ବଙ୍ଗୋପସାଗରରେ ସୃଷ୍ଟ ଭୀଷଣ ବାତ୍ୟା ‘ଅକ୍ଭାନ୍’ ଏବେ ଓଡ଼ିଶା ମୁହାଁ। ତିନି ଦିନ ମଧ୍ୟରେ ବାରମ୍ବାର ମୋଡ଼ ବଦଳାଇବା ସହ ଆଜି ସନ୍ଧ୍ୟା ସୁଦ୍ଧା ଦକ୍ଷିଣ ବଙ୍ଗୋପସାଗରର ପଶ୍ଚିମକେନ୍ଦ୍ରୀୟ ଓ ସଂଲଗ୍ନ କେନ୍ଦ୍ରୀୟ ଅଞ୍ଚଳରେ କେନ୍ଦ୍ରୀଭୂତ ରହିଛି, ଯାହାକି ଆନ୍ଧ୍ରର ନରସାପୁରଠାରୁ ୪୮୦ କିମି ଦକ୍ଷିଣପୂର୍ବ, କଳିଙ୍ଗପଟ୍ଟନମ୍ଠାରୁ ୫୨୦ କିମି, ଓଡ଼ିଶାର ଗୋପାଳପୁରଠାରୁ ୬୧୦ କିମି ଓ ପୁରୀଠାରୁ ୬୭୦ କିମି ଦକ୍ଷିଣରେ ଅବସ୍ଥିତ। ଘଣ୍ଟା ପ୍ରତି ୧୦ କିମି ବେଗରେ ଆଗକୁ ବଢ଼ୁଥିବା ‘ଅକ୍ଭାନ୍’ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଅଗ୍ରସର ହୋଇ ୨୦ ତାରିଖ ମଧ୍ୟାହ୍ନ ସୁଦ୍ଧା ଆନ୍ଧ୍ରପ୍ରଦେଶର ନରସାପୁର ଓ ଓଡ଼ିଶାର ପୁରୀ ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବାର ସମ୍ଭାବନା ରହିଥିବା ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ପୂର୍ବାନୁମାନ କରିଛି। ପ୍ରକୃତ ସ୍ଥାନ ସ୍ପଷ୍ଟ ହୋଇ ନ ଥିଲେ ସୁଦ୍ଧା ଗୋପାଳପୁରରୁ କଳିଙ୍ଗପଟ୍ଟନମ୍ ମଧ୍ୟରେ ହିଁ ଉପକୂଳ ଅତିକ୍ରମ କରିପାରେ। ସେହି ସମୟରେ ବାତ୍ୟା ଭୀଷଣ ରୂପ ସହ ପବନର ଘଣ୍ଟାପ୍ରତି ବେଗ ୯୦ରୁ ୧୦୦ କିଲୋମିଟର (କିମି) ରହିଥିବ ଏବଂ ଝଟକା ପବନର ବେଗ ୧୧୦ କିମି ପର୍ଯ୍ୟନ୍ତ ପହଞ୍ଚିପାରେ।‘ଅକ୍ଭାନ୍’ ଉପକୂଳର ନିକଟତର ହୋଇଥିବାରୁ ଆଜିଠାରୁ ଓଡ଼ିଶାରେ ପାଗ ବଦଳିଛି। ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ କୋହଲା ପାଗ ସାଙ୍ଗକୁ ଗଞ୍ଜାମ, ଗଜପତି, ପୁରୀ, ଖୋରଧା, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, କେନ୍ଦୁଝର, ମୟୂରଭଞ୍ଜ ଓ ନୟାଗଡ଼ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ବର୍ଷା ଆରମ୍ଭ ହୋଇଯାଇଛି। ଗୁରୁବାର ସକାଳଠାରୁ ବର୍ଷା ପରିମାଣ ବଢ଼ିବ। ଗଞ୍ଜାମ, କେନ୍ଦ୍ରାପଡ଼ା, କନ୍ଧମାଳ, ଜଗତସିଂହପୁର, ଗଜପତି ଓ ପୁରୀ ଜିଲ୍ଲାରେ ଶୁକ୍ରବାର ସକାଳ ମଧ୍ୟରେ ଅତିପ୍ରବଳରୁ ଅତ୍ୟନ୍ତ ପ୍ରବଳ ବର୍ଷା ହେବାକୁ ଥିବାରୁ ରେଡ୍ ଆଲର୍ଟ ଏବଂ ବାଲେଶ୍ବର, ଭଦ୍ରକ, ଯାଜପୁର, କଟକ, ମୟୂରଭଞ୍ଜ, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାକୁ ଥିବାରୁ ଅରେଞ୍ଜ ଆଲର୍ଟ ଦିଆଯାଇଛି। ‘ଅକ୍ଭାନ୍’ ସ୍ଥଳଭାଗ ଛୁଇଁବା ସମୟରେ ବାଲେଶ୍ବର ଓ ମୟୂରଭଞ୍ଜରେ ଅତିପ୍ରବଳରୁ ଅତ୍ୟନ୍ତ ପ୍ରବଳ ବର୍ଷା ହେବାକୁ ଥିବାରୁ ରେଡ୍ ଆଲର୍ଟ ଏବଂ ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଢେଙ୍କାନାଳ, କେନ୍ଦୁଝର, କନ୍ଧମାଳ, ଗଜପତି, ଗଞ୍ଜାମ, ପୁରୀ, ଖୋରଧା ଓ ନୟାଗଡ଼ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାକୁ ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି।