ନିର୍ବାଚନରେ ସ୍ୱଚ୍ଛତା ପାଇଁ ପ୍ରାର୍ଥୀଙ୍କ ସମ୍ପର୍କରେ ଭୋଟ୍ରମାନେ ସବୁ ତଥ୍ୟ ଜାଣିବା ଅଧିକାରକୁ ସୁନିଶ୍ଚିତ କରିବା ପାଇଁ ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶକୁ କେହି ବି ଖାତିର କରୁନାହାନ୍ତି।
ଏଭଳି କହି ଆଜି ସୁପ୍ରିମକୋର୍ଟ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହ ନିର୍ବାଚନ କମିଶନ ଓ କେନ୍ଦ୍ର ସରକାରଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି। କ’ଣ ପାଇଁ ନିର୍ବାଚନ କମିଶନ ଓ କେନ୍ଦ୍ର ସରକାରଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ନ ଚାଲିବ, ତା’ର କାରଣ ଉପସ୍ଥାପନ କରିବାକୁ ସୁପ୍ରିମକୋର୍ଟ କହିଛନ୍ତି।
ସୁପ୍ରିମକୋର୍ଟଙ୍କ ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ୨୦୧୮ ସେପ୍ଟମ୍ବର ୨୫ରେ ଦେଇଥିବା ରାୟରେ କହିଥିଲେ ଯେ ନିର୍ବାଚନରେ ପ୍ରାର୍ଥୀ ହେଉଥିବା ରାଜନେତା ତାଙ୍କ ନାଁରେ ଥିବା ସମସ୍ତ ଅପରାଧିକ ମାମଲାର ତଥ୍ୟ ନିର୍ବାଚନ କମିଶନଙ୍କୁ ଦେବେ। ଏଥିସହ ଭୋଟରଙ୍କ ଅବଗତି ପାଇଁ ଏ ସମ୍ପର୍କରେ ପ୍ରାର୍ଥୀମାନେ ୩ ଥର ଖବରକାଗଜ ଓ ବୈଦ୍ୟୁତିକ ଗଣମାଧ୍ୟମରେ ବିଜ୍ଞାପନ ଦେଇ ଘୋଷଣା କରିବେ। ହେଲେ ଏହାକୁ କେହି ଗୁରୁତ୍ୱର ସହ ନେଇ ନଥିବାରୁ ନିର୍ବାଚନ କମିଶନଙ୍କ ବିରୋଧରେ ଓକିଲ ଅଶ୍ୱିନ କୁମାର ଉପାଧ୍ୟାୟ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ।
“ ନିର୍ବାଚନ କମିଶନ ୧୦ ତାରିଖରେ ବିଜ୍ଞପ୍ତି ପ୍ରକାଶ କରି ଥିଲେ ହେଁ ଏଥିରେ ଆବଶ୍ୟକ ସଂଶୋଧନ କରି ନଥିଲେ। ତେଣୁ ଏହି ବିଜ୍ଞପ୍ତି ବୈଧ ହୋଇପାରି ନଥିଲା। ଏଥିସହ ନିର୍ବାଚନ କମିଶନ ଲୋକପ୍ରିୟ ଖବରକାଗଜ କିମ୍ବା ଟିଭି ଚ୍ୟାନେଲର ନାଁକୁ ମଧ୍ୟ ସ୍ପଷ୍ଟ ଭାବେ କହି ନଥିଲେ। ସେହିପରି କେଉଁ ସମୟରେ ଏବଂ କେବେ ପ୍ରାର୍ଥୀମାନେ ନିଜ ନାଁରେ ଥିବା ଅପରାଧିକ ମାମଲା ସମ୍ପର୍କରେ ଜଣାଇବେ, ସେକଥା ମଧ୍ୟ ନିର୍ବାଚନ କମିଶନ ସ୍ପଷ୍ଟ ଭାବେ କହି ନଥିଲେ। ତେଣୁ ପ୍ରାର୍ଥୀମାନେ ଏହାକୁ ପାଳନ କରିନାହାନ୍ତି। କିଛି ପ୍ରାର୍ଥୀ ଏହାର ସୁଯୋଗ ନେଇ ଅଲଗା ସମୟ ଏବଂ ଲୋକପ୍ରିୟ ନଥିବା ଖବରକାଗଜରେ ନିଜର ଅପରାଧିକ ତଥ୍ୟ ଦେଇଛନ୍ତି।”