Odia News Portal

ସଚିବାଳୟରେ ବନ୍ୟା ବିପତ୍ତି ଆଟଲାସ୍‌କୁ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ପ୍ରତିବର୍ଷ ବନ୍ୟା ଆସୁଛି । ଧନଜୀବନ ଓ ଜୀବିକା ନଷ୍ଟ କରୁଛି । ବନ୍ୟା ପରିଚାଳନା ଓ ଏହାର ମୁକାବିଲା ପାଇଁ ନୂଆ କରି ପ୍ରସ୍ତୁତ ହୋଇଥିବା ହୋଇଥିବା ‘ବନ୍ୟା ବିପତ୍ତି ଆଟଲାସ୍‌’ ବେଶ୍‌ ସହାୟକ ହୋଇପାରିବ । ଏହାଦ୍ୱାରା ରାଜ୍ୟର ସ୍ୱତନ୍ତ୍ର ବନ୍ୟା ବିପତ୍ତି ଅଞ୍ଚଳଗୁଡ଼ିକୁ ଚିହ୍ନଟ କରି ଉପଯୁକ୍ତ ଯୋଜନା ପ୍ରସ୍ତୁତ ହୋଇପାରିବ । ଶନିବାର ସଚିବାଳୟରେ ବନ୍ୟା ବିପତ୍ତି ଆଟଲାସ୍‌କୁ ଉନ୍ମୋଚନ କରିବା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି ।

୨୦୦୮-୨୦୧୮ ପର୍ଯ୍ୟନ୍ତ ଓଡ଼ିଶାରେ ହୋଇଥିବା ବନ୍ୟା ସମ୍ପର୍କିତ ବିଭିନ୍ନ ତଥ୍ୟର ଅନୁଶୀଳନ କରାଯାଇ ଏହି ଆଟଲାସ୍‌ ପ୍ରସ୍ତୁତ କରାଯାଇଛି । ଏଥିରୁ ଜଣାପଡ଼ିଛି, ବର୍ଷକୁ ରାଜ୍ୟର ପ୍ରାୟ ୧୪ ଲକ୍ଷ ହେକ୍ଟର ଚାଷ ଜମି ବନ୍ୟା ଦ୍ୱାରା କ୍ଷତିଗ୍ରସ୍ତ ହେଉଛି । ଆଟଲାସ୍‌ ସହାୟତାରେ ବିଶେଷ ଭାବେ କ୍ଷତିଗ୍ରସ୍ତ ହେଉଥିବା ଅଞ୍ଚଳ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦିଆଯାଇପାରିବ । ହାଇଦ୍ରାବାଦସ୍ଥିତ ନ୍ୟାସନାଲ୍‌ ରିମୋଟ୍‌ ସେନ୍ସିଂ ସେଣ୍ଟର (ଇସ୍ରୋ) ଏବଂ ଓସ୍‌ଡମାର ମିଳିତ ଉଦ୍ୟମରେ ଏହାକୁ ପ୍ରସ୍ତୁତ କରାଯାଇଛି ।

କାର୍ଯ୍ୟକ୍ରମରେ କୃଷି ମନ୍ତ୍ରୀ ଡ. ଅରୁଣ ସାହୁ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାର୍ଣ୍ଡି, ସୂଚନା ଓ ଲୋକ ସମ୍ପର୍କ ତଥା ଜଳସେଚନ ମନ୍ତ୍ରୀ ରଘୁନନ୍ଦନ ଦାସ, ଇସ୍ରୋ ନିର୍ଦ୍ଦେଶକ ଡ. ଦିବାକର, ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ, ଉନ୍ନୟନ କମିଶନର ଅସିତ କୁମାର ତ୍ରିପାଠୀ, ସ୍ୱତନ୍ତ୍ର ରିଲିଫ୍‌ କମିଶନର ବିଷ୍ଣୁପଦ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ ।