ବିଧାୟକଙ୍କୁ ପ୍ରଶିକ୍ଷଣ ଦେଲେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ୍ । ଦିନିକିଆ ଓଡ଼ିଶା ଗସ୍ତରେ ଆସି ବିଧାୟକମାନଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ଉପରାଷ୍ଟ୍ରପତି । କାର୍ଯ୍ୟକ୍ରମକୁ ଉଦ୍ଘାଟନ କରି ଉପରାଷ୍ଟ୍ରପତି କହିଛନ୍ତି କ୍ଷମତା ସହିତ ଦାୟିତ୍ବ ମିଳିଥାଏ, ଏହାକୁ ନେଇ ବିଧାୟକମାନେ ଆଗକୁ ବଢିବା ଉଚିତ । ଚଳିତ ଥର ବିଧାନସଭାକୁ ୮୨ ଜଣ ବିଧାୟକ ପ୍ରଥମ ଥର ନିର୍ବାଚିତ ହୋଇ ଆସିଛନ୍ତି । ଏହା ଯୁବ ଓ ଅଭିଜ୍ଞତାର ଏକ ପ୍ରକୃଷ୍ଟ ମିଶ୍ରଣ ବୋଲି ଉପରାଷ୍ଟ୍ରପତି କହିଥିଲେ । ଏଥିସହ ନିଜ ନିର୍ବାଚନମଣ୍ଡଳୀରେ ଭୋଟରଙ୍କ ବିଶ୍ବାସ ଭାଜନ ହେବାକୁ ସେ ପରାମର୍ଶ ମଧ୍ୟ ଦେଇଥିଲେ । ଜଣେ ମହିଳାଙ୍କୁ ବାଚସ୍ପତି ନିର୍ବାଚିତ କରିଥିବାରୁ ସମସ୍ତ ବିଧାୟକଙ୍କୁ ଧନ୍ୟବାଦ ଦେଇଥିଲେ ଉପରାଷ୍ଟ୍ରପତି । ତା ସହିତ ଗୃହକାର୍ଯ୍ୟକୁ ହାଲୁକା ଭାବେ ନ ନେବାକୁ କହିବା ସହିତ ବିଭିନ୍ନ ଷ୍ଟାଣ୍ଡିଂ କମିଟିରେ ଅଂଶଗ୍ରହଣ କରିବାକୁ ବିଧାୟକଙ୍କୁ ପରାମର୍ଶ ଦେଇଥିଲେ ।
ତେବେ ଉପରାଷ୍ଟ୍ରପତିଙ୍କ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ବୟକଟ କରିଥିଲେ ଦୁଇ ବିରୋଧୀ ବିଜେଡି ଆଉ କଂଗ୍ରେସ । ଏହି କାର୍ଯ୍ୟକ୍ରମରେ ସାମିଲ ନହେବାକୁ ବିଜେଡି ବିଧାୟିକା ଦଳ ପକ୍ଷରୁ ବିଧାୟକମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । କଂଗ୍ରେସ ଦଳର ବିଧାୟକମାନେ ଏହାକୁ ବର୍ଜନ କରିବେ ବୋଲି ଆଗରୁ ପିସିସି ସଭାପତି ଭକ୍ତଚରଣ ଦାସ ଘୋଷଣା କରିଥିଲେ। ତେଣୁ ତାଲିମ କାର୍ଯ୍ୟକ୍ରମରେ କେବଳ ବିଜେପି ବିଧାୟକମାନଙ୍କୁ ଦେଖିବାକୁ ମିଳିଥିଲା । ସବୁଠାରୁ ରୋଚକ କଥା ହେଉଛି କଂଗ୍ରେସ ଓ ବିଜେଡିରୁ ନିଲମ୍ବିତ ବିଧାୟକମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ବିଜେପି ବିଧାୟକଙ୍କ ସହ ଏମାନେ ଏକାଠି ବସିଥିବାର ନଜର ଆସିଥିଲେ । ଏଥିସହିତ ରାଜ୍ୟପାଳ ବ୍ରଜ ମୋହନ ରାମ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବାଚସ୍ପତି ସୁରମା ପାଢ଼ୀ ଓ ଉପ ବାଚସ୍ପତି ଭବାନୀଶଙ୍କର ଭୋଇ ବି ଉପସ୍ଥିତ ଥିଲେ।