Odia News Portal

ସୂଚନା ଓ ଲୋକସମ୍ପର୍କ ବିଭାଗର ରଥଯାତ୍ରା ପ୍ରସ୍ତୁତି ବୈଠକ

ଭୁବନେଶ୍ୱର : ଚଳିତ ବର୍ଷ ରଥଯାତ୍ରାରେ ୧୧ଟି ସୂଚନା କେନ୍ଦ୍ର କାର୍ଯ୍ୟ କରିବ । ସିଂହଦ୍ୱାର, ବଳଗଣ୍ଡି, ବଡ଼ଶଙ୍ଖ, ଜଗନ୍ନାଥ ବଲ୍ଲଭ ମଠ, ଦିଗବାରେଣୀ, ଗୁଣ୍ଡିଚାବାଡ଼ି, ମାଳତୀପାଟପୁର, ସୁଭାଷ ବୋଷ ଛକ, ପାନ୍ଥ ଭବନ, ତାଳବଣିଆ ଓ ରେଳଷ୍ଟେସନ୍‌ଠାରେ ଏହି ସୂଚନା କେନ୍ଦ୍ର କାର୍ଯ୍ୟ କରିବ । ଏଠାରେ ଯାତ୍ରୀ ଓ ଶ୍ରଦ୍ଧାଳୁମାନଙ୍କ ନିମନ୍ତେ ସୂଚନା ସରବରାହ ସମେତ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସୁବିଧା ଉପଲବ୍ଧ ହେବ । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଆଜି ଅପରାହ୍ନରେ ଗୀତଗୋବିନ୍ଦ ସଦନଠାରେ ରଥଯାତ୍ରା ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି ହୋଇଛି । ଏଥିରେ ଉପସ୍ଥିତ ରହି ବିଭାଗୀୟ ମନ୍ତ୍ରୀ ରଘୁନନ୍ଦନ ଦାସ ରଥଯାତ୍ରାରେ ବିଭାଗର ଅଂଶଗ୍ରହଣକୁ ତାତ୍ପର୍ଯ୍ୟପୂର୍ଣ୍ଣ କରିବାକୁ ପରାମର୍ଶ ଦେଇଛନ୍ତି ।

ସୂଚନା କେନ୍ଦ୍ର ସହ ବିଭାଗ ପକ୍ଷରୁ ତିନୋଟି ଫଟୋଚିତ୍ର ପ୍ରଦର୍ଶନୀ ଆୟୋଜିତ ହେବ । ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଏବଂ ଓଡ଼ିଶାର ବିକାଶଯାତ୍ରାର ରୂପରେଖ ସମ୍ବଳିତ ଫଟୋଚିତ୍ରମାନ ସ୍ଥାନିତ ହେବ । ଏହାବ୍ୟତୀତ୍‌ ଓଡ଼ିଆରେ ‘ଉତ୍କଳ ପ୍ରସଙ୍ଗ’ ଓ ଇଂରାଜୀରେ ‘ଓଡ଼ିଶା ରିଭ୍ୟୁ’ ପତ୍ରିକା ସମେତ ଶ୍ରୀଜଗନ୍ନାଥଙ୍କ ଜଣାଣ ଏବଂ ରଥଯାତ୍ରା ସୂଚନା ପୁସ୍ତିକା ଉନ୍ମୋଚିତ ହେବ । ଏହାକୁ ଖୋଲାଯାଇଥିବା ସୂଚନା କେନ୍ଦ୍ରଗୁଡ଼ିକରେ ବିକ୍ରୟ ନିମନ୍ତେ ବ୍ୟବସ୍ଥା କରାଯିବ । ବିଭିନ୍ନ ସରକାରୀ ବିକାଶମୂଳକ ଯୋଜନା ସମ୍ପର୍କିତ କାର୍ଯ୍ୟକ୍ରମ ଇଲେକ୍‌ଟ୍ରୋନିକ୍‌ ମିଡିଆରେ ପ୍ରସାରଣ କରାଯିବ ବୋଲି ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି ନିଆଯାଇଛି ।

ବୈଠକରେ ବିଭାଗୀୟ କମିଶନର ତଥା ଶାସନ ସଚିବ ସଞ୍ଜୟ କୁମାର ସିଂହ, ତ୍ରୁଟିବିଚ୍ୟୁତି ନରଖି ଦଳଗତ ମାନସିକତାରେ କାର୍ଯ୍ୟ କରିବାକୁ ବିଭାଗୀୟ କର୍ମଚାରୀଙ୍କୁ କହିଥିଲେ । ବିଭାଗୀୟ ନିର୍ଦ୍ଦେଶକ ଲକ୍ଷ୍ମୀଧର ମହାନ୍ତି ରଥଯାତ୍ରା ବିବିଧ କାର୍ଯ୍ୟକ୍ରମ ଉପରେ ବିବରଣୀ ଉପସ୍ଥାପନା କରିଥିଲେ । ଯୁଗ୍ମ ଶାସନ ସଚିବ ଶୁଭେନ୍ଦ୍ର କୁମାର ନାୟକ, ଅତିରିକ୍ତ ନିର୍ଦ୍ଦେଶକ ନିରଞ୍ଜନ ସେଠୀ, ଉପ ଶାସନ ସଚିବ ଦୁର୍ଗାପ୍ରସାଦ ମହାରଣା, ଦୁର୍ଯ୍ୟୋଧନ ବେହେରା, ଉପନିର୍ଦ୍ଦେଶକ ବିପିନ ବିହାରୀ ବାରିକିଙ୍କ ସମେତ ଅନ୍ୟାନ୍ୟ ପଦାଧିକାରୀ ତଥା ସୂଚନା ଅଧିକାରୀମାନେ ଉପସ୍ଥିତ ଥିଲେ ।