Odia News Portal

ଦ୍ୱିତୀୟ ଥର ପାଇଁ ICC ଚେୟାରମ୍ୟାନ୍ ହେଲେ ଜୟ ଶାହ

କ୍ରିକେଟ୍ ଜଗତରେ ଜୟ ଶାହଙ୍କ ନେତୃତ୍ୱକୁ ମିଳିଛି ପୁଣି ଏକ ବଡ଼ ସ୍ୱୀକୃତି। ଇଣ୍ଡୋନେସିଆର ବାଲିଠାରେ ଅନୁଷ୍ଠିତ ICC ବୋର୍ଡ ବୈଠକରେ ନିର୍ଦ୍ଦେଶକମାନଙ୍କ ପ୍ରସ୍ତାବ ପରେ ତାଙ୍କ ଦ୍ୱିତୀୟ କାର୍ଯ୍ୟକାଳକୁ ମଞ୍ଜୁରି ମିଳିଛି। ବର୍ତ୍ତମାନ କ୍ରିକେଟ୍ କେବଳ କିଛି ଦେଶ ମଧ୍ୟରେ ସୀମିତ ନାହିଁ। ବିଶ୍ୱସ୍ତରରେ ଏହାର ପ୍ରସାର, ପ୍ରଶଂସକଙ୍କ ସଂଖ୍ୟା ବୃଦ୍ଧି ଏବଂ ବାଣିଜ୍ୟିକ ଅଭିବୃଦ୍ଧି ଉପରେ ICC ଗୁରୁତ୍ୱ ଦେଉଛି। ଏଭଳି ସମୟରେ ଜୟ ଶାହଙ୍କ ଦ୍ୱିତୀୟ କାର୍ଯ୍ୟକାଳକୁ କ୍ରିକେଟ୍ ଜଗତ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ଦେଖାଯାଉଛି।

ବିଶେଷକରି ୨୦୨୮ ମସିହାରେ ଲସ୍ ଆଞ୍ଜେଲସ୍ ଅଲିମ୍ପିକ୍ସରେ କ୍ରିକେଟ୍ ସାମିଲ ହେବାକୁ ଯାଉଥିବାରୁ ଏହା ଖେଳର ବିଶ୍ୱବ୍ୟାପୀ ପ୍ରସାର ପାଇଁ ଏକ ବଡ଼ ସୁଯୋଗ ସୃଷ୍ଟି କରିବ। ଏହାସହ ମହିଳା କ୍ରିକେଟ୍‌ର ବିକାଶ, କ୍ରିକେଟ୍ ଭିତ୍ତିଭୂମିର ମଜବୁତୀକରଣ ଏବଂ ଆସୋସିଏଟ୍ ସଦସ୍ୟ ଦେଶଗୁଡ଼ିକୁ ଅଧିକ ସୁଯୋଗ ଦେବା ଉପରେ ମଧ୍ୟ ICC ଗୁରୁତ୍ୱ ଦେଉଛି। ଦ୍ୱିତୀୟ ଥର ପାଇଁ ଚେୟାରମ୍ୟାନ୍ ନିର୍ବାଚିତ ହେବା ପରେ ଜୟ ଶାହ ICC ବୋର୍ଡର ସମସ୍ତ ସଦସ୍ୟଙ୍କୁ କୃତଜ୍ଞତା ଜଣାଇଛନ୍ତି। ତାଙ୍କ ଉପରେ ରଖାଯାଇଥିବା ଆସ୍ଥା ଓ ସମର୍ଥନ ପାଇଁ ସେ ଧନ୍ୟବାଦ ଦେବା ସହ ବିଶ୍ୱ କ୍ରିକେଟ୍‌ର ସ୍ୱାର୍ଥ ପାଇଁ ସମସ୍ତ ସଦସ୍ୟ ଦେଶ ସହ ମିଶି କାମ କରିବାକୁ ପ୍ରତିବଦ୍ଧତା ଜଣାଇଛନ୍ତି।

ତାଙ୍କ କହିବା ଅନୁସାରେ, କ୍ରିକେଟ୍ ବର୍ତ୍ତମାନ ଏକ ରୋମାଞ୍ଚକର ମୋଡ଼ରେ ପହଞ୍ଚିଛି। ବିଶେଷକରି ଅଲିମ୍ପିକ୍ସରେ କ୍ରିକେଟ୍‌ର ପ୍ରତ୍ୟାବର୍ତ୍ତନ ନୂଆ ଦର୍ଶକଙ୍କୁ ଏହି ଖେଳ ସହ ଯୋଡ଼ିବା ସହ ଆଗାମୀ ପିଢ଼ିର ଖେଳାଳି ଓ ପ୍ରଶଂସକଙ୍କୁ ପ୍ରେରଣା ଯୋଗାଇବ। ତେବେ ଜୟ ଶାହଙ୍କ ଦ୍ୱିତୀୟ କାର୍ଯ୍ୟକାଳରେ ବିଶ୍ୱ କ୍ରିକେଟ୍ କେଉଁ ନୂଆ ଶିଖର ଛୁଇଁବ, ତାହା ଉପରେ ଏବେ ସମସ୍ତଙ୍କ ନଜର।