Odia News Portal

ଦୀପାବଳୀ ପାଳିବେନି ନବୀନ-ମୋହନ

ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ବନ୍ୟା ଯୋଗୁଁ ରାଜ୍ୟର ବିଭିନ୍ନ ଅଞ୍ଚଳ, ବିଶେଷକରି ଦକ୍ଷିଣ ଓଡ଼ିଶାରେ ଉପୁଜିଥିବା ବିପର୍ଯ୍ୟୟକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ମୁଖ୍ୟମନ୍ତ୍ରୀ ନିବାସରେ ଦୀପାବଳୀ ଉତ୍ସବ ପାଳିତ ହେବ ନାହିଁ। ଏହି ପରିପ୍ରେକ୍ଷୀରେ, ଦୀପାବଳୀ ଅବସରରେ ମୁଖ୍ୟମନ୍ତ୍ରୀ ନିବାସକୁ କୌଣସି ପ୍ରକାର ଉପହାର କିମ୍ବା ଫୁଲତୋଡ଼ା ନେଇ ନ ଆସିବା ପାଇଁ ସମସ୍ତ ଶୁଭେଚ୍ଛୁ ତଥା ନାଗରିକମାନଙ୍କୁ ଅନୁରୋଧ। ପ୍ରଭାବିତ ଅଞ୍ଚଳର ଜନସାଧାରଣଙ୍କ ପ୍ରତି ସମ୍ବେଦନଶୀଳ ରହି ବିପର୍ଯ୍ୟୟ ପ୍ରଭାବିତଙ୍କୁ ସହଯୋଗର ହାତ ବଢ଼ାଇବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଜଣାଇଛନ୍ତି।

ସେହିପରି ବନ୍ୟା ଦୁର୍ଗତ ଗଞ୍ଜାମ ଗଜପତି ଓ କନ୍ଧମାଳର ଲୋକ ମାନଙ୍କ ପ୍ରତି ସମବେଦନା ଜଣାଇ ଏଥରର ଦୀପାବଳୀ ପାଳନ କରିବେ ନାହିଁ ବିଜୁ ଜନତା ଦଳ ସଭାପତି ଶ୍ରୀ ନବୀନ ପଟ୍ଟନାୟକ । ନବୀନ କହିଛନ୍ତି ଯେ ଅର୍ଣ୍ଣବ ବାତ୍ୟା ଜନିତ ବନ୍ୟା ଯୋଗୁଁ ଗଞ୍ଜାମ ଓ ଗଜପତି ରେ ନାହିଁ ନ ଥିବା କ୍ଷତି ହୋଇଛି। ଲୋକ ମାନେ ଅକଥନୀୟ ଦୁଃଖରେ ଅଛନ୍ତି। କନ୍ଧମାଳରେ ଭୁସଖଳନ ଯୋଗୁଁ ମାଟି ତଳେ ଚାପି ହୋଇଥିବା ନିଖୋଜ ସବୁ ଲୋକଙ୍କୁ ଏ ପର୍ଯ୍ୟନ୍ତ ଉଦ୍ଧାର କରାଯାଇ ପାରିନାହିଁ। ତେଣୁ ଲୋକଙ୍କ ଏ ଦୁଃଖ ସମୟରେ ଦୀପାବଳୀ ପାଳନ କରିବେ ନାହିଁ ବୋଲି ଶ୍ରୀ ପଟ୍ଟନାୟକ ନିଷ୍ପତ୍ତି ନେଇଛନ୍ତି।