ଯେତେବେଳେ ଗ୍ରାମାଞ୍ଚଳର ପ୍ରତ୍ୟେକ ପରିବାର ଏକ ସୁରକ୍ଷିତ ପକ୍କା ଘର ତଳେ ନିଶ୍ଚିନ୍ତରେ ରହି ପାରିବେ, ସେତେବେଳେ ଆମ ରାଜ୍ୟ ଦ୍ରୁତ ଗତିରେ ଆଗକୁ ବଢ଼ିଚାଲିବ। ଏକ ବିକଶିତ ଓଡ଼ିଶାର ଆରମ୍ଭ ଆମ ଗାଁରୁ ହୋଇଥାଏ ଏବଂ ସମସ୍ତଙ୍କ ମୁଣ୍ଡ ଉପରେ ଛାତ ଖଣ୍ଡେ ଯୋଗାଇଦେବା ଆମ ସରକାରଙ୍କର ସର୍ବୋଚ୍ଚ ପ୍ରାଥମିକତା ବୋଲି ମୁଖ୍ୟମନ୍ତ୍ରୀ ଆଜି ବଲାଙ୍ଗୀରଠାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପକ୍କା ଘର କେବଳ ଇଟା, ବାଲି ଓ ସିମେଣ୍ଟରେ ତିଆରି ଏକ ଢାଞ୍ଚା ନୁହେଁ; ବରଂ କଚ୍ଚା ଘରେ ରହୁଥିବା ପରିବାର ପାଇଁ ଏହା ସମ୍ମାନର ସହ ସୁରକ୍ଷିତ ଆଶ୍ରୟ ଏବଂ ଉଜ୍ଜ୍ୱଳ ଭବିଷ୍ୟତର ମୂଳଦୁଆ। ବିଶେଷକରି ଦୁର୍ଗମ, ପାହାଡ଼ିଆ ଏବଂ ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ଅଞ୍ଚଳର ଲୋକଙ୍କ ସୁରକ୍ଷା ପାଇଁ ସରକାର ପ୍ରତିବଦ୍ଧ। ୨୦୧୪-୧୫ ଆର୍ଥିକ ବର୍ଷଠାରୁ ଓଡ଼ିଶାରେ ବିଭିନ୍ନ ଗ୍ରାମୀଣ ଆବାସ ଯୋଜନା ଅଧୀନରେ ୪୧ ଲକ୍ଷରୁ ଅଧିକ ପକ୍କା ଘର ନିର୍ମାଣ ସମ୍ପୂର୍ଣ୍ଣ ହୋଇଥିବା ବେଳେ ଗତ ୨ ବର୍ଷ ମଧ୍ୟରେ ୫ ଲକ୍ଷ ୬୬ ହଜାରରୁ ଅଧିକ ଘର ନିର୍ମାଣ ଶେଷ ହୋଇଛି। ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ଦୂରଦର୍ଶୀ ନେତୃତ୍ୱରେ ‘ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣ’ (PMAY-G) ଅଧୀନରେ ରାଜ୍ୟକୁ ମଞ୍ଜୁର ହୋଇଥିବା ମୋଟ ୨୮ ଲକ୍ଷ ୬ ହଜାର ଘର ମଧ୍ୟରୁ ୨୫ ଲକ୍ଷ ୫୮ ହଜାର ଘର ନିର୍ମାଣ ଶେଷ ହୋଇଛି। ଏହି ଯୋଜନାରେ ଘର ସହିତ ଶୌଚାଳୟ, ପାଇପ୍ ଯୋଗେ ପାନୀୟ ଜଳ, ରନ୍ଧନ ଗ୍ୟାସ୍ ଓ ବିଦ୍ୟୁତ୍ ଭଳି ମୌଳିକ ସୁବିଧା ଯୋଗାଇ ଦିଆଯାଉଛି।
ସୂଚନାଯୋଗ୍ୟ ଯେ, ମା’ ପାଟଣେଶ୍ୱରୀଙ୍କ ପୀଠରେ ଆୟୋଜିତ ଏହି ସମାରୋହରେ ମୁଖ୍ୟମନ୍ତ୍ରୀ ବଲାଙ୍ଗୀର ଜିଲ୍ଲାର ସର୍ବାଙ୍ଗୀନ ବିକାଶ ନିମନ୍ତେ ପ୍ରାୟ ୯୧୧ କୋଟି ଟଙ୍କାର ୨୪୮ଟି ଉନ୍ନୟନମୂଳକ ପ୍ରକଳ୍ପର ଲୋକାର୍ପଣ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି, ଯେଉଁଥିରେ ପ୍ରାୟ ୧୭୬ କୋଟି ଟଙ୍କାର ୧୬୦ଟି ପ୍ରକଳ୍ପର ଶୁଭ ଉଦ୍ଘାଟନ ଏବଂ ୭୩୫ କୋଟି ଟଙ୍କା ମୂଲ୍ୟର ୮୮ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଅନ୍ତର୍ଭୁକ୍ତ। ସ୍ୱାସ୍ଥ୍ୟ ଭିତ୍ତିଭୂମି, ଜଳଯୋଗାଣ, ଜଳସେଚନ ପ୍ରକଳ୍ପ, ଅଙ୍ଗନବାଡ଼ି କେନ୍ଦ୍ର, ଅତିରିକ୍ତ ଶ୍ରେଣୀଗୃହ, ସଡ଼କ ଉନ୍ନତିକରଣ ଓ ହଷ୍ଟେଲ୍ ଆଦି ଏହି ପ୍ରକଳ୍ପଗୁଡ଼ିକ ବଲାଙ୍ଗୀରର ବିକାଶ ଯାତ୍ରାରେ ନୂଆ ଫର୍ଦ୍ଦ ଯୋଡ଼ିବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ବଲାଙ୍ଗୀର ସାଂସଦ ଶ୍ରୀମତୀ ସଂଗୀତା ସିଂହଦେଓ, ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା କଣ୍ଟାବାଞ୍ଜି ବିଧାୟକ ଶ୍ରୀ ଲକ୍ଷ୍ମଣ ବାଗ୍, ଟିଟିଲାଗଡ଼ ବିଧାୟକ ଶ୍ରୀ ନବୀନ କୁମାର ଜୈନ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର କମିସନର ତଥା ଶାସନ ସଚିବ ଶ୍ରୀମତୀ ରୂପା ମିଶ୍ର ଏବଂ ବଲାଙ୍ଗୀର ଜିଲ୍ଲାପାଳ ଶ୍ରୀ ଗୌରବ ଶିବାଜୀ ଇଶଲ୍ୱର ପ୍ରମୁଖ ଉପସ୍ଥିତ ଥିଲେ।
