ନୂଆଦିଲ୍ଲୀ : ଆସନ୍ତା ମେ’ ୧୦ରୁ ୧୭ ତାରିଖ ପର୍ୟ୍ୟନ୍ତ ଅଷ୍ଟ୍ରେଲିଆରେ ହେବାକୁଥିବା ହକି ସିରିଜ୍ ପାଇଁ ୧୮ ଜଣିଆ ଭାରତୀୟ ପୁରୁଷ ଦଳର ଘୋଷଣା କରାଯାଇଛି। ଟିମକୁ ଅଭିଜ୍ଞ ଡ୍ରାଗ-ଫ୍ଲିକର୍ ରୂପିନ୍ଦର ପାଲ୍ ସିଂହ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଦୀର୍ଘ ଦିନ ଧରି ଆହତ କାରଣରୁ ରୂପିନ୍ଦର ଜାତୀୟ ଦଳରୁ ଦୂରେଇ ରହିଥିଲେ। ଶେଷଥର ପାଇଁ ସେ ଭାରତ ପକ୍ଷରୁ ଗତବର୍ଷ ଜାକର୍ତ୍ତାରେ ଆୟୋଜିତ ଏସିଆନ୍ ଗେମ୍ସ ଖେଳିଥିଲେ।


ସେହିପରି ଅଷ୍ଟ୍ରେଲିଆ ଗସ୍ତ ପାଇଁ ମଧ୍ୟ ଭାରତ ଯୁବ ଖେଳାଳିଙ୍କ ଉପରେ ଅଧିକ ଫୋକସ୍ କରିଛି। ଭାରତୀୟ ଦଳରେ ଦୁଇ ଗୋଲକିପର ଭାବେ ପିଆର୍ ଶ୍ରୀଜେଶ୍ ଓ କ୍ରିଷନ୍ ବି. ପାଠକ ସ୍ଥାନ ପାଇଛନ୍ତି। ସେହିପରି ରୂପିନ୍ଦର ପ୍ରତ୍ୟାବର୍ତ୍ତନରେ ସୁରେନ୍ଦ୍ର, ହରମନପ୍ରୀତ ସିଂହ, ବୀରେନ୍ଦ୍ର, ଗୁରିନ୍ଦର ସିଂହ ଓ କୋଥାଜିତ୍ ସିଂହ ଡିଫେଣ୍ଡର୍ ଭୂମିକା ତୁଲାଇବେ।
ଜଲନ୍ଧରରେ ଜନ୍ମିତ ୨୫ ବର୍ଷୀୟ ଯଶକରନ୍ ଅଷ୍ଟ୍ରେଲିଆରେ ଡେବ୍ୟୁ କରିବେ। ସେ ମିଡଫିଲ୍ଡରେ ହାର୍ଦ୍ଦିକ ସିଂହ, ମନପ୍ରୀତ, ବିବେକ ସାଗର ପ୍ରସାଦ ଓ ନୀଳକଣ୍ଠ ଶର୍ମାଙ୍କୁ ସହଯୋଗ କରିବେ। ଆଜଲାନ୍ ଶାହ କପରେ ବିଶ୍ରାମ ନେଇଥିବା ଆକାଶଦୀପ ସିଂହ ଟିମ୍ ଫରୱାର୍ଡ ବିଭାଗକୁ ଫେରିଛନ୍ତି। ତାଙ୍କ ବ୍ୟତୀତ ଅରମାନ୍ କ୍ୟୁରେଶି, ମନଦୀପ ସିଂହ, ସୁମିତ୍ କୁମାର ଜୁନିୟର ଓ ଗୁରସାହିବଜିତ୍ ସିଂହ ଫରୱାର୍ଡରେ ସ୍ଥାନ ପାଇଛନ୍ତି।
ଅଷ୍ଟ୍ରେଲିଆ ଗସ୍ତକୁ ନେଇ ଟିମର ନୂଆ କୋଚ୍ ରିଡ୍ କହିଛନ୍ତି, ଏହା ଏକ ସନ୍ତୁଳିତ ଟିମ୍। ଏହି ଗସ୍ତ ମୋତେ ଓ ଟିମର ଖେଳାଳିଙ୍କ ମଧ୍ୟରେ ବୁଝାମଣା ପାଇଁ ସହାୟକ ହେବ। ଟିମରେ ଅନେକ ଯୁବ ଖେଳାଳି ସ୍ଥାନ ପାଇଛନ୍ତି। ଏହାଛଡ଼ା ଏହି ଗସ୍ତ ପାଇଁ ନୂଆ ଖେଳାଳିଙ୍କୁ ମଧ୍ୟ ସୁଯୋଗ ମିଳିଛି। ବିଶ୍ୱର ଶୀର୍ଷ ଟିମ୍ ବିପକ୍ଷରେ ଖେଳିବା ଯୁବ ଖେଳାଳିମାନଙ୍କ ପାଇଁ ଏକ ବଡ଼ ସୁଯୋଗ କହିଲେ ଅତ୍ୟୁକ୍ତି ହେବ ନାହିଁ ବୋଲି ରିଡ୍ କହିଛନ୍ତି।
ଭାରତୀୟ ଦଳ
ଗୋଲକିପର- କ୍ରିଷ୍ଣା ବି. ପାଠକ, ପିଆର୍ ଶ୍ରୀଜେଶ୍।
ଡିଫେଣ୍ଡର୍ସ: ରୂପିନ୍ଦର ପାଲ୍ ସିଂହ, ସୁରେନ୍ଦ୍ର କୁମାର (ଉପଅଧିନାୟକ), ହରମନପ୍ରୀତ ସିଂହ, ବୀରେନ୍ଦ୍ର ଲାକ୍ରା, ଗୁରିନ୍ଦର ସିଂହ, କୋଥାଜିତ୍ ସିଂହ।
ମିଡଫିଲ୍ଡର୍ସ: ହାର୍ଦ୍ଦିକ ସିଂହ, ମନପ୍ରୀତ ସିଂହ (ଅଧିନାୟକ), ଯଶକରନ୍ ସିଂହ, ବିବେକ ସାଗର ପ୍ରସାଦ, ନୀଳପଣ୍ଠ ଶର୍ମା।
ଫରୱାର୍ଡ୍ସ: ମନଦୀପ ସିଂହ, ଗୁରସାହିବଜିତ୍ ସିଂହ, ଆକାଶଦୀପ ସିଂହ, ସୁମିତ୍ କୁମାର ଜୁନିୟର, ଅରମାନ୍ କ୍ୟୁରେଶି।