ଆଗାମୀ କିଛି ଦିନ ପାଇଁ ସତର୍କତା ଜାରି କରିଛନ୍ତି।
