ଐତିହାସିକ କଟକ ବାଲିଯାତ୍ରାର ଇତିହାସରେ ଯୋଡ଼ିହେବ ଆଉ ଏକ ଗୌରବମୟ ଅଧ୍ୟାୟ। ପ୍ରଥମଥର ପାଇଁ ଏହି ମହାନ ଐତିହ୍ୟ ଓ ପରମ୍ପରାର ମହୋତ୍ସବରେ ଯୋଗଦେବେ ଦେଶର ପ୍ରଥମ ନାଗରିକ ତଥା ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଆସନ୍ତା ନଭେମ୍ବର ୨୪ ତାରିଖ ସନ୍ଧ୍ୟାରେ ସେ କଟକରେ ପହଞ୍ଚି ବାଲିଯାତ୍ରାକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିବେ। ରାଷ୍ଟ୍ରପତିଙ୍କ ଏହି ଗସ୍ତ ସମ୍ପର୍କରେ କଟକ ଜିଲ୍ଲାପାଳ ସ୍ପଷ୍ଟ କରିଛନ୍ତି। ଚଳିତବର୍ଷ ନଭେମ୍ବର ୨୪ରୁ ଡିସେମ୍ବର ୧ ତାରିଖ ପର୍ଯ୍ୟନ୍ତ ଆଠ ଦିନ ଧରି ଆୟୋଜିତ ହେବ ଏହି ବିଶ୍ୱପ୍ରସିଦ୍ଧ ବାଣିଜ୍ୟ ଓ ସାଂସ୍କୃତିକ ମହୋତ୍ସବ। ରାଷ୍ଟ୍ରପତିଙ୍କ ଉପସ୍ଥିତି ଚଳିତବର୍ଷର ବାଲିଯାତ୍ରାକୁ ଏକ ନୂଆ ମର୍ଯ୍ୟାଦା ପ୍ରଦାନ କରିବା ସହ କଟକର ଗୌରବ ଓ ଗରିମାକୁ ଜାତୀୟସ୍ତରରେ ଆହୁରି ଉଜ୍ଜ୍ୱଳ କରିବ ବୋଲି ଆଶା କରାଯାଉଛି। ବାଲିଯାତ୍ରାକୁ ଅଧିକ ଭବ୍ୟ, ଆକର୍ଷଣୀୟ ଓ ସ୍ମରଣୀୟ କରିବା ପାଇଁ ରାଜ୍ୟ ସରକାର, କଟକ ଜିଲ୍ଲା ପ୍ରଶାସନ ଏବଂ କଟକ ମହାନଗର ନିଗମ ପକ୍ଷରୁ ପ୍ରସ୍ତୁତିକୁ ଜୋରଦାର କରାଯାଇଛି। ଚଳିତବର୍ଷ କେବଳ ଉପର ପଡ଼ିଆ ନୁହେଁ, ତଳ ପଡ଼ିଆରେ ମଧ୍ୟ ମେଳା ଆୟୋଜନ କରାଯିବ। ଏହାଦ୍ୱାରା ଅଧିକ ସଂଖ୍ୟକ ଷ୍ଟଲ୍ ସ୍ଥାପନ ସହ ବ୍ୟବସାୟୀ, ଶିଳ୍ପୀ ଓ ପର୍ଯ୍ୟଟକଙ୍କ ପାଇଁ ନୂଆ ସୁଯୋଗ ସୃଷ୍ଟି ହେବ। ଅନ୍ୟପକ୍ଷରେ ଲକ୍ଷାଧିକ ଜନସମାଗମକୁ ଦୃଷ୍ଟିରେ ରଖି ଭିଡ଼ ନିୟନ୍ତ୍ରଣ, ଟ୍ରାଫିକ୍ ପରିଚାଳନା ଓ ପାର୍କିଂ ବ୍ୟବସ୍ଥା ଉପରେ ପ୍ରଶାସନ ସ୍ୱତନ୍ତ୍ର ଗୁରୁତ୍ୱ ଦେଉଛି। ଗତବର୍ଷ ତୁଳନାରେ ଚଳିତବର୍ଷ ଅଧିକ ପାର୍କିଂ ସୁବିଧା ଉପଲବ୍ଧ କରାଇବା ସହ ଯାତାୟାତକୁ ସୁଗମ କରିବା ପାଇଁ ସ୍ୱତନ୍ତ୍ର ଟ୍ରାଫିକ୍ ଯୋଜନା ପ୍ରସ୍ତୁତ ହେଉଛି। ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ ସର୍ବାଧିକ ପ୍ରାଥମିକତା ଦିଆଯିବ। ଓଡ଼ିଆ ସାଧବ ପୁଅଙ୍କ ନୌବାଣିଜ୍ୟ ଐତିହ୍ୟ, ପରମ୍ପରା ଓ ସଂସ୍କୃତିର ପ୍ରତୀକ କଟକର ବାଲିଯାତ୍ରା ଏଥର ରାଷ୍ଟ୍ରପତିଙ୍କ ଆଗମନରେ ଆହୁରି ଗୌରବାନ୍ୱିତ ହେବ। ଏହି ଐତିହାସିକ ମୁହୂର୍ତ୍ତକୁ ନେଇ ଏବେ କଟକବାସୀଙ୍କ ମଧ୍ୟରେ ଉତ୍ସାହ ଓ ଉଦ୍ଦୀପନା ବଢ଼ିବାରେ ଲାଗିଛି।
