ଭୁବନେଶ୍ୱର : ଆଜି ଜୁଲାଇ ୨ ତାରିଖ । ଆଜି ଥିଲା ବିଶ୍ୱ କ୍ରୀଡ଼ା ସାମ୍ବାଦିକ ଦିବସ । ଏହି ଅବସରରେ ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ (ଓସ୍ଜା) ତରଫରୁ ଭୁବନେଶ୍ୱର ଠାରେ ଏକ ସ୍ୱତନ୍ତ୍ର ଉତ୍ସବର ଆୟୋଜନ କରାଯାଇଥିଲା ।
ଏଥିରେ ମହିଳା ଫୁଟ୍ବଲ୍ ପ୍ରତି ଅବଦାନ ପାଇଁ ଗୀତାଞ୍ଜଳି ସାମନ୍ତରାୟ ଏବଂ ପୂର୍ବତନ ଫୁଟ୍ବଲ୍ ଖେଳାଳି ତଥା କୋଚ୍ ପ୍ରଫୁଲ୍ଲ ମିଶ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଓଡ଼ିଶା ପାରା ବ୍ୟାଡ୍ମିଣ୍ଟନ୍ ସଂଘ ସହଯୋଗରେ ଆୟୋଜିତ ଏହି ଉତ୍ସବରେ ଓସ୍ଜାର ସମ୍ପାଦକ ସନାତନ ପାଣି, ଉପସଭାପତି ସୁରେଶ ସ୍ୱାଇଁ ଏବଂ କୋଷାଧ୍ୟକ୍ଷ ହିମାଂଶୁ ପତିମିଶ୍ର ପ୍ରମୁଖ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।
କ୍ରୀଡ଼ା ସାମ୍ବାଦିକମାନେ କିଭଳି ପରିସ୍ଥିତିରେ ସମ୍ବାଦ ସଂଗ୍ରହ କରି ଲୋକଙ୍କ ନିକଟରେ ପହଞ୍ଚାଇଥାନ୍ତି ସେ ସମ୍ପର୍କରେ କହିଥିଲେ ବରିଷ୍ଠ ସାମ୍ବାଦିକ ତଥା ଓସଜା ସାଧାରଣ ସମ୍ପାଦକ ସନାତନ ପାଣି । କାଯ୍ୟକର୍ମ ରେ ଓସଜାର ସମସ୍ତ ସଦସ୍ୟ ସହଯୋଗ କରିଥିଲେ । ଓଡ଼ିଶା ପାରା ବ୍ୟାଡ୍ମିଣ୍ଟନ୍ ସଂଘର ସଫଳତା ନୂଆ ହେଲେ ମଧ୍ୟ ଓଡ଼ିଶା ପାରା ବ୍ୟାଡମିଣ୍ଟନ୍ ସଂଘ ଗତ କିଛି ବର୍ଷ ଭିତରେ ବେଶ୍ ସଫଳତା ଲାଭ କରିଛି ।
ରାଜ୍ୟର ନାମକୁ ବିଶ୍ୱ ଦରବାରରେ ପହଞ୍ଚାଇ ପାରିଛି । ସଂଘ ଅଧୀନରେ ଖେଳୁଥିବା ଓଡ଼ିଶାର ପ୍ରମୋଦ ଭଗତ ବର୍ତ୍ତମାନ ବିଶ୍ୱର ୧ ନମ୍ବର ମାନ୍ୟତା ପ୍ରାପ୍ତ ଖେଳାଳି ଅଛନ୍ତି । ପ୍ରମୋଦ ଆଗାମୀ ବିଶ୍ୱ ଚାମ୍ପିଅନ୍ସିପ୍ ପାଇଁ ପ୍ରସ୍ତୁତ ହେଉଛନ୍ତି । ଏ ସମ୍ପର୍କରେ ଆଜି ସଂଘର କର୍ମକର୍ତ୍ତାମାନେ ସୂଚନା ଦେବା ସହ ରାଜ୍ୟରେ ପାରା ବ୍ୟାଡମିଣ୍ଟନ୍ର ପ୍ରସାର ଦିଗରେ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଥିଲେ ।
ଏହା ସହିତ ଆଜି ବିଶ୍ୱ କ୍ରୀଡ଼ା ସାମ୍ବାଦିକ ଦିବସ ଅବସରରେ ସଂଘପକ୍ଷରୁ ରାଜ୍ୟର ବିଭିନ୍ନ ଗଣମାଧ୍ୟମରେ କାୟ୍ୟରିତ କ୍ରୀଡ଼ା ସାମ୍ବାଦିକମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।
