Odia News Portal

ଆଜି ଭାରତକୁ ଭେଟିବ ବାଂଲାଦେଶ, ଜାଦେଜା ଖେଳିବା ସମ୍ଭାବନା

ବିରମିଂହାମ : ଆଜି ଭାରତ-ବାଂଲାଦେଶ ବିଶ୍ୱକପ୍‌ ମୁକାବିଲା। ବିରମିଂହାମରେ ଭାରତୀୟ ସମୟ ୩ଟାରେ ଏହି ମ୍ୟାଚ ଖେଳାଯିବ। ଏହି ମ୍ୟାଚ୍‌ ଜିତି ସେମି ଫାଇନାଲ୍‌ରେ ସ୍ଥାନ ପକ୍କା କରିବା ଲକ୍ଷ୍ୟରେ ରହିଛି ଟିମ୍‌ ଇଣ୍ଡିଆ। ସେହିପରି ସେମି ଫାଇନାଲ୍‌ ରେସରେ ରହିବାକୁ ହେଲେ ବାଂଲାଦେଶକୁ ଆଜିର ମ୍ୟାଚ୍‌ ଜିତିବା ନିହାତି ଜରୁରୀ।

ଏହି ଦୃଷ୍ଟିରୁ ଆଜି ରୋମାଞ୍ଚକର ମୁକାବିଲା ଦେଖିବାକୁ ମିଳିପାରେ। ଆଜି ପ୍ଲେଇଂ ଇଲେଭେନ୍‌ରେ କିଛି ପରିବର୍ତ୍ତନ କରିପାରେ ଟିମ୍‌ ଇଣ୍ଡିଆ। କୁଳଦୀପ ଯାଦବ ଓ ଯୁଜବେନ୍ଦର ଚହଲଙ୍କ ମଧ୍ୟରୁ କେହି ଜଣେ ଖେଳି ପାରନ୍ତି। ଭୁବନେଶ୍ୱର କୁମାର ସ୍କ୍ଵାଡ୍‌କୁ ଫେରିବା ସମ୍ଭାବନା ବି ରହିଛି। ବାଂଲାଦେଶ କଥା ଦେଖିଲେ ଏହି ମ୍ୟାଚ ସେମାନଙ୍କ ପାଇଁ କର ବା ମର ଭଳି। ଯେକୌଣସି ପରିସ୍ଥିତିରେ ଏହି ମ୍ୟାଚ୍‌ ଜିତିବାକୁ ଚାହିଁବ ବାଂଲା ବାହିନୀ। ସାକିବ ଅଲ୍‌ ହସନା, ମୁସଫିକୁର ରେହମାନ ଓ ମହମ୍ମଦୁଲ୍ଲାଙ୍କ ଭଳି କ୍ରିକେଟରଙ୍କ ଉପରେ ସମସ୍ତଙ୍କ ନଜର ରହିବ।

ଉଭୟ ଦଳ ୩୫ଟି ଦିନିକିଆ ଖେଳିଛନ୍ତି। ଭାରତ ୨୯ଟି ଜିତିଥିବା ବେଳେ ବାଂଲାଦେଶ ମାତ୍ର ୫ଟିରେ ବିଜୟୀ ହୋଇଛି। ଗୋଟିଏ ମ୍ୟାଚ୍‌ ଟାଇ ରହିଛି। ସେହିପରି ବିଶ୍ୱକପରେ ଭାରତ-ବାଂଲାଦେଶ ୩ଥର ମୁହାଁମୁହିଁ ହୋଇଥିବା ଟିମ୍‌ ଇଣ୍ଡିଆ ୨ଟି ଓ ବାଂଲାଦେଶ ଗୋଟିଏ ମ୍ୟାଚ୍‌ ଜିତିଛି। ପୂର୍ବରୁ ୨୦୦୭ରେ ଭାରତକୁ ହରାଇ ବିଶ୍ୱକପରୁ ବାହାର ରାସ୍ତା ଦେଖାଇଥିଲା। ପରେ ୨୦୧୧ ଓ ୨୦୧୫ରେ ବାଂଲାଦେଶ ଭାରତଠାରୁ ପରାସ୍ତ ହୋଇଥିଲା।